ଉତ୍ତରାଧିକାରୀ ସୂତ୍ରରେ ନାରୀ ନେତ୍ରୀ

୨୦୧୯ ନିର୍ବାଚନରେ ରାଜ୍ୟର ବରିଷ୍ଠ ନେତାମାନଙ୍କ ପୁଅମାନେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଅଣ୍ଟାଭିଡ଼ି ବାହାରିଥିବାବେଳେ ନେତାଙ୍କ ଝିଅମାନେ ବି ପଛରେ ପଡ଼ି ନାହାନ୍ତି। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବା ଲକ୍ଷ୍ୟରେ କିଛି ନେତାଙ୍କ ଝିଅମାନେ ବିଭିନ୍ନ ରାଜନୈତିକ ଦଳରୁ ଟିକେଟ ନେବା ଦୌଡ଼ରେ ସାମିଲ ହୋଇଛନ୍ତି। ଏମାନଙ୍କ ଭିତରେ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିଜେପିରୁ, ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ ବିଜେଡ଼ିରୁ, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକ ବିଜେପିରୁ, ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକ ବିଜେଡ଼ିରୁ, ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା ବେହେରା କଂଗ୍ରେସରୁ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।

ଏହି ନାରୀ ନେତ୍ରୀମାନଙ୍କୁ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏମାନେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କୁହାଯାଉଛି। ଉଦୀୟମାନ ନାରୀ ନେତ୍ରୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୪ ନିର୍ବାଚନରେ ମଧ୍ୟ ଏହି ନାଁକୁ ନେଇ ଚର୍ଚ୍ଚା ହୋଇଥିଲା।

ବ୍ରହ୍ମଗିରିରେ ଲୁଲୁଙ୍କ ଝିଅ ଉପାସନା

କଂଗ୍ରେସର ନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ତାଙ୍କ ଝିଅ ଉପାସନାଙ୍କୁ ୨୦୧୪ ନିର୍ବାଚନ ପ୍ରଚାର ମଇଦାନରେ ବ୍ରହ୍ମଗିରିରେ ଦେଖିବାକୁ ମିଳିଥିଲା। ଝିଅ ମାଧ୍ୟମରେ ଯୁବ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉପାସନାଙ୍କୁ ସାଙ୍ଗରେ ଧରି ବ୍ରହ୍ମଗିରିରେ ଗାଁଗୁ ଗାଁ ବୁଲୁଥିଲେ ଲୁଲୁ। କେବଳ ସେତିକି ନୁହେଁ ଏହି ପ୍ରଚାର ମାଧ୍ୟମରେ ଲୁଲୁ ନିର୍ବାଚନ ମଣ୍ଡଳୀ ସହିତ ଝିଅକୁ ପରିଚିତ କରାଇଥିଲେ। ଯାହାକି ଏବେ ମତଦାତା ଓ ସମର୍ଥକମାନଙ୍କ ସହିତ ସମ୍ପର୍କ ବଢ଼ାଇବା ଉପାସନାଙ୍କ ପାଇଁ ସହଜ ହେବାକୁ ଯାଉଛି।

ଲୁଲୁଙ୍କ ପରଲୋକ ପରେ ଉପାସନା ବିଜେପିରେ ଯୋଗ ଦେଇ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିବାରେ ଲାଗିଛନ୍ତି। ଉପାସନାଙ୍କୁ ମଧ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ହେଲେ ଉପାସନା ୨୦୧୯ରେ ପ୍ରାର୍ଥୀ ହେବେ ନାହିଁ ବୋଲି କୁହାଯାଉଛି। ଲୁଲୁଙ୍କ ଭାଇ ତଥା ଉପାସନାଙ୍କ କାକା ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ବିଜେପି ଟିକେଟ ମିଳିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଉପାସନା ବ୍ରହ୍ମଗିରିରେ ପ୍ରଚାର ମଙ୍ଗ ଧରିବେ ଏହା ନିଶ୍ଚିତ। ବାପାଙ୍କ ଅଧୁରା ସ୍ୱପ୍ନକୁ ଆଗେଇ ନେବା ଲାଗି ଉପାସନା ଏବେ ତତ୍ପର।

କବିସୂର୍ଯ୍ୟନଗରରୁ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା

ଆସିକାର ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ବିଜେଡ଼ିରୁ ଟିକେଟ ନେବାକୁ ଆଗକୁ ଆସିଛନ୍ତି। ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନ ୨୦୧୪ରେ ଝିଅ ଲତିକା ପ୍ରଧାନଙ୍କୁ କବିସୂର୍ଯ୍ୟନଗରରୁ ବିଜେଡ଼ିରୁ ଟିକେଟ ଦେବାକୁ ଲବି କରିଥିଲେ। ହେଲେ ଲତିକା ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ। ବିଜେଡ଼ିରୁ ତାଙ୍କୁ ଗଞ୍ଜାମ ଜିଲା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ସଂଯୋଜିକା କରାଯାଇଥିଲା। ଏହାସହ ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଭାବେ ମଧ୍ୟ ଲତିକାଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର। ଏବେ ଲତିକା ୨୦୧୯ ନିର୍ବାଚନ ପାଇଁ ସଜବାଜ ହେଲେଣି। ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଲତିକା ଭୋଟରଙ୍କ ନିକଟତର ହେଉଛନ୍ତି।

ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକ

ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ପଟ୍ଟନାୟକଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ୁଛି। ସେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନମଣ୍ଡଳୀରୁ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ୨୦୧୪ ନିର୍ବାଚନରେ ରାମକୃଷ୍ଣ, ତାଙ୍କ ପତ୍ନୀ କୁମୁଦିନୀ ଏବଂ ଝିଅ ଅନିତା ପଟ୍ଟନାୟକ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ଅନିତା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଅନିତା ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ରାଜେୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି, ହେଲେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।

ତାଳଚେରରୁ ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା

ରାଜନୈତିକ ପରିବାରରୁ ଆସିଥିବା ସସ୍ମିତା ବେହେରା ଏବେ ରାଜ୍ୟ କଂଗ୍ରେସର ଜଣେ ଆଗଧାଡିର ମହିଳା ନେତ୍ରୀ ଭାବେ ପରିଚୟ ହାସଲ କରିଛନ୍ତି। ସେ ପୂର୍ବତନ ମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ହୋଇଥିବାରୁ ୨୦୧୪ରେ ତାଳଚେର ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଏହାସହ ସେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମଧ୍ୟ ରହିଥିଲେ। ସସ୍ମିତା ଏବେ ୨୦୧୯ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ପୁଣିଥରେ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ଗୋଟି ଚାଳନା କରୁଛନ୍ତି।

ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟା

ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଝିଅ ତନୟା ପଟ୍ଟନାୟକ ମଧ୍ୟ ନିର୍ବାଚନ ରାଜନୀତିର ଚର୍ଚ୍ଚାରେ ଅଛନ୍ତି। ୨୦୧୪ ନିର୍ବାଚନରେ ସୌମ୍ୟଙ୍କ ଝିଅ ତନୟାଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ନିର୍ବାଚନ ପ୍ରଚାର ମଇଦାନରେ। ସୌମ୍ୟ ୨୦୧୪ରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ବାପାଙ୍କୁ ନିର୍ବାଚନରେ ଜିତାଇବା ପାଇଁ ପ୍ରଚାର କରିଥିଲେ ତନୟା। କିଛି ଗାଁରେ ଭୋଟରଙ୍କୁ ଭେଟି ତନୟା ସୌମ୍ୟଙ୍କ ପାଇଁ ଭୋଟ ମାଗିଥିଲେ। ସେବେଠାରୁ ତନୟା ସକ୍ରିୟ ରାଜନୀତିକୁ ଆସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
୨୦୧୭ରେ ସୌମ୍ୟ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଛନ୍ତି। ଚର୍ଚ୍ଚା ହେଉଛି ଯେ ଖଣ୍ଡପଡ଼ା ଆସନ ପାଇଁ ଝିଅ ତନୟାଙ୍କ ପାଇଁ ସୌମ୍ୟ ବିଜେଡ଼ିରୁ ଟିକଟ ନେବାକୁ ଚେଷ୍ଠା କରୁଛନ୍ତି। ଯଦି ଉଦ୍ୟମ ସଫଳ ହୁଏ ତାହାଲେ ତନୟା ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି।

ପୂର୍ବରୁ ମନ୍ତ୍ରୀ ଚୈତନ୍ୟପ୍ରସାଦ ମାଝିଙ୍କ ଝିଅ ସରୋଜିନୀ ହେମ୍ବ୍ରମ, ସ୍ୱର୍ଗତ ତ୍ରିନାଥ ନାୟକଙ୍କ ଝିଅ ଅଞ୍ଜଳି ବେହେରାଙ୍କୁ ଛାଡ଼ିଦେଲେ ଅନ୍ୟ କେଉଁ ନେତାଙ୍କ ଝିଅ ସକ୍ରିୟ ନିର୍ବାଚନରେ ଅଂଶ ଗ୍ରହଣ କରି ସଫଳ ହୋଇପାରିନାହାନ୍ତି। ଏବେ ଯେଉଁମାନଙ୍କୁ ନେଇ ରାଜନୀତି କରିଡରରେ ଆଲୋଚନା ହେଉଛି ସେମାନଙ୍କୁ ନେଇ ରାଜନୀତି ପାଣିପାଗ ଆଗାମୀ ଦିନରେ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅତୀତରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ରାଜନୀତିରେ ମହିଳାମାନଙ୍କ ପ୍ରବେଶ ହାର ଅତି ନଗଣ୍ୟ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ୨୦୧୯ ନିର୍ବାଚନରେ ମହିଳାମାନଙ୍କର ପ୍ରତିଦ୍ୱନ୍ଦୀତା କରିବା ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କାରଣ ବିଜେଡ଼ି ପକ୍ଷରୁ ପ୍ରତିପକ୍ଷକୁ ଚକମା ଦେବା ପାଇଁ ପ୍ରତି ଜିଲ୍ଲାରୁ ଅତିକମରେ ଜଣେ ଲେଖାଏଁ ମହିଳାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରାଯିବାକୁ ସ୍ଥିର ହୋଇଛି ବୋଲି ଆଲୋଚନା ହେଉଛି। ଯଦି ଏହା ସତ ହୋଇଥାଏ ତେବେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *