ଏବେ ୨୩କୁ ଅପେକ୍ଷା

ଏକଜିଟ ପୋଲ ଫଳାଫଳ ଆସିସାରିଛି। ଏବେ ସମସ୍ତଙ୍କ ଅପେକ୍ଷା ୨୩ତାରିଖ ମତଗଣନାକୁ। କିନ୍ତୁ ଏକଜିଟ ପୋଲ ଶାସକ ବିଜୁ ଜନତା ଦଳର ନେତାଙ୍କ ଭିତରେ ଏକ ଅବିଶ୍ୱସନୀୟ ଆଶଙ୍କା ଭରିଦେଇଛି। ଯଦିଓ ଏକଜିଟ ପୋଲରେ ବିଧାନସଭା ସକାଶେ ବିଜୁ ଜନତା ଦଳ ପାଇଁ ଉତ୍ସାହଜନକ ଖବର ଅଛି, କିନ୍ତୁ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟିର ସମ୍ଭାବ୍ୟ ଫଳାଫଳକୁ ଦେଖି ଶାସକ ଦଳର ନେତାମାନେ ଚୂଡ଼ାନ୍ତ ଫଳାଫଳକୁ ଛାତି ଧକଧକ ଭିତରେ ଅପେକ୍ଷା କରି ରହିଛନ୍ତି।

କିଙ୍ଗ, କିଙ୍ଗମେକର ଏବଂ ଖେଚୁଡ଼ି ସରକାର ଅପେକ୍ଷାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଜିଟ ପୋଲ ପରିସଂଖ୍ୟାନ ଉପରେ କୌଣସି ମତାମତ ଦେଇ ନାହାନ୍ତି।

ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରି ନାହିଁ। କିନ୍ତୁ କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର ଆସୁଥିବାର ଆଭାସ ପ୍ରାୟତଃ ସବୁ ସର୍ଭେରୁ ପ୍ରତିଫଳିତ ହେବା ପରେ ନବୀନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ଯଦି କେନ୍ଦ୍ରରେ ଏନଡିଏ ପୂର୍ଣ୍ଣ ବହୁମତରେ ପୁଣି ଥରେ କ୍ଷମତାସୀନ ହେବ ତେବେ ଆଉ ସହଯୋଗ, ନିର୍ଭରଶୀଳତା କିମ୍ୱା ଭାଗିଦାରୀର ପ୍ରଶ୍ନ ଉଠିବ ନାହିଁ।

ଅନ୍ୟପଟେ ଏହା ଶାସକ ଦଳ ବିଜେଡି ଏବଂ ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିନ୍ତା ବଢ଼ାଇବ। ୨୦୧୪ ଫଳାଫଳ ଉଭୟ ବିଧାନସଭା ଏବଂ ଲୋକସଭାରେ ରିପିଟ ହେବାକୁ ଯାଉନାହିଁ, ଏହା ସତ। ବିଜେଡି ନେତାମାନଙ୍କର ଆଶଙ୍କା ହେଲା, ଯଦି ଏକଜିଟ ପୋଲ ରିପୋର୍ଟ ଅନୁସାରେ ଏତେଗୁଡ଼ିଏ ଲୋକସଭା ଆସନ ବିଜେପି ହାତକୁ ଯାଏ, ତେବେ ସେହି ତୁଳନାରେ ଯଦି ବିଧାନସଭା ଆସନ ସେହି ଦଳ ଦଖଲ କରେ, ତେବେ ତ୍ରିଶଙ୍କୁ ବିଧାନସଭା ଆଶଙ୍କା ସତରେ ପରିଣତ ହେବ।

ଏପରି ଅବସ୍ଥାରେ, ନବୀନ କେନ୍ଦ୍ରରେ ଦୁର୍ବଳ ସରକାର କାମନା କରୁଥିଲେ, କିନ୍ତୁ ଓଡ଼ିଶାରେ ଏକ ଦୁର୍ବଳ ବା ଖେଚୁଡ଼ି ସରକାର ସମ୍ଭାବନା ବଢ଼ିଯିବ। ଏହା ନବୀନଙ୍କ ପାଇଁ ମାରାତ୍ମକ ଭବିଷ୍ୟତ ଆଣିଦେଇପାରେ।

ବିଭିନ୍ନ ଏକଜିଟ ପୋଲରୁ କେନ୍ଦ୍ରରେ ସଶକ୍ତ ସରକାରର ଆଭାସ ମିଳୁଛି। ଯଦି ଏହା ସତ ହୁଏ, ତେବେ ମୋଦୀ ଏବଂ ଶାହା ସଂଖ୍ୟାବଳ ସକାଶେ ଆଉ ବିଜେଡି କିମ୍ୱା ନବୀନଙ୍କ ଉପରେ ନିର୍ଭର କରିବେ ନାହିଁ। ଏଣେ ରାଜ୍ୟରେ ବିଜେପିର ଉତ୍ତରଣ ଦେଖିବା ପରେ ନୂଆ ସରକାର ନବୀନ ଏବଂ ବିଜୁ ଜନତା ଦଳ ପ୍ରତି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବେ।

ଯେଉଁ ଭୟ ୫ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ମୋଦୀଙ୍କ ଶରଣକୁ ଯିବାଲାଗି ବାଧ୍ୟ କରିଥିଲା, ଏବେ ଦୁର୍ବଳ ନବୀନଙ୍କୁ ସେହି କାରଣ ଅଧିକ ଅଥୟ କରିବ। କାରଣଟି ହେଲା, ଚିଟ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ। ଅନ୍ୟ କାରଣଟି ହେଲା, ଖଣି ଦୁର୍ନୀତିର ତଦନ୍ତ ସକାଶେ ମଧ୍ୟ ନୂଆ କେନ୍ଦ୍ର ସରକାର ସିବିଆଇକୁ ସୁପାରିସ କରିପାରନ୍ତି।

୨୦୧୯ ନିର୍ବାଚନକୁ ଆଖିରେ ରଖି ମୋଦୀ ମଧ୍ୟ ନବୀନଙ୍କ ପ୍ରତି କୋହଳ ମନୋଭାବ ଦେଖାଇ ଆସିଥିଲେ। ଯଦିଓ ପୂର୍ବୋଦୟ ଉପରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଥିଲେ, ତଥାପି ନବୀନଙ୍କ ବିଜୁ ଜନତା ଦଳର ଆବଶ୍ୟକତା ପଡ଼ିପାରେ ବୋଲି ମନେ କରୁଥିଲେ ମୋଦୀ। ଯଦି ସଂଖ୍ୟା ଗଣିତରେ ବିଜେପି ଓଡ଼ିଶାରେ ବିଜେଡିକୁ ପଛରେ ପକାଇଦିଏ ଏବଂ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଏନଡିଏ କେନ୍ଦ୍ରରେ ସରକାର ଗଠନ କରେ, ତେବେ ବିଜେଡିକୁ ଚାରିଆଡ଼ୁ ଘେରିବା ସକାଶେ ବିଜେପି ଲାଗି ବାଟ ଫିଟିଯିବ।

ସମସ୍ତଙ୍କ ନଜର ବିଧାନସଭାରେ କେଉଁ ଦଳକୁ ମିଳୁଛି କେତୋଟି ଆସନ। କେତେକ ସର୍ଭେରେ ବିଜେଡିର ଆସନ ସଂଖ୍ୟା ପୂର୍ବ ତୁଳନାରେ କମିଲେ ହେଁ ନିରାପଦ ସଂଖ୍ୟଗରିଷ୍ଠତା ମିଳିଯିବ। ଏହା ବିଜେଡି ନେତୃତ୍ୱକୁ ନିଶ୍ଚୟ ଆଶ୍ୱସ୍ତ କରିବ। ଯଦି ଏହା ହୁଏ, ତେବେ ଗତ ୫ବର୍ଷ ପରି ପୁଣି ନବୀନ ସରକାରଙ୍କୁ ମୋଦୀ ସରକାରଙ୍କ ପାଖରେ ଶରଣାପନ୍ନ ଅବସ୍ଥାରେ ରହିବାକୁ ପଡ଼ିବ। କିନ୍ତୁ ଆଉ ୨୦୨୪କୁ ଆଖିରେ ରଖି ମୋଦୀ ଯେ ବିଜେଡି ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରିବେ, ତାହା ମନେ କରିବା ଭୁଲହେବ।

ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ବିଜୁ ଜନତା ଦଳ ଭିତରେ ବଡ଼ ପ୍ରତିକ୍ରିୟା ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବନାହିଁ। ଏକଜିଟ ପୋଲ ପରେ ମଧ୍ୟ ବିଜେଡି ନେତାଙ୍କ ଭିତରେ ଆତ୍ମବିଶ୍ୱାସର କୌଣସି ଝଲକ ଦେଖିବାକୁ ମିଳୁ ନାହିଁ। ଏକାଧିକ ରାଜ୍ୟସଭା ସଦସ୍ୟଙ୍କୁ ବିଧାନସଭା ଏବଂ ଲୋକସଭା ପାଇଁ ଲଢ଼େଇବା, ଟିକଟ ବଣ୍ଟନରେ ବ୍ୟାପକ ଅନିୟମିତତାର ଅଭିଯୋଗ ଉଠିବା ଏବଂ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଗୋଷ୍ଠୀ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଇତ୍ୟାଦି ବହୁତଗୁଡ଼ିଏ ଘଟଣା ବିଜେଡି ନେତୃତ୍ୱକୁ ହରଡ଼ଘଣାରେ ପକାଇପାରେ।

ଯଦି ବିଜେପି ଲୋକସଭାରେ ଅଧିକ ଆସନ ପାଏ, କିନ୍ତୁ ବିଧାନସଭାରେ ଆଶା ଅନୁରୂପ ଡବଲ ଇଞ୍ଜିନ ନମିଳେ, ତଥାପି ଏକ ତୃତୀୟ ଦଳରୁ ଏତେ ଆଗକୁ ଆସିବା ବିଜେପି ନେତୃତ୍ୱକୁ ଗଭୀର ଆତ୍ମ ସନ୍ତୋଷ ଦେବ। କେନ୍ଦ୍ରରେ ଏକଜିଟ ପୋଲ ମୁତାବକ ଯଦି ଏନଡିଏ ସରକାର ଦ୍ୱିତୀୟ ଥର ସକାଶେ କ୍ଷମତାସୀନ ହେଉଛି, ତେବେ ରାଜ୍ୟ ବିଜେପିର ନେତାମାନେ ବିଜେଡିକୁ ଘେରିବା ପାଇଁ ଅଧିକ ଉତ୍ସାହିତ ହୋଇପଡ଼ିବେ। ଏହା ବିଜେଡି ନେତୃତ୍ୱର ଚିନ୍ତା ବଢ଼ାଇବାକୁ ଯଥେଷ୍ଟ।

କଂଗ୍ରେସ ଯଦି ସୂଚନା ମୁତାବକ ଗୋଟିଏ ଲୋକସଭା ଆସନ ଓ ପାଖାପାଖି ୨୦ଟି ବିଧାନସଭା ଆସନ ଦଖଲ କରେ, ତେବେ ଦଳର ନେତୃତ୍ୱ ବିରୋଧରେ ମୁହଁ ଫିଟାଇବାକୁ ନିରଞ୍ଜନ ବିରୋଧୀ ଗୋଷ୍ଠୀ ହୁଏତ ସାହସ କରିନପାରନ୍ତି।

ଗୋଟିଏ ବିଷୟ ସ୍ପଷ୍ଟ, ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବାକୁ ଯାଉଛି। ଏବେ ଯଦି, କିନ୍ତୁ, ପରନ୍ତୁର କଥା ନାହିଁ, ୨୩ ତାରିଖ ସନ୍ଧ୍ୟା ପରେପରେ ରାଜନୈତିକ ପରିବର୍ତ୍ତନର ସଂକେତ ମିଳିବା ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। କେଉଁ ଶିବିର ଆନନ୍ଦିତ ହେବ ଏବଂ କେଉଁ ଶିବିରକୁ ଜୋରଦାର ଧକ୍କା ମିଳିବ, ତାହା ୨୪ ତାରିଖ ସକାଳକୁ ରାଜ୍ୟବାସୀ ଜାଣି ସାରିଥିବେ।

Leave a Reply

Your email address will not be published.