ସବୁଠୁ ମହଙ୍ଗା ଭାରତର ନିର୍ବାଚନ
ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ନିର୍ବାଚନ ପ୍ରକ୍ରିୟା ମେ’୧୯ରେ ଶେଷ ହୋଇଛି। ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇଥିଲା ବେଳେ ଏହା ବିଶ୍ୱର ସବୁଠୁ ମହଙ୍ଗା ନିର୍ବାଚନ ଭାବେ ସାବ୍ୟସ୍ତ ହୋଇଛି।

ସେଣ୍ଟର ଫର ମିଡିଆ ଷ୍ଟଡିଜ (ସିଏମସି)ର ରିପୋର୍ଟ ଅନୁସାରେ ୭ଟି ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନ ବାବଦରେ ମୋଟ ୫୦ ହଜାର କୋଟି ଟଙ୍କା (୭ ଅରବ ଡଲାର)ଖର୍ଚ୍ଚ ହୋଇଛି। ଓପନ ସିକ୍ରେଟ ଓଆରଜି ଅନୁସାରେ ୨୦୧୬ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ବାବଦରେ ୬.୫ ଅରବ ଡଲାର ଖର୍ଚ୍ଚ ହୋଇଥିଲା।
ଅର୍ଥାତ ଆମେରିକାକୁ ପଛରେ ପକାଇ ଭାରତର ଲୋକସଭା ନିର୍ବାଚନ ସବୁଠୁ ମହଙ୍ଗା ନିର୍ବାଚନ ଭାବେ ସାବ୍ୟସ୍ତ ହୋଇଛି। ସିଏମସି ଅନୁମାନ ଅନୁସାରେ ୨୦୧୪ ଲୋକସଭା ନିର୍ବାଚନରେ ଖର୍ଚ୍ଚର ମାତ୍ରା ୩୫ରୁ ୪୦ ହଜାର କୋଟି ମଧ୍ୟରେ ରହିଥିଲା। ୫ବର୍ଷ ପରେ ହୋଇଥିବା ୨୦୧୯ ନିର୍ବାଚନରେ ଏହି ଖର୍ଚ୍ଚ ମାତ୍ରାରେ ୪୦%ର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।
ଆକଳନ ଅନୁସାରେ ଭାରତର ୬୦% ଲୋକେ ଦୈନିକ ୩ ଡଲାର ଅଥାତ ୨୦୦ଟଙ୍କା ଭିତରେ ନିଜ ପରିବାର ପୋଷଣ କରୁଥିଲା ବେଳେ ପ୍ରତି ଭୋଟ ଦାତାଙ୍କ ପିଛା ୮ଡଲାର ଅର୍ଥାତ ୫୦୦ଟଙ୍କା ଖର୍ଚ୍ଚ ହେବା ନିଶ୍ଚିତ ଚିନ୍ତାର ବିଷୟ। ନିର୍ବାଚନରେ ସର୍ବାଧିକ ଖର୍ଚ୍ଚ ସୋସିଆଲ ମିଡିଆ, ଶୋଭାଯାତ୍ରା, ରାଲି ଏବଂ ବିଜ୍ଞାପନ ବାବଦରେ କରାଯାଇଥାଏ।

୨୦୧୪ରେ ସୋସିଆଲ ମିଡିଆ ଉପରେ ମାତ୍ର ୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ ୨୦୧୯ ନିର୍ବାଚନରେ ଏହା ୫୦୦କୋଟି ଟଙ୍କାରେ ପହଞ୍ଚିଛି।
ଜେନିଥ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ଲୋକସଭା ନିର୍ବାଚନରେ ୨୬୦୦କୋଟି ରୁ ଅଧିକ ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥାଇପାରେ। ନିର୍ବାଚନ ଆୟୋଗଙ୍କ ଅନୁସାରେ ୨୦୧୪ ନିର୍ବାଚନରେ ଦୁଇ ପ୍ରମୁଖ ଦଳ ବିଜ୍ଞାପନ ବାବଦରେ ୧୨୦୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।
ରାଜ୍ୟ ହିସାବରେ ଲୋକସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୫୦ଲକ୍ଷରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଅରୁଣାଚଳ ପ୍ରଦେଶ, ଗୋଆ ଏବଂ ସିକିମ ଛାଡିଦେଲେ ଅନ୍ୟ ରାଜ୍ୟର ଜଣେ ପ୍ରାର୍ଥୀ ନିଜ ନିର୍ବାଚନ ପ୍ରଚାର ପାଇଁ ସର୍ବାଧିକ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଅରୁଣାଚଳ ପ୍ରଦେଶ, ଗୋଆ ଏବଂ ସିକିମରେ ଏହି ଖର୍ଚ୍ଚ ସୀମା ୫୪ଲକ୍ଷ ଟଙ୍କା ରହିଛି। ଦିଲ୍ଲୀ ପାଇଁ ଏହି ସୀମା ୭୦ଲକ୍ଷ ଥିଲା ବେଳେ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପରିମାଣ ୫୪ଲକ୍ଷ ଟଙ୍କା।
ସେହିପରି ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ସୀମା ୨୦ ଲକ୍ଷରୁ ୨୮ ଲକ୍ଷ ମଧ୍ୟରେ ରହିଛି। ଏହା ପ୍ରାର୍ଥୀଙ୍କର ମୋଟ ନିର୍ବାଚନ ଖର୍ଚ୍ଚ। ନିର୍ବାଚନ ନିୟମ ଅନୁସାରେ ନିର୍ବାଚନ ସରିବା ପରେ ସମସ୍ତ ପ୍ରାର୍ଥୀ ସେମାନଙ୍କ ଖର୍ଚ୍ଚର ହିସାବ ଫଳାଫଳ ବାହାରିବାର ୩୦ଦିନ ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ବାଧ୍ୟତାମୂଳକ।
ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ପ୍ରଥମ ତିନିଟି ଲୋକସଭା ନିର୍ବାଚନରେ ଖର୍ଚ୍ଚ ପରିମାଣ ୧୦କୋଟି ଏବଂ ଏହାଠୁ ସାମାନ୍ୟ ଅଧିକ ରହିଥିଲା। ହେଲେ ୪ର୍ଥ ଲୋକସଭା ନିର୍ବାଚନ ପରଠାରୁ ଖର୍ଚ୍ଚମାତ୍ରା ବଢିବାରେ ଲାଗିଲା। ୧୯୮୪-୮୫ରେ ହୋଇଥିବା ୮ମ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଖର୍ଚ୍ଚମାତ୍ରା ୧୦୦କୋଟିରୁ କମ ରହିଥିଲା।
୧୯୯୬ରେ ଅନୁଷ୍ଠିତ ଏକାଦଶ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ଖର୍ଚ୍ଚ ସୀମା ୫୦୦କୋଟି ଟଙ୍କା ଟପିଥିଲା। ୨୦୦୪ ଲୋକସଭା ନିର୍ବାଚନ ଏହି ଖର୍ଚ୍ଚ ୧ ହଜାର କୋଟି ଟଙ୍କା ଅତିକ୍ରମ କରିଥିଲା ବେଳେ ଏହା ପରଠାରୁ ନିର୍ବାଚନ ଖର୍ଚ୍ଚ ବେଶ ବଢିବାରେ ଲାଗିଛି।