ମହାସଂଗ୍ରାମ -୨୦୧୯: କାହା ସହିତ କିଏ ?
୧୭ତମ ଲୋକସଭା ଗଠନ ପାଇଁଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଲୋକସଭାରେ ନିଜର ପ୍ରଭୁତ୍ୱ ବିସ୍ତାର ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି କାମ ଅନ୍ତିମ ରୂପ ଦେବାରେ ଲାଗିଛନ୍ତି। ୟୁପିଏ କିଛି ଆଞ୍ଚଳିକ ଦଳମାନଙ୍କ ସହାୟତାରେ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ବିଜେପି ମଧ୍ୟ ବିଭିନ୍ନ ରାଜ୍ୟରେ ଥିବା ଛୋଟ ଛୋଟ ରାଜନୈତିକ ଦଳମାନଙ୍କୁ ସାଙ୍ଗରେ ନେଇ ପୁରୁଣା ସଫଳତାକୁ ଦୋହରାଇବା ପାଇଁ ଚେଷ୍ଠା ମଧ୍ୟ କରୁଛି। ଏହାଛଡ଼ା ଆହୁରି କିଛି ରଜନୈତିକ ଦଳ ବିଜେପି କି କଂଗ୍ରେସ ମେଣ୍ଟ ସହିତ ନାହାନ୍ତି। ଏମାନେ ଲୋକମାନଙ୍କ ସମର୍ଥନ ହାସଲ କରି ନିଜେ ସରକାର ଗଠନ କରିବାକୁ ଚାହୁଁଛନ୍ତି। ଚଳିତ ନିର୍ବାଚନ ପାଇଁ ହୋଇଥିବା ମେଣ୍ଟର ଚକ୍ରବ୍ୟୁହ ବଡ଼ ଜଟିଳ ମନେ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଚକ୍ରବ୍ୟୁହରେ କେୁଁ ଦଳ କେଉଁ ମେଣ୍ଟରେ ସାମିଲ ହୋଇଛନ୍ତି।
ବିଜେପିର ସହଯୋଗୀ
ନୀତିଶ କୁମାର (ବିହାର)

ବର୍ଷକ ତଳେ ଲାଲୁ ପ୍ରସାଦଙ୍କଠାରୁ ଅଲଗା ହୋଇ ଜେଡ଼ିୟୁ ପୁଣି ଥରେ ଏନଡ଼ିଏରେ ସାମିଲ ହୋଇଛି। ଆଗାମୀ ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲେ ହେଁ ପରେ ଏହାକୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ହସ୍ତକ୍ଷେପ ଫଳରେ ସମାଧାନ କରାଯାଇପାରିଛି। ଯଦି ଚଳିତ ନିର୍ବାଚନରେ ବିଜେପି ବହୁମତରୁ ଦୂରରେ ରହିବ ତେବେ ନୀତିଶ କୁମାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଗତ ନିର୍ବାଚନରେ ନୀତିଶ କୁମାର ବିଜେପିଠାରୁ ଦୂରେଇ ଯାଇଥିବାରୁ ତାଙ୍କ ଦଳକୁ ମାତ୍ର ୨ଟି ଲୋକସଭା ଆସନରେ ସଫଳତା ମିଳିଥିଲା।
କେ.ପଲାନିସାମି (ତାମିଲନାଡୁ)

ଜୟଲଳିତାଙ୍କ ପରେ ଏବେ ଏଆଇଏଡ଼ିଏମକେରେ କେହି ବଡ଼ ନେତା ନାହାଁନ୍ତି। ଏଭଳି ସ୍ଥିତିରେ ବିଜେପି ସହିତ ମେଣ୍ଟ କରି ଚଳିତ ନିର୍ବାଚନରେ ଭଲ କରିବା ପାଇଁ ଆଶା କରିଛି। ବର୍ତ୍ତମାନ ତାମିଲନାଡୁର ମୁଖ୍ୟ ବିରୋଧିଦଳ ଡ଼ିଏମକେ କଂଗ୍ରେସ ସହିତ ମେଣ୍ଟ କରିଥିବାରୁ ଏଆଇଏଡ଼ିଏମକେ ୟୁପିଏକୁ ଯିବ ନାହିଁ। ଗତ ନିର୍ବାଚନରେ ଏଆଇଏଡ଼ିଏମକେକୁ ୩୭ଟି ଆସନରେ ସଫଳତା ମିଳିଥିଲା।
ଏସ. ରାମଦୋସ (ତାମିଲନାଡୁ)

ତାମିଲନାଡୁର ପିଏମକେ ଏବେ ଏଆଇଏଡ଼ିଏମକେ ମେଣ୍ଟ କରିଥିବାରୁ ସେହି ଦଳ ମଧ୍ୟ ବିଜେପି ଗ୍ରୁପରେ ସାମିଲ ହୋଇଛି। ଏହା ପୂର୍ବରୁ ପିଏମକେ ୟୁପିଏର ଅଂଶୀଦାର ମଧ୍ୟ ଥିଲା। ଯଦି ଏନଡ଼ିଏ ବହୁମତ ନ ପାଏ ତେବେ ପିଏମକେ ନିଜର ସମର୍ଥନ ୟୁପିଏକୁ ଦେଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ନିର୍ବାଚନରେ ପିଏମକେ ଗୋଟିଏ ଆସନରେ ବିଜୟୀ ହୋଇଥିଲା।
ଉଦ୍ଧବ ଠାକରେ (ମହାରାଷ୍ଟ୍ର)

ଏନଡ଼ିଏ ମଣ୍ଟରେ ଥାଇ ମଧ୍ୟ ଶିବସେନା ଲଗାତର ବିଜେପିକୁ ସମାଲୋଚନା କରି ଆସୁଛି। ମହାରାଷ୍ଟ୍ରରେ ଶିବସେନାକୁ ମଜଭୂତ କରିବା ପାଇଁ ଉଦ୍ଧବ ଠାକରେ ନିକଟରେ ବିଜେପିଠାରୁ ଅଲଗା ହେବାର ଆଶଙ୍କା ନାହିଁ। ଗତ ଲୋକସଭା ନିର୍ବାଚନରେ ଶିବସେନା ୧୮ଟି ଆସନରେ ବିଜୟୀ ହୋଇଥିଲା।
ପ୍ରକାଶ ସିଂହ ବାଦଲ (ପଞ୍ଜାବ)

ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଦଳ ହେଉଛି ଅକାଳୀ ଦଳ। ଅକାଳୀ ଦଳ ଏବେ ଶିଖ୍ ଭୋଟରଙ୍କ ରାଗର ଶୀକାର ହୋଇଛି। ଏହି କାରଣରୁ ୨୦୧୭ ବିଧାନସଭା ନିର୍ବାଚନରେ ଅକାଳୀ ଦଳ ପରାଜିତ ହୋଇଛି। ବିବାଦ କାରଣରୁ ସୁଖବୀର ସିଂହ ଏନଡ଼ିଏରୁ ଅଲଗା ହୋଇଥିଲେ ହେଁ ଅକାଳୀ ଦଳ ଏନଡ଼ିଏ ସହିତ ରହିଛି। ଗତ ନିର୍ବାଚନରେ ଅକାଳୀ ଦଳକୁ ୪ଟି ଲୋକସଭା ଆସନ ମିଳିଥିଲାିୟା
ଅନୁପ୍ରିୟା ପଟେଲ (ଉତ୍ତର ପ୍ରଦେଶ)

ଉତ୍ତର ପଦେଶରେ ଏସପି-ବିଏସପି ମେଣ୍ଟ ଯୋଗୁଁ ଅନୁପ୍ରିୟା ପଟେଲ ଏବେ ବଡ଼ ଚିନ୍ତାରେ ଅଛନ୍ତି। କୁର୍ମୀ ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପିଠାରୁ ଅଧିକ ଆସନ ଦାବି କରୁଛି। ଯଦି ବିଜେପି ଏଥିରେ ରାଜି ନ ହୁଏ ତେବେ ଅନୁପ୍ରିୟା କଂଗ୍ରେସ ମେଣ୍ଟକୁ ଯାଇପାରନ୍ତି। ଗତ ଲୋକସଭା ନିର୍ବାଚନରେ ଅନୁପ୍ରିୟାଙ୍କ ଦଳକୁ ୨ଟି ଆସନରେ ସଫଳତା ମିଳିଥିଲା।
ରାମବିଳାସ ପାଶୱାନ (ବିହାର)

ରାମବିଳାସ ପାଶୱାନଙ୍କ ଏଲଜେପି ଗତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହିତ ମେଣ୍ଟ କରିଥିଲା। ଗତ ନିର୍ବାଚନରେ ଏଲଜେପିକୁ ଲୋକସଭା ଆସନରେ ସଫଳତା ମିଳିଥିଲା। ବିଜେପି ଚଳିତ ନିର୍ବାଚନରେ ବହୁମତ ନ ପାଇଲେ ସେ ଏନଡ଼ିଏ ଛାଡ଼ିବାର ଆଶଙ୍କା ନାହିଁ।
କଂଗ୍ରେସ ସହଯୋଗୀ
ଲାଲୁପ୍ରସାଦ ଯାଦବ (ବିହାର)

ଗୋ ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବ ଏବେ ରାଜନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ହୋଇପଡ଼ିଛନ୍ତି। କେନ୍ଦ୍ରରେ ତାଙ୍କ କଥା ଉପସ୍ଥାପନ କରିବା ପାଇଁ ତାଙ୍କୁ କଂଗ୍ରେସର ସହଯୋଗ ଆବଶ୍ୟକ। ତେଣୁ ସେ କଂଗ୍ରେସ ନେତୃତ୍ୱାଧିନ ୟୁପିଏରେ ଅଛନ୍ତି। ଗତ ନିର୍ବାଚନରେ ଲାଲୁଙ୍କ ଦଳ ଆରଜେଡ଼ିକୁ ୪ଟି ଆସନ ମିଳିଥିଲା।
ଏଚ.ଡ଼ି. କୁମାରସ୍ୱାମୀ (କର୍ଣ୍ଣାଟକ)

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡ଼. ଦେବେଗୌଡ଼ାଙ୍କ ପୁଅ ଏଚ.ଡ଼. କୁମାରସ୍ୱାମୀଙ୍କ ଦଳ ଜେଡ଼ିଏସ କର୍ଣ୍ଣାଟକରେ କଂଗ୍ରେସ ସହିତ ନିର୍ବାଚନ ପୂର୍ବରୁ ମେଣ୍ଟ ପାଇଁ ବହୁ ପର୍ଯ୍ୟାୟ ଆଲୋଚନା ପରେ ଆସନ ବଣ୍ଯା ହୋଇଛି। ଯଦି କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ନ ହୁଏ ତେବେ ଜେଡ଼ିଏସ ଫେଡେ଼ରାଲ ମେଣ୍ଟକୁ ଯାଇପାରେ। ଗତ ଲୋକସଭା ନିର୍ବାଚନରେ ଜେଡ଼ିଏସକୁ ମାତ୍ର ୨ଟି ଆସନ ମିଳିଥିଲା।
ଶରଦ ପାୱାର (ମହାରାଷ୍ଟ୍ର)

ଏନସିପିର ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ଶରଦ ପାୱାର ନିର୍ବାଚନ ଲଢ଼ିବେ ନାହିଁ । କିନ୍ତୁ ବିଜେପିକୁ ଦୁର୍ବଳ କରିବା ପାଇଁ ସେ ପୁଣି ଥରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ହେଉଥିବା ଆଲୋଚନାକୁ ସେ ଆଜି ଖଣ୍ଡନ କରିଛନ୍ତି। ତାଙ୍କ ଦଳ ମହାରାଷ୍ଟ୍ରରେ କଂଗ୍ରେସ ସହିତ ମେଣ୍ଟ କରିଛି।। ଗତ ନିର୍ବାଚନରେ ଏନସିପି ୬ଟି ଆସନ ମିଳିଥିଲା।
ଏମ.କେ.ଷ୍ଟାଲିନ (ତାମିଲନାଡ଼ୁ)

କରୁଣାନିଧିଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ଏମ.କେ. ଷ୍ଟାଲିନ ଏବେ ଡ଼ିଏମକେର ବଡ଼ନେତା। କରୁଣାନିଧିଙ୍କ ପରେ ଦଳର ନେତୃତ୍ୱ ଓ କ୍ଷମତା ନେଇ ପରିବାର ଭିତରେ ହୋଇଥିବା କନ୍ଦଳରେ ଷ୍ଟାଲିନଙ୍କର ବିଜୟ ହୋଇଛି। ପୁର୍ବରୁ ଡ଼ିଏମକେ ବାଜପାୟୀଙ୍କ ଶାସନ କାଳରେ ଏନଡ଼ିଏରେ ଥିଲା। ବର୍ତ୍ତମାନ ଗରିବ ସବର୍ଣ୍ଣଙ୍କୁ କେନ୍ଦ୍ର ସରକାର ଦେଇଥିବା ୧୦ ପ୍ରତିଶତ ଆରକ୍ଷଣକୁ ଡ଼ିଏମକେ ବିରୋଧ କରୁଛି। ଗତ ନିର୍ବାଚନରେ ଡ଼ିଏମକେ କୌଣସି ଆସନରେ ବିଜୟୀ ହୋଇପାରନଥିଲା।
ଭାଇକୋ (ତାମିଲନାଡ଼ୁ)

ପୂର୍ବରୁ ପରିବାରବାଦ ଅଭିଯୋଗ କରି ଭାଇକୋଙ୍କ ପାର୍ଟି ଡ଼ିଏମକେରୁ ଅଲଗା ହୋଇଯାଇଥିଲା। କିନ୍ତୁ କୌଣସି ଆଖିଦୃଶିଆ ସଫଳତା ନ ମିଳିବାରୁ ପୁଣି ଡ଼ିଏମକେ ଶରଣକୁ ଭାଇକୋ ଆସିଛନ୍ତି। ଏବେ ସେ ଷ୍ଟାଲିନଙ୍କ ସହିତ ଅଛନ୍ତି। ଭାଇକୋ ପୂର୍ବରୁ ଏନଡ଼ିର ଅଂଶୀଦାର ଥିଲେ। ଏବେ କିନ୍ତୁ ସେ ଡ଼ିଏମକେ ଓ କଂଗ୍ରେସ ସହିତ ଅଛନ୍ତି।
ଉମର ଅବଦୁଲା (ନ୍ୟାସନାଲ କନଫରେନ୍ସ)

ଉମର ଅବଦୁଲାଙ୍କ ପାର୍ଟି ନ୍ୟାସନାଲ କନଫରେନ୍ସ ଜମ୍ମୁ-କାଶ୍ମୀରରେ ଦେଖା ଦେଇଥିବା ଅଶାନ୍ତି ପାଇଁ ବିଜେପିକୁ ଦାୟୀ କରୁଛି। ଉମର ନିର୍ବାଚନ ପରେ କଂଗ୍ରେସ କିମ୍ୱା ଫେଡେ଼ରାଲ ଫ୍ରଣ୍ଟକୁ ସମର୍ଥନ ଦେଇପାନ୍ତି। ୨୦୧୪ ନିର୍ବାଚନରେ ତାଙ୍କ ଦଳ କୌଣସି ଆସନରେ ବିଜୟୀ ହୋଇନଥିଲା।
ଫେଡେ଼ରାଲ ଫ୍ରଣ୍ଟ
ମମତା ବାନାର୍ଜୀ (ଟିଏମସି)

ବିଜେପି ବିରୋଧରେ ଲଗାତର ବିଷ ଉଗାଳୁ ଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଫେଡେ଼ରାଲ ଫ୍ରଣ୍ଟ ଗଠନ ଦିଗରେ ବହୁ ଚେଷ୍ଠା କରିଛନ୍ତି। ଫ୍ରଣ୍ଟ କୌଣସି ନେତାଙ୍କୁ ନିର୍ବାଚନ ପୂର୍ବରୁ ମୁଖିଆ କରିନାହାନ୍ତି।। ଯଦି ଫେଡେ଼ରାଲ ଫ୍ରଣ୍ଟ ଟମତାକୁ ଆସେ ତେବେ ମମତା ବାନାର୍ଜୀ ପ୍ରଧାମନ୍ତ୍ରୀ ପଦବୀ ପାଇଁ ବଡ଼ ଦାବିଦାର ବୋଲି ମନେ କରାଯାଉଛି। ଗତ ନିର୍ବାଚନରେ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ୩୪ଟି ଆସନ ମିଳିଥିଲା।
ଚନ୍ଦ୍ର ବାବୁ ନାୟଡ଼ୁ (ଟିଡ଼ିପି)

ନବ ଗଠିତ ରାଜ୍ୟ ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାଗୁଥିବା ଚନ୍ଦ୍ର ବାବୁ ନାୟଡ଼ୁଙ୍କ ଟିଡ଼ିପି ବର୍ଷକ ତଳୁ ବିଜେପି ମେଣ୍ଟରୁ ଓହରିଛନ୍ତି। ନାୟଡ଼ୁ କଂଗ୍ରେସକୁ ସାଥିରେ ନେଇ ମେଣ୍ଟକୁ ବଡ଼ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ସମ୍ଭବ ହୋଇପାରୁନାହିଁ। ନିର୍ବାଚନ ପୂର୍ବରୁ ସେ ଫେଡେ଼ରାଲ ଫ୍ରଣ୍ଟରେ ଅଛନ୍ତି। ନିର୍ବାଚନ ପରେ ସେ କଂଗ୍ରେସ କିମ୍ୱା ବିଜେପିକୁ ଯିବାର ସମ୍ଭାବନା ନାହିଁ।
ପ୍ରଫୁଲ ମହନ୍ତ (ଏଜିପି)

ପ୍ରଫୁଲ ମହନ୍ତଙ୍କ ଆସାମ ଗଣ ପରିଷଦ ଓ ବିଜେପି ମଧ୍ୟରେ ଥିବା ମେଣ୍ଟ ସିଟିଜେନ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ଭାଙ୍ଗି ଯାଇଛି। ଏଜିପି ଏବେ ବିଜେପି ସହିତ ଯିବାର ସମ୍ଭାବନା ନ ଥିବାରୁ ଏହାର ନେତା ପ୍ରଫୁଲ ମହନ୍ତ ଫେଡେ଼ରାଲ ଫ୍ରଣ୍ଟ ମୁହାଁ ହୋଇଛନ୍ତି।
ଅଜିତ୍ ସିଂହ (ରାଷ୍ଟ୍ରୀୟ ଲୋକଦଳ)

ସବୁବେଳେ କ୍ଷମତା ପଛରେ ସମର୍ଥନ ଦେଉଥିବା ଜାଟ ନେତା ଅଜିତ୍ ସିଂହ ଏବେ ଏସପି-ବିଏସପି ମେଣ୍ଟରେ ଅଛନ୍ତି। ବିଜେପି ବିରୋଧରେ ପ୍ରଚାର କରିବା ପାଇଁ ୍ରଜିତ୍ ସିଂହଙ୍କୁ ତାଙ୍କ ଜାତିର ସମର୍ଥନ ରହିଛି। ଜାଟ ସଂରକ୍ଷଣ ନେଇ ଉଠିଥିବା ବିବାଦ ପରେ ସେ ବିଜେପି ସହିତ ମେଣ୍ଟ କରିବେ ନାହିଁ। କିନ୍ତୁ ତାଙ୍କ ପାଇଁ କଂଗ୍ରେସ ବିକଳ୍ପ ଖୋଲା ରହିଛି। କିନ୍ତୁ ଏବେ ସେ ଫେଡେ଼ରାଲ ଫ୍ରଣ୍ଟରେ ଅଛନ୍ତି।
ମାୟାବତୀ (ବିଏସପି)

ଦଳିତ ନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ବହୁଜନ ସମାଜ ପାର୍ଟିର ନେତ୍ରୀ ମାୟାବତୀ ଏବେ ଅଧିକ ଚର୍ଚ୍ଚାରେ ଅଛନ୍ତି। ବିଏସପି ଉତ୍ତର ପ୍ରଦେଶରେ କଂଗ୍ରେସକୁ ସାଙ୍ଗରେ ନ ନେଇ ଏସପି ସହିତ ନିର୍ବାଚନୀ ମେଣ୍ଟ କରିଛନ୍ତି। ଏହା ମାଧ୍ୟମରେ ମାୟାବତୀ ନିଜ ପାର୍ଟିର ସଂଗଠନକୁ ମଜଭୂତ କରିବା ଲକ୍ଷ୍ୟରେ ଅଛନ୍ତି। ଗତ ନିର୍ବାଚନରେ ତାଙ୍କ ଦଳ ଗୋଟିଏ ବି ଆସନରେ ବିଜୟୀ ହୋଇପାରିନଥିଲା ।
ଅଖିଳେଶ ଯାଦବ (ଏସପି)

ଗତ ଥର ନିର୍ବାଚନରେ ବଡ଼ ବିଫଳତାର ଶୀକାର ହୋଇଥିବା ଅଖିଳେଶଙ୍କ ସମାଜବାଦୀ ପାର୍ଟି ଏବେ ନିଜର ହଅତ ଗୌରବ ଫେରାଇ ଆଣିବା ପାଇଁ ମାୟାବତୀଙ୍କ ଶରଣ ପଶିଛନ୍ତି। ଚଳିତ ନର୍ବାଚନ ପାଇଁ ବିଏସପି ସହିତ ଏସପି ମେଣ୍ଟ କରିଛି। ଏସପି ଫେଡେ଼ରାଲ ଫ୍ରଣ୍ଟରେ ସାମିଲ ହେବ ବୋଲି ଆଶା କରାଯାଉଛି।
ଯେଉଁମାନେ ବିଜେପି ସହିତ ଆଦୌ ଯିବେ ନାହିଁ
ସିତାରାମ ୟେଚୁରୀ (ସିପିଏମ)

ବିରୋଧିଦଳ ମଧ୍ୟରେ ଏକତା ପାଇଁ ସିପିଏମର ନେତା ସୀତାରାମ ୟେଚୁରୀ ନ୍ୟାସନାଲ ଫ୍ରଣ୍ଟରେ ପ୍ରମୁଖ ଭୂମିକା ବହନ କରିବାକୁ ଇଛା ବ୍ୟକ୍ତ କରୁଛନ୍ତି। କିନ୍ତୁ ସେ ଖୋଲା ଖୋଲି ଭାବେ ଏହାର ନେତୃତ୍ୱ ନେଇ ପାରିବେ ନାହିଁ। କାରଣ କେରଳରେ ସିପିଏମର ବିରୋଧ କଂଗ୍ରେସ ସହିତ ଥିବାବେଳେ ପଶ୍ଚିମବଙ୍ଗରେ ମେଣ୍ଟ ହୋଇପାରେ। ଗତ ନିର୍ବାଚନରେ ସିପିଏମକୁ ୯ଟି ଆସନ ମିଳିଥିଲା।
ମେହେବୁବା ମୁଫତି (ପିଡ଼ିପି)

୨୦୧୮ ଜୁନ ମାସରେ ଜମ୍ମୁ-କାଶ୍ମୀରରେ ବିଜେପି ମେଣ୍ଟ ଭାଙ୍ଗି ପିଡିପିକୁ ଝଟକା ଦେଇଛି। ଆତଙ୍କବାଦୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଥିବା ମେହେବୁବା ବିଜେପି କିମ୍ୱା ନ୍ୟାସନାଲ କନପରେନ୍ସକୁ ସମର୍ଥନ କରିବ ନାହିଁ। ଗତ ନିର୍ବାଚନରେ ପିଡ଼ିପିକୁ ୩ଟି ଆସନ ମିଳିଥିଲା।
ଅରବିନ୍ଦ କେଜ୍ରିୱାଲ (ଆପ)

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସହିତ ମେଣ୍ଟ କରିବା ପାଇଁ ଆପ ନେତା କେଜ୍ରିୱାଲ ଚେଷ୍ଠାରେ ଅଛନ୍ତି। ସେ ବିଜେପି ମେଣ୍ଟକୁ ଯିବେ ନାହିଁ। ଏପରିକି କଂଗ୍ରେସ ସହିତ ତାଙ୍କର ଅଙ୍କ କଷା ହୋଇପାରୁନାହିଁ। ଗତ ନିର୍ବାଚନରେ ତାଙ୍କ ଦଳ ୪ଟି ଆସନରେ ବିଜୟୀ ହୋଇଥିଲା।
ନିର୍ବାଚନ ପରେ ଯେ କୌଣସି ମେଣ୍ଟକୁ ଯାଇପାରୁଥିବା ନେତା
କେ. ଚନ୍ଦ୍ରଶେଖର ରାଓ

ତେଲେଙ୍ଗାନା ରାଷ୍ଟ୍ର ସମିତି ପାର୍ଟିର ନେତା କେ. ଚନ୍ଦ୍ରଶେଖର ରାଓ ଏବେ କୌଣସି ମେଣ୍ଟ ସହିତ ନାହାଁନ୍ତି। ନିର୍ବାଚନ ପରେ ଯେଉଁ ଦଳ ତାଙ୍କ ରାଜ୍ୟର ଉନ୍ନତି ପାଇଁ ଗୁରୁତ୍ୱ ଦେବ ସେହି ଦଳକୁ ସରକାର ଗଠନ ଦିଗରେ ଶ୍ରୀ ରାଓ ସମର୍ଥନ ଦେଇପାରନ୍ତି। ଗତ ନିର୍ବାଚନରେ ତାଙ୍କ ଦଳକୁ ୧୧ଟି ଆସନ ମିଳିଥିଲା।
ନବୀନ ପଟ୍ଟନାୟକ (ବିଜେଡି଼)

ଟିଆରଏସ ଭଳି ଓଡ଼ିଶାର ବିଜେଡ଼ି ମଧ୍ୟ ଏବେ କୌଣସି ମେଣ୍ଟରେ ସାମିଲ ହୋଇନାହିଁ। ଓଡ଼ିଶାରେ ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହେବାକୁ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ସେ କାହାକୁ ବି ସମର୍ଥନ ଦେିପାରନ୍ତି। ଗତ ନିର୍ବାଚନରେ ବିଜେଡ଼ିକୁ ୨୦ଟି ଆସନ ମିଳିଥିଲା।
ଜଗନ ମୋହନ ରେଡ୍ଡି (ୱାଇଏସର କଂଗ୍ରେସ)

ଟିଡ଼ିପି ଯେଉଁ ଫ୍ରଣ୍ଟରେ ସାମିଲ ହେବ ସେଥିରେ ଜଗନ ମୋହନଙ୍କ ଦଳ ସାମିଲ ହେବ ନାହିଁ। ନିଜର ସର୍ତ୍ତ ସହିତ ସେ ଆବଶ୍ୟକ ପନିଲେ ବିଜେପି କିମ୍ୱା କଂଗ୍ରେସକୁ ସମର୍ଥନ କରି ପାରନ୍ତି।
ଓମପ୍ରକାଶ ଚୌଟାଲା (ଆଇଏନଏଲଡ଼ି)

ପାରିବାରିକ କନ୍ଦଳ କାରଣରୁ ଚୌଟାଲଙ୍କ ପାର୍ଟି ଏବେ ଠିକରେ ଚାଲୁନାହିଁ। ତାଙ୍କ ପୁଅ ଅଜୟ ଚୌଟଲା ଅଲଗା ହୋଇ ଜେଜେପି ଗଠନ କରିଛନ୍ତି। ଚୌଟାଲା ପରିବାର ଦୁଇଟି ଯାକ ଦଳ ବିଜେପି ସହିତ ଯାଇପାରନ୍ତି।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :