ଟ୍ରମ୍ପ୍ ଆସିବେ ବୋଲି… ଅର୍ଥନୀତିଜ୍ଞ ଆଶାବାଦୀ

ନୂଆଦିଲ୍ଲୀ(ଓଟି): ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଆସନ୍ତା ୨୪ରେ ଭାରତ ଆସିବାର ସ୍ଥିର ହୋଇଛି। ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଅର୍ଥନୀତିଜ୍ଞ ମହଲ ବିଶେଷ ଆଶାବାଦୀ ରହିଥିବା ସୂଚନା ମିଳିଛି।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ କାରବାର ଏବଂ ଶୁଳ୍କ ବ୍ୟବସ୍ଥାକୁ ନେଇ ମତ ପାର୍ଥକ୍ୟ ରହିଥିବାବେଳେ ସେସବୁର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି। ସେହିପରି ବାଣିଜ୍ୟିକ ପ୍ରତିବନ୍ଧକ ହଟିବା ସହ ତୈଳ, ଗ୍ୟାସ୍ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କାରବାର ବୃଦ୍ଧି ପାଇଁ ଦୁଇଦେଶର ପ୍ରମୁଖ ଚୁକ୍ତି ସ୍ୱାକ୍ଷର କରିପାରନ୍ତି ବିଶେଷଜ୍ଞ ମହଲରେ ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଭାରତୀୟ ରପ୍ତାନି କ୍ଷେତ୍ର ଆଗାମୀ ଦିନରେ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି ପାଇଁ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ତେଣୁ ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦ ହଟାଇବାକୁ ମୋଦୀ ଓ ଟ୍ରମ୍ପ ଉଦ୍ୟମ କରିବେ ବୋଲି କେୟାର ରେଟିଂ ପକ୍ଷରୁ କୁହାଯାଇଛି। ୨୦୧୯ରେ ଭାରତର ମୋଟ ରପ୍ତାନିର ପ୍ରାୟ ୧୬ ପ୍ରତିଶତ କେବଳ ଆମେରିକାକୁ ରପ୍ତାନି କରାଯାଇଥିଲା ବେଳେ ଆମେରିକାର ଦ୍ୱିତୀୟ ବୃହତ ଆମଦାନୀକାରୀ ରାଷ୍ଟ୍ର ଭାବେ ଭାରତ ୬.୯ ପ୍ରତିଶତ ଆମଦାନି କରିଥିଲା। ସମ୍ପ୍ରତି ଦୁଇଦେଶ ପାଇଁ ଅନୁକୂଳ ପରିସ୍ଥିତି ରହିଥିବା ୟୁଏସ୍‌-ଇଣ୍ଡିଆ ପଲିସି ଷ୍ଟଡି ପକ୍ଷରୁ ରିଚାର୍ଡ ରୋସୋ କହିଛନ୍ତି।

Leave a Reply

Your email address will not be published. Required fields are marked *