ବଢ଼ିବ ମାନୁଫାକ୍ଚରିଂ ଚାହିଦା
ମୁମ୍ବାଇ(ଓଟି): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତଥା ଶେଷ ତ୍ରୈମାସିକ(ଜାନୁଆରୀ-ମାର୍ଚ୍ଚ)ରେ ମାନୁଫାକ୍ଚରିଂ କ୍ଷେତ୍ରରେ ସର୍ବାଧିକ ଚାହିଦା ସୃଷ୍ଟି ହେବା ସହିତ ଏକ୍ଷେତ୍ରର ଅଭିବୃଦ୍ଧି ଉଲ୍ଲେଖଜନକ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ୨୦୧୯ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି କ୍ଷେତ୍ରକୁ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସର୍ଭେ କରାଯାଇଥିଲା ବେଳେ ଏଥିରେ ୭୭୫ଟି ଉଦ୍ୟୋଗଙ୍କୁ ସାମିଲ କରାଯାଇଥିଲା। ବିଶେଷକରି ସେମାନଙ୍କ ଉତ୍ପାଦନ ଚାହିଦା, ରପ୍ତାନି ସମେତ ଅନ୍ୟାନ୍ୟ ଉତ୍ପାଦନ ଭିତ୍ତିକ ତଥ୍ୟକୁ ନେଇ ସର୍ଭେ କରାଯାଇଥିଲା। ତେବେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ମାନୁଫାକ୍ଚରିଂ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଏହାର ଇଣ୍ଡଷ୍ଟ୍ରିଆଲ ଆଉଟ୍ଲୁକ୍ ସର୍ଭେ(ଆଇଓଏସ୍) ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ମାନ୍ଦାବସ୍ଥାକୁ ନେଇ ୨୦୧୯-୨୦ ଆର୍ଥିକ ବର୍ଷରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା କ୍ଷେତ୍ରଟି ହେଲା ମାନୁଫାକ୍ଚରିଂ। ଦେଶର ସାମଗ୍ରିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଏହି କ୍ଷେତ୍ରରେ ବଳିଷ୍ଠ ଭୂମିକା ରହିଥିବା ବେଳେ ଚଳିତ ବର୍ଷ ଏହି କ୍ଷେତ୍ରର ଅବନତିକୁ ନେଇ ହାରାହାରି ଅଭିବୃଦ୍ଧି ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି। ତେବେ ମାନ୍ଦାବସ୍ଥାକୁ ମୁକାବିଲା କରିବା ସହ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହାର ପ୍ରଭାବ ମାନୁଫାକ୍ଚରି କ୍ଷେତ୍ରରେ ଦେଖାଯାଇଛି। ସୂଚନାଯୋଗ୍ୟ ଯେ ଗତ ଜାନୁଆରୀରେ ଏହି କ୍ଷେତ୍ରରେ ସର୍ବାଧିକ ଚାହିଦା ସୃଷ୍ଟି ହେବା ସହ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ(ପିଏମ୍ଆଇ) ସ୍ଥିତି ୫୫.୩ ଛୁଇଁଛି । ଯାହାକି ବିଗତ ୮ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି କୁହାଯାଇଛି।











