ନିର୍ବାଚନ ବ୍ୟୟ ରେକର୍ଡ଼ ଭାଙ୍ଗିବ
ବିଶ୍ୱର ଅନ୍ୟତମ ବ୍ୟୟବହୁଳ ନିର୍ବାଚନ ବିଶ୍ୱର ବୃହତ୍ତ ଗଣତନ୍ତ୍ରରେ ହେଉଥିବା ସାଧାରଣ ନିର୍ବାଚନ ହେଉଛି ବିଶ୍ୱର ସବୁଠାରୁ ବ୍ୟୟବହୁଳ ନିର୍ବାଚନ। ଏପ୍ରିଲ ୧୧ ତାରିଖଠାରୁ ଲୋକସଭା ନିର୍ବାଚନ ୬ ସପ୍ତାହ ଅର୍ଥାତ ମେ ୧୯ରେ ଶେଷ ହେବ। ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିଲାବେଳେ ମେ ୨୩ ରେ ଘୋଷଣ ହେବ ଫଳାଫଳ। ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର ମିଡିଆ ଷ୍ଟଡିଜ ରିପୋର୍ଟ ଅନୁସାରେ ଏଥର ନିର୍ବାଚନୀ ପ୍ରକ୍ରିୟାରେ ପାଖାପାଖି ୬୦ ହଜାର କୋଟି ଖର୍ଚ୍ଚ ହେବ।
ଆମେରିକା ରାଜନୀତିରେ ଟଙ୍କାର ହିସାବ ପତ୍ର ରଖୁଥିବା ଓପନ ସିକ୍ରେଟ.ଓଆରଜି ଅନୁସାରେ ୨୦୧୬ ନିର୍ବାଚନରେ ଆମେରିକାରେ ଖର୍ଚ୍ଚ ହୋଇଥିଲା ୬.୫ ଅରବ ଡଲାର ଅର୍ଥାତ ୪ ହଜାର କୋଟି ଟଙ୍କା। ତେଣୁ ଭାରତୀୟ ନିର୍ବାଚନ ଆମେରିକା ନିର୍ବାଚନଠାରୁ ମଧ୍ୟ ବ୍ୟୟବହୁଳ। ସେଣ୍ଟର ଫର ମିଡିଆ ଷ୍ଟଡିଜର ଆକଳନ ଅନୁସାରେ୨୦୧୪ ଲୋକସଭା ନିର୍ବାଚନରେ ଦେଶରେ ୫ ଅରବ ଡଲାର ଅର୍ଥାତ ୫୦୦ କୋଟି ଡଲାର ଖର୍ଚ୍ଚ ହୋଇଥିଲା। ତେଣୁ ୨୦୧୯ ନିର୍ବାଚନରେ ଖର୍ଚ୍ଚ ମାତ୍ରା ୪୦ ପ୍ରତିଶତ ବୃଦ୍ଧି ପାଇବ। ପ୍ରତି ଭୋଟରଙ୍କ ମୁଣ୍ଡପିଛା ଖର୍ଚ୍ଚ ଦେଖିଲେ ପଡ଼ୁଛି ୮ ଡଲାର। ହେଲେ ଭାରତ ହେଉଛି ଏପରି ଦେଶ ଯାହାର ୬୦ ପ୍ରତିଶତ ଜନସଂଖ୍ୟା ଦୈନିକ ମାତ୍ର ୩ ଡଲାରରେ ଜୀବନଯାପନ କରନ୍ତି।
ସୋସିଆଲ ମିଡିଆ ବାବଦରେ ବଢ଼ୁଛି ଖର୍ଚ୍ଚ

ମିଡିଆ ଷ୍ଟଡିଜର ଅଧ୍ୟକ୍ଷ ଏନ ଭାସ୍କର ରାଓଙ୍କ କହିବା ଅନୁସାରେ ଖର୍ଚ୍ଚ ମାତ୍ରାରେ ସର୍ବାଧିକ ବୃଦ୍ଧି ସୋସିଆଲ ମିଡିଆ, ପ୍ରଚାର ଯାତ୍ରା ଏବଂ ବିଜ୍ଞାପନ ବାବଦରେ ହେବ। ରାଓଙ୍କ କହିବାନୁସାରେ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ସୋସିଆଲ ମିଡିଆ ବାବଦ ଖର୍ଚ୍ଚରେ ବଡ଼ ବୃଦ୍ଧି ଦେଖିବାକୁ ମିଳିବ। ଗତବର୍ଷ ପାଖାପାଖି ୨୫୦ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହୋଇଥିବାବେଳେ ଏଥର ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇପାରେ ସୋସିଆଲ ମିଡିଆ ପାଇଁ।
ରାଓଙ୍କ ଏହି ରିପୋର୍ଟ ତାଙ୍କ ମାର୍କେଟ ରିସର୍ଚ୍ଚ ଗ୍ରୁପ କ୍ଷେତ୍ରୀୟ ଅନୁଧ୍ୟାନ, ସରକାରୀ ତଥ୍ୟ ଏବଂ ଅନ୍ୟ ଗବେଷଣାତ୍ମକ ତଥ୍ୟକୁ ଆଧାର କରି ପ୍ରସ୍ତୁତ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏଥର ନିର୍ବାଚନରେ ହେଲିକାପ୍ଟର ବାବଦ ଖର୍ଚ୍ଚ, ବସ,କାର ଭଡ଼ା, ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କ ଯାତ୍ରା ବାବଦରେ ହେଉଥିବା ବ୍ୟୟ ମାତ୍ରାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିବ।
ଭାରତର ନିର୍ବାଚନ ଉପରେ ଦୃଷ୍ଟି ରଖୁଥିବା କଲମ୍ୱିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସାଇମନ ଚାଚର୍ଡ଼ କହିଛନ୍ତି ଯେ ପ୍ରକୃତରେ କେତେ ଖଚ୍ଚ ହେବ ତାହାର ଆକଳନ କରିବା କଷ୍ଟସାଧ୍ୟ। ହେଲେ ଏହା ସତ ଯେ ପୂର୍ବ ନିର୍ବାଚନ
ତୁଳନାରେ ଏଥର ଖର୍ଚ୍ଚ ମାତ୍ରା ନିଶ୍ଚିତ ବଢ଼ିବ। କାରଣ ନିର୍ବାଚନୀ କ୍ଷେତ୍ର ବଢ଼ିଛି, ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ରାଜନେତାମାନେ ମଧ୍ୟ ଅନୁଭବ କରିଛନ୍ତି ଯେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ, ନିଜ ଆଡ଼କୁ ଭିଡ଼ିବା ପାଇଁ କିଛି ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ହେବ। ସେ କହିଛନ୍ତ ନିର୍ବାଚନରେ କେବଳ ପ୍ରାର୍ଥୀମାନେ ପଇସା ଖର୍ଚ୍ଚ କରିନଥାନ୍ତି ବରଂ ନିର୍ବାଚନ ପ୍ରଚାରରେ ବ୍ୟବହାର ହେଉଥିବା ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀକୁ ବଜାରକୁ ଆଣିବା ପାଇଁ ବ୍ୟବସାୟୀମାନେ ମଧ୍ୟ ଅର୍ଥ ଖର୍ଚ୍ଚ କରିଥାନ୍ତି।
ଖାଲି ଟଙ୍କା ନୁହେଁ ଅନ୍ୟ ଉପହାର

୫୪୩ଟି ଆସନ ପାଇଁ ଏଥର ମଇଦାନକୁ ଆସିପାରନ୍ତି ୮ହଜାରରୁ ଅଧିକ ପ୍ରାର୍ଥୀ। ତେଣୁ ବିଜୟ ହାସଲ କରିବା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭରା। ସିକ୍ରେଟ ବାଲାଟ କାରଣରୁ ଲାଞ୍ଚ ଦେଲେ ମଧ୍ୟ ଭୋଟ ମିଳିବାର ଗ୍ୟାରେଣ୍ଟି ନଥାଏ। ଚାଚର୍ଡଙ୍କ ଅନୁସାରେ ମତଦାତା ଉପହାର ପାଇବା ପରେ ଏହା ଧରିନେଇଥାନ୍ତି ଯେ ପ୍ରାର୍ଥୀ ଭାରି ପ୍ରଭାବି ଏବଂ ଧନୀକ ଶ୍ରେଣୀର।

ଏକ ସର୍ଭେ ଅନୁସାରେ ଅଧିକାଂଶ ଭାରତୀୟ ନେତାଙ୍କ ଯୁକ୍ତି ହେଉଛି ଯେ ନଗଦ ଟଙ୍କା, ମଦ, ଭୋଜି ପାଇଁ ଛେଳି ଦେବା ଦ୍ୱାରା ଭୋଟରଙ୍କ ମନୋବଳ ପ୍ରଭାବିତ ହୋଇଥାଏ। ସେମାନେ ଏହି ସୁବିଧା ପାଇଥିବାରୁ ଏକପ୍ରକାର ଭୋଟ ଦେବାକୁ ବାଧ୍ୟ ହୋଇଥାନ୍ତି। କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଜେନିଫର ବଶେଲଙ୍କ କହିବାନୁସାରେ ଭାରତରେ ମଧ୍ୟ ନେତାମାନେ ଭୋଟ ପାଇ ଟିଭି ସେଟଠାରୁ ଆରମ୍ଭ କରି ଛେଳି ପର୍ଯ୍ୟନ୍ତ ବାଣ୍ଟିଥାନ୍ତି। ଗତବର୍ଷ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କ, ସୁନା, ମଦ ଓ ଡ୍ରଗସ ଜବତ ହୋଇଥିଲା। ନିୟମ ଅନୁସାରେ ଯଦିଓ ପ୍ରାର୍ଥୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ଖର୍ଚ୍ଚର ନିର୍ଦ୍ଦେଶ ରହିଥାଏ ତେବେ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କ ଆଖିରେ ଧୂଳି ଦେଇ ମନଇଚ୍ଛା ଅର୍ଥ ଖର୍ଚ୍ଚ କରିଥାନ୍ତି।
ଭୋଟ ପ୍ରଚାର ସମୟରେ ଆଉ ଏକ ବଡ଼ ଖର୍ଚ୍ଚ ହେଉଛି ଖାଇବା ପିଇବା। ଏବେ ଭୋଟର ଆଉ ସାଧାରଣ ଖାଇବା ଉପରେ ରୁଚି ରଖୁନାହାଁନ୍ତି। ଭୋଟ ପାଇଁ ହେଉଥିବା ଭୋଜିରେ ମଦ ମାଂସର ଆସର ଜମୁଛି। କେଉଁଠି ବିରିୟାନି ତ କେଉଁଠି କୁକୁଡ଼ା ତରକାରୀ ପରଷାଯାଉଛି। ବିଭିନ୍ନ କ୍ଳବକୁ ଖେଳ ଉପକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଟଙ୍କା ଓ ଅନ୍ୟ ସାମଗ୍ରୀ ବଣ୍ଟା ଯାଉଛି। ସଭା ପାଇଁ ବାଣ, ଚୌକି, ପ୍ରଚାର ପ୍ରସାର ଗାଡ଼ି ମୋଟର ବାବଦରେ ତେ ଖର୍ଚ୍ଚ ମଧ୍ୟ ବଜେଟକୁ ବଢ଼ାଉଛି।
ବିଜ୍ଞାପନ ଖର୍ଚ୍ଚ

ଜେନିଥ ଇଣ୍ଡିଆ ରିପୋର୍ଟ ଅନୁସାରେ ଆସନ୍ତା ନିର୍ବାଚନରେ ବିଜ୍ଞାପନ ବାବଦରେ ୨୬ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। ୨୦୧୪ ନିର୍ବାଚନରେ ଦେଶର ୨ ପ୍ରମୁଖ ଦଳ ବିଜ୍ଞାପନ ବାବଦରେ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିଥିବାର କୁହାଯାଉଛି। ଏଥର ଏହା ୨ ଗୁଣା ବଢ଼ିପାରେ। ଜେନିଥର ରିପୋର୍ଟ ଅନୁସାରେ ଗତ ଫେବୃଆରୀ ମାସରେ କେବଳ ଫେସବୁକରେ ରାଜନୈତିକ ବିଜ୍ଞାପନ ପାଇଁ ୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ପଟେ ଦେଶର ବଜେଟରେ ଚଳିତ ଆର୍ଥିକ ବର୍ଷରେ ନିର୍ବାଚନ ଆୟୋଗଙ୍କ ପାଇଁ ୨.୬୨ ଅରବ ଟଙ୍କା ଅର୍ଥାତ ୨୬୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯାହା ମଧ୍ୟ ଏକ ରେକର୍ଡ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :