୧ ନଂ ହାଟ ଘୁଞ୍ଚିଲା

ଭୁବନେଶ୍ୱର (ଓଟି): କଲବଲ କରିସାରିଲାଣି କରୋନା। ସାରା ବିଶ୍ଵକୁ କନ୍ଦାଇ ସାରିଲାଣି ମହାମାରୀ ଭୂତାଣୁ। ଏହାକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ ସରକାର ସୁରକ୍ଷା ଓ ସତର୍କତା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆବଶ୍ୟକ ଦୃଷ୍ଟିରୁ ଭୁବନେଶ୍ଵର ୧ ନମ୍ବର ହାଟ ଘୁଞ୍ଚିଛି। ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଉଦ୍ୟମ କରାଯାଉଥିବାବେଳେ ହାଟରେ ଜନଗହଳି ହେଉଥିବାରୁ ବିଏମସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପରିବା ଦୋକାନଗୁଡ଼ିକୁ ରାଜମହଲ-ଏଜି ରାସ୍ତା କଡ଼କୁ ଉଠାଯାଇଛି ।

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ନିତାନ୍ତ ଆବଶ୍ୟକ । ଏହାକୁ ନେଇ ପ୍ରଶାସନ ଲୋକଙ୍କୁ ସଚେତନ କରୁଥିବା ବେଳେ ଏକ ନମ୍ବର ହାଟର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ସକାଳୁ ସନ୍ଧ୍ୟା ଯାଏ ଲୋକଙ୍କ ଗହଳି ଲାଗି ରହିବା ଯୋଗୁଁ ପ୍ରଶାସନର ଚିନ୍ତା ବଢ଼ିଯାଇଥିଲା। ତେଣୁ ଆସନ୍ତା ୪୫ ଦିନ ପାଇଁ ରାଜମହଲରୁ ଏଜି ରାସ୍ତାକଡ଼ରେ ନିର୍ଦ୍ଧିଷ୍ଟ ଦୂରତାରେ ପରିବା ଦୋକାନୀମାନେ ବସିବେ। ଫଳରେ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିପାରିବେ। ସେହିପରି ଆଉ କେତେକ ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ ପଡ଼ଆରେ ମଧ୍ୟ ବସିବେ। ଗୋଟିଏ ଦୋକାନୀ ଅନ୍ୟ ଦୋକାନୀଠାରୁ ସର୍ବନିମ୍ନ ୮ଫୁଟ ଦୂରତାରେ ବସିବେ। ସେହିପରି ଗ୍ରାହକମାନଙ୍କ ପାଇଁ ୩ଫୁଟ ଦୂରତା ଅବଲମ୍ବନ କରିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସମସ୍ତେ ଗାଇଡ୍‌ ଲାଇନ୍‌ ମାନିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *