ରେଳ ଡିବାରେ ହେବ କରୋନା ଚିକିତ୍ସା: ପୂର୍ବତଟ ରେଳପଥର ୨୬୧ କୋଚ୍ ହେବ ରୂପାନ୍ତରଣ
ଭୁବନେଶ୍ଵର, (ଓଟି): କୋଭିଡ଼୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ରେଳ ଡିବାରେ କରୋନା ଚିକିତ୍ସା କରାଇବା ଲାଗି ମନସ୍ଥ କରିଛନ୍ତି। ଏହାଦ୍ଵାରା ଦେଶରେ ଡାକ୍ତରଖାନା ଶଯ୍ୟା ସମସ୍ୟା ଦୂର ହୋଇପାରିବ। ଯଦି ନିଆଯାଉଥିବା ପ୍ରତିରୋଧମୂଳକ ପଦକ୍ଷେପଗୁଡ଼ିକ କାମ ନକରେ ତେବେ ସରକାର ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ସ୍ଵରୂପ ଟେଅନ୍କୁ ବ୍ୟବହାର କରିବେ ବୋଲଇ ସ୍ଥିର କରିଛନ୍ତି। ଏହିକ୍ରମରେ ୫୦୦୦ ରୋଳକୋଚ୍କୁ ଆବଶ୍ୟକସୁବିଧା ଯୋଗାଇବା ଲାଗି କରୋନା କୋଚ୍ରେ ପରିଣତ କରାଯାଉଛି। ଯେଉଁଠାରେ ଏକାନ୍ତବାସ ଓ ପୃଥକବାସ ସୁବିଧାଉପଲବ୍ଧ ହୋଇପାରିବ। ପୂର୍ବ ତଟ ରେଳପଥ ୨୬୧ କୋଚ୍କୁ ଏଥିଲାଗି ପ୍ରସ୍ତୁତ କରୁଛି। ମଞ୍ଚେଶ୍ୱର, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣାଠାରେ ଏହି ପ୍ରସ୍ତୁତି ଚାଲିଛି। ଯେତେବଳେ କୋଚ୍ଗୁଡ଼ିକ ପ୍ରସ୍ତୁତ ହେବେ ସେଗୁଡ଼ିକୁ ଆବଶ୍ୟକ ସ୍ଥାନରେ ମୁତ୍ତୟନ କରାଯିବ ବୋଲି ପୂର୍ବତଟ ରେଳବାଇପକ୍ଷରୁ କୁହାଯାଇଛି। ଏହି କୋଚ୍ ଗୁଡ଼ିକରେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ଉପକରଣ ସହ ମେଡ଼ିକାଲ୍ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ଦେଶରେ କୋଭିଡ଼୍-୧୯ ସଂକ୍ରମଣକୁ ରୋକିବା ନିମନ୍ତେ ଭାରତୀୟ ରେଳପଥ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଛି । ନିୟମିତ ଭାବେ ଆବଶ୍ୟକୀୟ ପଦାର୍ଥର ପରିବହନ, ଗରିବ ଲୋକଙ୍କୁ ଖାଦ୍ୟପଦାର୍ଥ ଯୋଗାଣ, ମାସ୍କ ଓ ସାନିଟାଇଜରର ତିଆରିକରିବା ଇତ୍ୟାଦି ବ୍ୟତୀତ ଭାରତୀୟ ରେଳପଥ ବର୍ତ୍ତମାନ ଏହାର ଟ୍ରେନ୍ କୋଚ୍ଗୁଡ଼ିକୁ ସଂଗରୋଧ/ପୃଥକୀକରଣ ପାଇଁ ବ୍ୟବହାର କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛି ।
ଏହାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ୨୬୧ କୋଚ୍କୁ ରୂପାନ୍ତର କରି ସଂଗରୋଧ / ପୃଥକୀକରଣ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରୁଛି। ଏହି ରୂପାନ୍ତର ପୂର୍ବ ତଟ ରେଳପଥର ପରିସୀମାରେ ଥିବା ବିଭିନ୍ନ କୋଚିଙ୍ଗ୍ ଡିପୋ ଓ କାରଖାନାରେ କରାଯିବ । ମଞ୍ଚେଶ୍ୱର ରେଳ ଡବା କାରଖାନା କରିବ ୫୧ଟି କୋଚ୍, ପୁରୀ କୋଚିଙ୍ଗ୍ ଡିପୋ କରିବ ୩୯ଟି କୋଚ୍, ଭୁବନେଶ୍ୱର କୋଚିଙ୍ଗ୍ ଡିପୋ କରିବ ୪୬ ଟି କୋଚ୍, ସମ୍ବଲପୁର କରିବ ୩୨ଟି କୋଚ୍, ଖୋର୍ଦ୍ଧାରୋଡ଼ କରିବ ୩୩ଟି କୋଚ୍ ଏବଂ ବିଶାଖାପାଟଣା କରିବ ୬୦ଟି କୋଚ୍ର ରୂପାନ୍ତର କରିବ ।
ଏପ୍ରିଲ-୨ ତାରିଖ ସୁଦ୍ଧା ୨୩ଟି କୋଚ୍ର ରୂପାନ୍ତର ହୋଇ ସାରିଛି । ସେଗୁଡ଼ିକ ମଧ୍ୟରେ ମଞ୍ଚେଶ୍ୱର ଓ ଖୋର୍ଦ୍ଧାରୋଡ଼ରେ ଗୋଟିଏ ଲେଖାଏଁ, ପୁରୀରେ ପାଞ୍ଚଟି, ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଛଅଟି ଲେଖାଏଁ ଏବଂ ବିଶାଖାପାଟଣାରେ ୪ଟି କୋଚ୍ ।
ଜଣେ ବ୍ୟକ୍ତିର ଏଥି ନିମନ୍ତେ ଯାହା ଅବଶ୍ୟକୀୟ ସେବା ଏହି କୋଚ୍ରେ ପରିବର୍ତ୍ତନ କରି କରାଯାଇଛି । ଝରକା ନିକଟରେ ମଶାରୀ, ଗୋଟିଏ କୋଚ୍ରେ ଗୋଟିଏ ଗାଧୁଆଘର ଏବଂ ତିନିଟି ପାଇଖାନାର ବ୍ୟବସ୍ଥା, ମଝି ସିଟ୍କୁ ବାହାର କରାଯିବା, ଗୋଟିଏ କୋଚରେ ୬ଟି ଲିକୁଇଡ଼୍ ସାବୁନ, ଡିସପେନ୍ସର, ୪ଟି ବୋତଲ ହୋଲଡର, ପ୍ରତ୍ୟେକଟି କୋଚ୍ ମଧ୍ୟରେ ୩ଟି ଡଷ୍ଟବିନ୍, ଲାପଟପ୍ ଓ ମୋବାଇଲ ଚାର୍ଜିଙ୍ଗ୍ ସୁବିଧା, ତକିଆ ଏବଂ ବେଡ଼୍ସିଟ୍, ଗମନାଗମନ ପଥରେ ଦୁଇପଟରୁ ପ୍ଲାଷ୍ଟିକ୍ ପର୍ଦା, ଗାଧୁଆଘରେ ମଗ୍ ଓ ବାଲ୍ଟି ଇତ୍ୟାଦି ଯୋଗାଇ ଦିଆଯିବ ।
ଏହି ସୁବିଧା ବ୍ୟତୀତ ଆବଶ୍ୟକୀୟ ମେଡିକାଲ୍ ସୁବିଧା ଯଥା ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ । ପ୍ରତ୍ୟେକ କୋଚ୍ର ପ୍ରଥମ କ୍ୟାବିନ୍ ଭଣ୍ଡାରଘର / ପାରାମେଡ଼ିକ ଅଞ୍ଚଳ ଏବଂ ଅନ୍ୟ କେବିନ୍ ଗୁଡ଼ିକ ରୋଗୀମାନଙ୍କ ପାଇଁ ବ୍ୟବହାର କରାଯିବ ।
ଏହି କୋଚ୍ ଗୁଡ଼ିକ ରୂପାନ୍ତର ହେବା ପରେ ଏହାକୁ ଟ୍ରେନ୍ ରୂପରେ ବିଭିନ୍ନ ଷ୍ଟେସନ୍ରେ ରଖାଯିବ ଯେଉଁଠାରେ ମେଡିକାଲ୍ ସୁବିଧା ଉପଲବ୍ଧ ହେଉଥିବ । ଭୁବନେଶ୍ୱର-୩ଟି ଟ୍ରେନ୍, ଖୋର୍ଦ୍ଧାରୋଡ଼୍ରେ-୨ଟି ଟ୍ରେନ୍, ଟିଟିଲାଗଡ଼-୧ଟି ଟ୍ରେନ୍, ବିଶାଖାପାଟଣାରେ ୩ଟି ଟ୍ରେନ୍, ବିଜୟନଗରମ୍ରେ ୧ଟି ଟ୍ରେନ୍, କଟକରେ ୧ଟି ଟ୍ରେନ୍ ଏବଂ ପୁରୀରେ ୨ଟି ଟ୍ରେନ୍ ରଖାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପ୍ରିଲ-୧୫ ସୁଧା ଏହି କୋଚ୍ଗୁଡ଼ିକର ରୂପାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ ରଖାଯାଇଛି । ପୂର୍ବ ତଟ ରେଳପଥ ତା\’ର ସମସ୍ତ ସାଧନ ବିନିଯୋଗ କରି ଏହି କାର୍ଯ୍ୟପୁରଣ କରିବାକୁ ନିଷ୍ପତ୍ତି ନେଇଛି ।