ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ଵାରା ପ୍ରଭାବିତ
ତାରିଖ ଘୋଷଣା ହେବାର ୨୪ ଘଣ୍ଟା ପୁରିନି କିନ୍ତୁ ଓଡ଼ିଶାରେ ନିଯୁକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ସେ ବିଜେପି ପ୍ରଭାବରେ କବଳିତ ବୋଲି ଦଳ ଅଭିଯୋଗ କରିଛି।
ଦଳର ଆଇଟି ୱିଙ୍ଗ୍ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ଅନ୍ୟ ବଡ଼ ରାଜ୍ୟଗୁଡ଼ିକରେ ଗୋଟିଏ ବା ଦୁଇଟି ପର୍ଯ୍ୟୋୟରେ ନିର୍ବାଚନ ଶେଷ ହେଉଥିବାବେଳେ ଓଡ଼ିଶା, ପଶ୍ଚିମବଙ୍ଗଭଳି ରାଜ୍ୟରେ ନିର୍ବାଚନକୁ ୪ଟି ପର୍ଯ୍ୟାୟଭୁକ୍ତ କରିବା କେବଳ ବିଜେପିକୁ ସୁହାଇଲା ଭଳି ଏକ କାର୍ଯ୍ୟକ୍ରମ। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଏହି ନିଷ୍ପତ୍ତି ପାଇଁ ସୁପାରିଶ କରିଥିବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିଲାଗି ଦାୟୀ।
ଆନ୍ଧ୍ରପଦେଶ, ଗୁଜୁରାଟ ଭଳି ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ଓଡ଼ିଶାଠାରୁ ଅଧିକ ହୋଇଥିଲେ ମଧ୍ୟ ସେଠାରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ କରାଯାଇଛି । କର୍ଣ୍ଣାଟକ, ରାଜସ୍ଥାନ ଭଳି ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଧାର୍ଯ୍ୟ ହୋଇଛି । ୨୦୦୯ ଏବଂ ୨୦୧୪ ମସିହାରେ ଓଡ଼ିଶାରେ ମାଓ ସମସ୍ୟା ଅଧିକ ଥିବା ବେଳେ ଏବେ ତାହା ଆଶାତୀତ ଭାବେ ହ୍ରାସ ପାଇଛି । ଏପରିିସ୍ଥଳେ, ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ନିର୍ବାଚନର ଆବଶ୍ୟକତା କ’ଣ ପାଇଁ ପଡ଼ିଲା ବୋଲି ବିଜେଡ଼ି ପ୍ରଶ୍ନ କରୁଛି ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ଏଠାରେ ସବୁ ରାଜନୈତିକ ଦଳ ସହ ବିଚାରବିମର୍ଷ କରିବା ସମୟରେ ଏହା ତାଙ୍କୁ ଅବଗତ କରାଯାଇଥିଲା । ସେ ନିଜେ ଓଡ଼ିଶାର ସ୍ଥିତିକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ । ମାତ୍ର ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ କିଭଳି ଅନୁମୋଦନ କଲେ ତାହା ସନ୍ଦେହ ସୃଷ୍ଟି କରୁଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯେଉଁଠି ବିଜେପିର ସ୍ଥିତି ଭଲ ନାହିଁ ସେଠାରେ ଚାରି ଏବଂ ତତୋଧିକ ପର୍ଯ୍ୟାୟର ନିର୍ବାଚନ ଧାର୍ଯ୍ୟ ହୋଇଥିବାରୁ ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିବା ସ୍ପଷ୍ଟ ବାରି ହେଉଛି । ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିରପେକ୍ଷତା ରକ୍ଷା ନ କରି ବିଜେପି ଦ୍ୱାରା ପ୍ରଭାବିତ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି ।
ବିଜେଡ଼ି କହି ରଖିବାକୁ ଚାହେଁ ଯେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ଓଡ଼ିଶା ରାଜକୋଷ ପାଇଁ ବୋଝ ଏବଂ ଗତଥର ଠାରୁ ଖର୍ଚ୍ଚ ଦୁଇଗୁଣ ହେବ । ଦୁଇଟି ପର୍ଯ୍ୟାୟ ନିର୍ବାଚନ କରି ରାଜ୍ୟ ରାଜକୋଷର ଏହି ବୋଝକୁ କମାଯାଇ ପାରିଥାଆନ୍ତା । ତେବେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷପାତିତା ଓ ବିଜେପିର ଯୋଜନା ସଫଳ ହେବ ନାହିଁ । ଓଡ଼ିଶାରେ ବିଜୁ ଜନତା ଦଳ ବହୁତ ଭଲ କରିବ ଏବଂ ବିଜେପି ତାର ପୂର୍ବସ୍ଥିତିରେ ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ନିର୍ବାଚନ ୨୦୧୯ ସମ୍ପର୍କିତ ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ:
ମହାସଂଗ୍ରାମ-୨୦୧୯ର ମହାରଥୀ
ବିଜେଡିର ୩୩% ସଂରକ୍ଷଣ ନୀତି: କେଉଁ ଆସନରୁ ମହିଳାଙ୍କ ପାଇଁ ରହିଛି ସମ୍ଭାବନା, ନଜର…
ମହାସଂଗ୍ରାମ -୨୦୧୯: କାହା ସହିତ କିଏ ??