୮ଟି ରାଜ୍ୟରେ ବିଜେପି-କଂଗ୍ରେସ ଓ ୭ଟିରେ ତ୍ରିକୋଣୀୟ ମୁକ୍କାବିଲା
ଯେ କୌଣସି ମୂହୁର୍ତ୍ତରେ ୨୦୧୯ ଲୋକସଭା ସହିତ କେତେକ ରାଜ୍ୟର ବିଧାନସଭାର ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରନ୍ତି। ଏହି ଘୋଷରା ପୂର୍ବରୁ ଦେଶର ଅଲଗା ଅଲଗା ରାଜ୍ୟରେ ବିଜେପି ଓ କଂଗ୍ରେସ ଆଞ୍ଚଳିକ ଦଳଗୁଡିକ ସହିତ ଯୋଗ ବିୟୋଗରେ ଲାଗିଛନ୍ତି। ଅଧିକାଂଶ ରାଜ୍ୟରେ ଏନଡ଼ିଏ ଓ ୟୁପିଏର ମେଣ୍ଟର ଚିତ୍ର ସ୍ପଷ୍ଟ ହେବା ସହିତ ସିଟ୍ ବଣ୍ଟନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କର୍ଣ୍ଣାଟକ ଭଳି ଆଉ କେେିକ ରାଜ୍ୟରେ ସିଟ୍ ବଣ୍ଟନର ଅଡୁଆ ସୂତାର ଗଣ୍ଠି ଖୋଲି ପାରୁନାହିଁ।

ଗତ ବୁଧବାର ଦିନ ଜେଡ଼ିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ସାରିଛନ୍ତି। ଦେବେଗୌଡ଼ାଙ୍କ କହିବା ଅନୁସାରେ କର୍ଣ୍ଣାଟକରେ ଜେଡ଼ିଏସ କଂଗ୍ରେସଠାରୁ ୧୨ଟି ଲୋକସଭା ଆସନ ମାଗିଛି। କିନ୍ତୁ କଂଗ୍ରେସ ୧୦ଟି ଆସନ ଛାଡ଼ିବାକୁ ରାଜି ଥିବା ସେ ସୂଚନା ଦେଇଛନ୍ତି। ଏହା ଉପରେ ରାହୁଲ ଗାନ୍ଧୀ ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଦେବେଗୌଡ଼ା କହିଛନ୍ତି।
ମୋଦିଙ୍କ ବିରୋଧରେ କୌଣସି ନେତା ନାହାଁନ୍ତି

ଏନଡ଼ିଏର ସହଯୋଗୀ ଦଳମାନେ ୨୦୧୪ ଲୋକସଭା ନିର୍ବାଚନ ଭଳି ୨୦୧୯ରେ ମଧ୍ୟ ମୋଦିଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି। ଅପରପକ୍ଷରେ ମୋଦିଙ୍କୁ ମୁକାବିଲ୍ଲା କଲା ଭଳି ୟୁପିଏ ପକ୍ଷରୁ କୌଣସି ନେତାଙ୍କୁ ଉପସ୍ଥାପିତ କରାଯାଇନାହିଁ। ୟୁପିଏର ସହଯୋଗୀମାନେ ରାହୁଲ ଗାନ୍ଧୀଙ୍କ ନାମରେ ସହମତି ହେଉଥିବା ଦେଖାଯାଉଛି।
ଦେଶର ମୋଟ ୫୪୫ଟି ଲୋକସଭା ଆସନ ମଧ୍ୟରୁ ୨୨ଟି ବଡ଼ ରାଜ୍ୟରେ ୫୨୪ଟି ରହିଛି। ଏଥିରେ ୮ଟି ରାଜ୍ୟରେ ବିଜେପି-କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲ୍ଲା ହେଉଥିଲାବେଳେ ୭ଟି ରାଜ୍ୟରେ ବିଜେପି-କଂଗ୍ରେସ ଓ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲ୍ଲା ହେବ। ୪ଟି ରାଜ୍ୟରେ ଏନଡ଼ିଏ ଓ ୟୁପିଏ ସହଯୋଗୀ ଦଳମାନଙ୍କ ମଧ୍ୟରେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱୀତା ହେବ। ଜମ୍ମୁ-କାଶ୍ମୀର, ପଶ୍ଚିମବଙ୍ଗରେ ତ୍ରିକୋଣୀୟ ମୁକାବିଲ୍ଲା ହେଉଥିଲାବେଳେ ଝାଡ଼ଖଣ୍ଡରେ ବିଜେପିର ୟୁପିଏ ମେଣ୍ଟ ସହିତ ମୁକାବିଲ୍ଳା ହେବ।
ଏନଡ଼ିଏରେ ବିଜେପି ସମେତ ୪୩ଟି ଦଳ
ବର୍ତ୍ତମାନ ଏନଡ଼ିଏରେ ବିଜେପି ସମେତ ୪୨ଟି ଦଳ ସାମିଲ ହୋଇଛନ୍ତି। ଏଥିରୁ ୯ଟି ରାଜନୈତିକ ଦଳର ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ଏନଡ଼ିଏରେ ବିଜେପି ସମେତ ୩୦ଟି ଦଳ ସାମିଲ ହୋଇଥିବାବେଳେ ୧୨ଟି ଦଳର ସଦସ୍ୟ ଲୋକସଭାକୁ ନର୍ବାଚିତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ଟି ଦଳ ଏବେ ଏନଡ଼ିଏ ଛାଡି ସାରିଛନ୍ତି।
ୟୁପିଏରେ କଂଗ୍ରେସ ସମେତ ୨୮ଟି ଦଳ ସାମିଲ ହୋଇଛନ୍ତି। ଏମାନଙ୍କର ୬୪ଜଣ ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।
ଏନଡ଼ିଏକୁ ଆସିଥିବା ୩ଟି ନୂଆ ଦଳ
ନିର୍ବାଚନ ପୂର୍ବରୁ ୩ଟି ରାଜ୍ୟର ଆଞ୍ଚଳିକ ଦଳ ସହିତ ବିଜେପି ମେଣ୍ଟ କରିବାରେ ସଫଳ ହୋଇଛି। ଏହି ଦଳଗୁଡ଼ିକ ହେଲେ ତାମିଲନାଡ଼ୁର ଏଆଇଏଡ଼ିଏମକେ, ବିହାରର ଜେଡ଼ିୟୁ, ମହାରାଷ୍ଟ୍ରର ଶିବସେନା। ଏହି ୩ଟି ରାଜ୍ୟରେ ୧୨୭ଟି ଲୋକସଭା ଆସନ ରହିଛି। ମହାରାଷ୍ଟ୍ରରେ ୨୦୧୪ରେ ବିଜେପି-ଶିବସେନା ମିଳିତ ଭାବେ ଲଢ଼ିଥିବାବେଳେ ବିଧାନସଭା ନିର୍ବାଚନରେ ଅଲଗା ହୋଇଥିଲେ।
୫ଟି ରାଜ୍ୟର ଆଞ୍ଚଳିକ ଦଳମାନେ ମଧ୍ୟ ଏନଡ଼ିଏ ଛାଡ଼ିଛନ୍ତି। ଏଥିରେ ମହାରାଷ୍ଟ୍ରର ସ୍ୱାଭିମାନୀ ଶ୍ୱେତକାରୀ ସଂଗଠନ, ଆସାମର ଏଜିପି, ଜମ୍ମୁ-କାଶ୍ମୀରର ପିଡ଼ିପି, ଆନ୍ଧ୍ରପ୍ରଦେଶର ଟିଡ଼ିପି ରହିଛି।
୫ଟି ରାଜ୍ୟରେ ୟୁପିଏ ମେଣ୍ଟ

କର୍ଣ୍ଣାଟକର ଜେଡ଼ିଏସ, ତାମିଲନାଡ଼ୁର ଡ଼ିଏମକେ, ଆନ୍ଧ୍ର ପ୍ରଦେଶର ଟିଡ଼ିପି, ବିହାରର ରାଲୋସପା ଓ ଝାଡ଼ଖଣ୍ଡର ଜେଏମଏମ ସହିତ କଂଗ୍ରେସ ନିର୍ବାଚନୀ ମେଣ୍ଟ କରିଛି। ଏହି ୫ଟି ରାଜ୍ୟରେ ୧୪୬ଟି ଲୋକସଭା ଆସନ ରହିଛି। ଏହାଛଡ଼ା ମହାରାଷ୍ଟ୍ରର ଏନସିପି ଓ ବିହାରର ଆରଜେଡ଼ି ସହିତ କଂଗ୍ରେସର ପୁରୁଣା ମେଣ୍ଟ ରହିଛି।
ଦିଲ୍ଲୀ ଓ ପଞ୍ଜାବରେ ଆପ କଂଗ୍ରେସ ସହିତ ମେଣ୍ଟ କରିବାକୁ ଚାହୁଥିଲେ ହେଁ ରାହୁଲ ଏହା କରିବାକୁ ଦେଇନାହାଁନ୍ତି। ସେହିପରି ଉତ୍ତରପ୍ରଦେଶରେ ଏସପି-ବିଏସପି ସହିତ ମଧ୍ୟ କଂଗ୍ରେସର ମେଣ୍ଟ ହୋଇପାରନାହିଁ। ତାମିଲନାଡ଼ୁରେ କଂଗ୍ରେସ-ଡ଼ିଏମକେ ମେଣ୍ଟ ସିପିଏମକୁ ୨ଟି ଆସନ ଦେଇଛନ୍ତି।
ଉତ୍ତର-ପୂର୍ବାଞ୍ଚଳର ୫ଟି ରାଜ୍ୟରେ ଏନଡ଼ିଏ-ୟୁପିଏ ମୁକାବିଲ୍ଲା
ଅରୁଣାଞ୍ଚଳର ୨ଟି ଆସନରେ ବିଜେପି-କଂଗ୍ରେସ ମଧ୍ୟରେ ସିଧା ମୁକାବିଲ୍ଲା ହେବ। ତ୍ରିପୁରରରେ ଓ ମଣିପୁରର ୨-୨ଟି ଆସନରେ ଏନଡ଼ିଏ-ୟୁପିଏ ମଧ୍ୟରେ ମୁକାବିଲ୍ଲା ହେଉଥିବାବେଳେ ମେଘାଳୟ, ନାଗାଲାଣ୍ଡ, ସିକ୍କିମର ୧-୧ ଆସନରେ ମଧ୍ୟ ଏନଡ଼ିଏ-ୟୁପିଏ ମଧ୍ୟରେ ଲଢ଼େଇ ହେବ।
୨୦୧୯ ନିର୍ବାଚନ ଓ ମେଣ୍ଟ
