୯୦କୋଟି ଭୋଟରଙ୍କ ପାଇଁ ୩୩ କୋଟି ଟଙ୍କାର କାଳି
ଭାରତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପ୍ରସ୍ତୁତ ପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନର ଏକ ବଡ଼ ଭାଗ ହେଉଛି ଭୋଟିଂ ସମୟରେ ବ୍ୟବହୃତ ହେଉଥିବା କାଳି। ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ୨୬ ଲକ୍ଷ ବୋତଲ କାଳି ଅର୍ଡର କରିଛନ୍ତି। ପାଖାପାଖି ୯୦ କୋଟି ଭୋଟରଙ୍କ ପାଇଁ ବ୍ୟବହାର ହେବାକୁ ଥିବା ଏହି କାଳିର ମୂଲ୍ୟ ହେଉଛି ୩୩ କୋଟି ଟଙ୍କା।
ଲୋକସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ ୧୧ରୁ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ପର୍ଯ୍ୟନ୍ତ ଚାଲିବ। ମେ ୧୯ ଶେଷ ପର୍ଯ୍ୟାୟ ଭୋଟଦାନ ଥିଲା ବେଳେ ମେ ୨୩ରେ ଫଳାଫଳ ବାହାରିବ। ପୂର୍ବରୁ ବ୍ୟବହୃତ କାଳି ବାବଦ ଖର୍ଚ୍ଚ ତୁଳନାରେ ଚଳିତ ବର୍ଷ ଏହି ଖର୍ଚ୍ଚ ବେଶ ବଢିଛି। ୨୦୦୯ ମସିହାରେ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା କାଳି ବାବଦରେ। ୨୦୧୪ ମସିହାରେ ୨୧.୫ ଲକ୍ଷ କାଳି ବୋତଲ ବ୍ୟବହାର କରାଯାଇଥିଲା।
ପ୍ରତି ବୋତଲରେ ୧୦ମିଲିଲିଟର କାଳି ରହୁଥିଲା ବେଳେ ଗୋଟିଏ ବୋତଲରେ ପାଖାପାଖି ୩୫୦ଜଣ ଭୋଟରଙ୍କ ଆଙ୍ଗୁଳିରେ କାଳି ଲଗାଯାଇଥାଏ। ରୋଚକ ବିଷୟ ହେଉଛି ୨୦୦୪ ମସିହା ପର୍ଯ୍ୟନ୍ତ ଭୋଟରଙ୍କ ଆଙ୍ଗୁଳିରେ ଭୋଟ ଦେବା ପରେ ଏହି ନୀଳ କାଳିର ଏକ ବିନ୍ଦୁ ଲଗାଯାଉଥିଲା।
ମାତ୍ର ୨୦୦୬ ମସିହାରେ ନିର୍ବାଚନ କମିଶନ ଏହି ଧାରାକୁ ବଦଳାଇଥିଲେ। ସେ ବିନ୍ଦୁ ବଦଳରେ ଆଙ୍ଗୁଳିରେ ଏକ ଲମ୍ୱା ଚିହ୍ନ ଦେବାର ନିର୍ଦ୍ଦେଶ ଦେଇଥିଲେ। ଯେଉଁ କାରଣରୁ କାଳି ବ୍ୟବହାର ପରିମାଣ ବଢିଛି। ନିର୍ଦ୍ଦେଶ ଅନୁସାରେ ପ୍ରତି ପୁଲିଂ ବୁଥକୁ ୨ଟି ବୋତଲ କାଳି ଦିଆଯାଇଥାଏ।
ସବୁଠୁ ଅଧିକ ବୋତଲ କାଳି ବ୍ୟବହାର ହୋଇଥାଏ ଉତ୍ତରପ୍ରଦେଶରେ। ରାଜ୍ୟରେ ପାଖାପାଖି ୩ ଲକ୍ଷ ବୋତଲ କାଳି ବ୍ୟବହାର ହେଉଥିଲା ବେଳେ ସବୁଠୁ କମ ୨୦୦ ବୋତଲ ଲକ୍ଷାଦୀପରେ ବ୍ୟବହାର ହୋଇଥାଏ।
ପଢ଼ନ୍ତୁ ଅନ୍ୟ ଖବର: