ସବୁଦଳରେ ପରିବାରବାଦ

ଅର୍ଥ ଓ ପ୍ରତିପତି ତଥା ଘରୋଇ ଇଞ୍ଜିନିୟରିଂ, ମେଡିକାଲ୍‌ ତଥା ପ୍ରଫେସନାଲ୍‌ କଲେଜ୍‌ଗୁଡ଼ିକ ଖୋଲିବା ହେତୁ ଯେମିତି ବାପା ଡାକ୍ତର କି ଇଞ୍ଜିନିୟର କି ଆକିଟେକ୍ଟ ଥିଲେ ପୁଅ ସେଇ ପେସାକୁ ଆପଣାଇପାରୁଛି ଆଉ ବାପା, ମା’ ଅର୍ଜନ କରିଥିବା ସାମ୍ରାଜ୍ୟକୁ ଭୋଗ କରିପାରୁଛି ଠିକ୍‌ ସେହିପରି ପରିବେଶ ରାଜନୀତିରେ ବଳିଷ୍ଠ ହେବାରେ ଲାଗିଛି। ଗଣତନ୍ତ୍ରରେ ପରିବାରବାଦକୁ ବିରୋଧ କରୁଥିବା ଭାରତୀୟ ରାଜନେତାମାନେ ଏବେ ସେଥିପାଇଁ ଜିଦ୍‌ ଓ ଅଡ଼ିଧରି ବସୁଛନ୍ତି। ଆଉ ସେହିକ୍ରମରେ ସାମିଲ୍‌ ହୋଇଛି ଓଡ଼ିଶା ରାଜନୀତି। ପ୍ରତି ନିର୍ବାଚନରେ ଏକ ଥଥା ସାମ୍ନାକୁ ଆସୁଛି, ଏବେ ତାହା ଅଧିକ ଉତ୍କଟ ହେବାରେ ଲାଗିଛି। ଘରୋଇ ଇଞ୍ଜିନୀୟରିଂ କଲେଜ୍‌ ଭଳି ଭିନ୍ନ ଭିନ୍ନ ଦଳ ବରିବାର ଭିତରେ ପ୍ରବେଶ କରି ଦାୟାଦଙ୍କୁ ରାଜନେତା ହେବାର ମୌକା ଦେଉଛନ୍ତି।

ଅର୍ଥାତ୍‌ ଆପଣ ଯଦି କୌଣସି ଦଳ, ଗୋଷ୍ଠୀ ବା ରାଜନେତାଙ୍କ ଚକ୍ରବ୍ୟୁହରେ ଏଯାଏ ଅଛନ୍ତି ତେବେ ସେଥିରୁ ଯଥାଶୀଘ୍ର ମୁକ୍ତି ପାଆନ୍ତୁ। ନହେଲେ ରାତି ଅଧରେ ନିଜକୁ ଧର୍ମ ନିରପେକ୍ଷ ବୋଲି କହୁଥିବା କଂଗ୍ରେସ ନେତାଟିଏ ଦଳ ଛାଡ଼ି ଧର୍ମ ଅନ୍ଧ ବୋଲି ଅଭିଯୋଗ କରୁଥିବା ଦଳକୁ ଡେଇଁପାରେ ଆଉ ନିଜକୁ ରାଷ୍ଟ୍ରବାଦୀ ବୋଲି ଦାବି କରି ରାଷ୍ଟ୍ରଦ୍ରୋହୀ ବୋଲି ଅଭିଯୋଗ କରୁଥିବା ଦଳକୁ ବିଜେପି ନେତାଟିଏ ନିର୍ବାଚନ ପୂର୍ବଦିନ ଯୋଗ ଦେଇପାରେ। ଜଙ୍ଗଲରେ ଓଧ ସଙ୍ଗେ ବଣଭୁଆଁ ବାୟା ହେବା ଭଳି ଆମ ଏଠାରେ ଗୋଠ ମାତିଲେ ଖଣ୍ଡିଆ ବି ମାତିବା ଥୟ ହେବ। ସେମାନେ କ୍ଷମତା ଭୋଗିବେ ଆଉ ଆପଣ ଭୋଟ୍‌ ଦେଇ ଯାହା କିଛି ନୋଟ୍‌ ପାଇପାରନ୍ତି!

ବାପା-ପୁଅ

ଏବେ ବାପା ଆଉ ପୁଅ ଯୋଡ଼ି। ଓଡ଼ିଶା ରାଜନୀତିରେ ଏମିତି ଅନେକ ଉଦାହରଣ ଅତୀତରେ ରହିଛି। ବାପା ନାଁରେ ବା ମା’ ବା ଶ୍ଵଶୂରଙ୍କ ନାଁରେ ପୁଅ, ଝିଅ ବା ଜ୍ୟୋଇଁ ନେତା ହୋଇଛନ୍ତି। ନାଁ ନିଅନ୍ତୁ ତଥାଗତ ସତପଥି କି ଭର୍ତ୍ତୃହରି ମହତାବ ବା ସୌମ୍ୟ ରଞ୍ଜନ ପଟ୍ଟନାୟକ। ହେଲେ ଏମାନେ କେବେ ତାଙ୍କ ମା’, ବାପା ବା ଶ୍ଵଶୂରଙ୍କ ଭଳି ପ୍ରତିଭାଶାଳୀ ହୋଇପାରି ନାହାନ୍ତି। ବରଂ ଅନେକ ସମୟରେ ନିଜର ସତ୍ତା, ମୂଲ୍ୟବୋଧକୁ ହରାଇ ଅଣନିଃଶ୍ଵାସୀ ହୋଇଛନ୍ତି। ବେଳେବେଳେ ଦଳ ବି ଛାଡ଼ିଛନ୍ତି।

ତଥାପି ଲୋକଙ୍କ ପ୍ରତିନିଧି ହେବାକୁ ରାଜଧର୍ମ ବୋଲି ଗ୍ରହଣ କରି ନିଜ ରାସ୍ତାରେ ପୁଅକୁ ବା ଝିଅକୁ ବା ଝିଆରୀକୁ ଅଥବା ପତ୍ନୀଙ୍କୁ ଉତ୍ତାରିବା ମୌକା ଛାଡ଼ି ନାହାନ୍ତି ଓଡ଼ିଶାର ‘ନୀତିବାନ୍‌’ ରାଜନେତାମାନେ। ଏବେ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ କଥା ଆଲୋଚନା କରିବା। ବାମପନ୍ଥୀ ଜୀବନରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଜନତା ଦଳରୁ ମନ୍ତ୍ରୀ ହେଲେ। ଏବେ କଂଗ୍ରେସରେ। ବଲାଙ୍ଗୀରରେ ରାଜପରିବାର ସହ ଲଢ଼ିବା ପାଇଁ ଏକମାତ୍ର ଚେହେରା ଆଉ ମୋହରା ଭାବେ ସେ ପରିଗଣିତ। ତାଙ୍କ ର ବିକଳ୍ପ ଆଜି ଯାଏ ନା ସେ ସୃଷ୍ଟି କରିଛନ୍ତି ନା କରିବାକୁ କାହାକୁ ସୁଯୋଗ ଦେଇଛନ୍ତି। ଗଣତନ୍ତ୍ରର ଏହି ସେବକ ଏବେ ନିଜ ପୁଅକୁ ରାଜନୀତିକୁ ଆଣିବାକୁ ଯାଉଛନ୍ତି। ନିଜେ କଂଗ୍ରେସ ଟିକେଟ୍‌ରେ ବଲାଙ୍ଗୀର ବିଧାନସଭା ଆସନ ପାଇଁ ଠିଆ ହେବେ। ଆଉ ଥରେ ହାରିଥିବା ବଲାଙ୍ଗୀର ଲେଶକସଭା ଆସନ ପାଇଁ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିବେ। ଏଥିପାଇଁ ଟିକେଟ ବଣ୍ଟନ ସରିଲାଣି।

ଦ୍ଵିତୀୟ ଯୋଡ଼ି ବାପା ପୁଅ ହେଉଛନ୍ତି ପୂର୍ବତନ ମନ୍ତ୍ରୀ କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ସାଗର ଦାସଙ୍କ ଯୋଡ଼ି। ବାପା ରାଜ୍ୟ କଂଗ୍ରେସର ଯଥେଷ୍ଟ ପ୍ରଭାବଶାଳୀ ନେତା। କଳାହାଣ୍ଡି ଲୋକସଭା ପାଇଁ ପ୍ରାର୍ଥୀ। ପୁଅ ସାଗର ଦାସ ପାଇଁ ସେ ବାଟ ଖୋଲିଛନ୍ତି ଏବର୍ଷ। ତାଙ୍କୁ କଂଗ୍ରେସ ଦେଇଛି ଭବାନୀପାଟଣଶ ବିଧାନସଭା ଆସନ ପାଇଁ ଟିକେଟ୍‌। ନରସିଂହଙ୍କ ଧାରାରେ ଭକ୍ତ ଚାଲିଛନ୍ତି।

ମୁଁ ହେବି ଆଉ ପୁଅ ବି ହେବ ଏହି ଧାରାରେ ଆଉ ଜଣେ ପ୍ରଭାବଶାଳୀ ନେତା ସାମ୍ନାକୁ ଆସିଛନ୍ତି ସେ ହେଲେ ଆଦିବାସୀ, ଖଟିଖିଆଙ୍କ ନେତା ଜର୍ଜ ତିର୍କୀ। ଏବେ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଜର୍ଜ କିନ୍ତୁ ସମ୍ଭ୍ରାନ୍ତବଂଶୀ ଚିନ୍ତାଧାରାର ଅନ୍ୟ ଜଣେ ଦାୟାଦ ବୋଲି ପରିଚୟ ଦେଇଛନ୍ତି। ନିଜେ ପ୍ରାର୍ଥୀ ହୋଇଛନ୍ତି ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଆଉ ପୁଅ ରୋହିତ ଜୋଶେଫ୍‌ଙ୍କ ପ୍ରାର୍ଥୀ କରାଇଛନ୍ତି ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ।

ଏମିତି ଲବିରେ ଆଉ ଦୁଇଜଣଙ୍କ ନାଁ ବାଦ୍‌ ଦିଆଯାଇ ନପାରେ। ବାପା ଜୟଦେବ ଜେନା ପୁଅ ସଂଗ୍ରାମଙ୍କ ପାଇଁ ଖୋଲିଥିବା ବାଟକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢ଼ଇଛନ୍ତି। ଅର୍ଥାତ୍‌ ଯୁବନେତା ସଂଗ୍ରାମ ଯିଏ ପୂବର୍ର୍ଥର ଭଦ୍ରକ ସାଂସଦ ପାଇଁ ଲଢ଼ିଥିଲେ ସେ ବି ଟିକେଟ୍‌ ରେସ୍‌ରେ ଅଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନନ୍ତ ସେଠୀ ବି ପୁଅ ଚିରଞ୍ଜିବୀଙ୍କୁ ଟିକେଟ୍‌ ଦେବାକୁ ଲବି କରୁଛନ୍ତି। ଆଉ ପିସିସି ସଭାପତି ଏମିତି ବାପା ପୁଅଙ୍କ ଯୋଡ଼ିକୁ ଟିକେଟ୍‌ ଦେଇ ଦେଇ ନିଜ ପୁଅ ପାଇଁ ବି ସୁରକ୍ଷିତ କରୁଛନ୍ତି ବାଲେଶ୍ଵର ଆସନ। ଅର୍ଥାତ୍‌ ନବଜ୍ୟୋତି ପଟ୍ଟନାୟକ ଯିଏ କି ରାଜ୍ୟ କଂଗ୍ରେସ ବ୍ୟାପରରେ ଏବେ ମୁଖ୍ୟ ସୂତ୍ରଧର ସେ ବି ଆସିବେ ପ୍ରାର୍ଥୀ ହୋଇ।

ବିଜେଡିରେ ପରିବାର

ଏ ତ ଗଲା କଂଗ୍ରେସ ଚର୍ଚା। ବିଜେଡିରେ ବି ସେ କୋହ, ମୋହ କିଛି କମ୍‌ ନୁହେଁ। ଉଚ୍ଚ କୋଟୀର ଅମଲାତନ୍ତ୍ରରେ ପରିଚାଳିତ ବିଜେଡିର ଟିକେଟ୍‌ ବଣ୍ଟନ ପ୍ରକ୍ରିୟାରେ ଏମିତି ଅନେକ ଅପସରିଯିବାର ଆଶଙ୍କା ଖୋଲିଲାଣି। ସେଥିଲାଗି ପୁଅ ପାଇଁ ଲବି କରିବା ଆରମ୍ଭ କରିଛନ୍ତି ବୟସର ଅପରାହ୍ଣରେ ପହଞ୍ଚିଥିବା ରାଜନେତାମାନେ । ନିଅନ୍ତୁ ବିଜୟଶ୍ରୀ ରାଉତରାୟଙ୍କ କଥା। ବାସୁଦେବପୁରରୁ ନିର୍ବାଚନ ଲଢ଼ି ଜିତୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ଏବେ ନିଜ ଉତ୍ତରାଧିକାରୀ ଭାବେ ପୁଅ ପାଇଁ ଆସନ ଛାଡ଼ିବାକୁ ଲବି ଚଳାଇଛନ୍ତି। ମୁଁ ନୁହେଁ ତ ପୁଅକୁ ଟିକେଟ୍‌ ଦେବାକୁ ସେ କହୁଛନ୍ତି।

ଯୋଗେନ୍ଦ୍ର ବେହେରା ପୁଅ ପାଇଁ ଲବି କରୁଛନ୍ତି। ଏପରିକି ନିଜ ପାଇଁ ଟିକେଟ୍‌ ମିଳିଲେ ବି ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। କାରଣ ସେ ଜାଣିଛନ୍ତି ଯେ, ଟିକେଟ୍‌ ମିଳିଲେ ଅଧା ବିଜୟ ହୋଇଗଲା!

ପରିବାର ରାଜନୀତି

ପଶ୍ଚିମାଞ୍ଚଳର ପ୍ରତିଷ୍ଠିତ ପରିବାର ପଦ୍ମଶ୍ରୀ କୁତାର୍ଥ ଆଚାର୍ଯ୍ୟଙ୍କ ଦୁଇ ପୁଅ ଆନନ୍ଦ ଓ ପ୍ରସନ୍ନ ରାଜନୀତିରେ ପ୍ରତିଷ୍ଠିତ। ଆନନ୍ଦଙ୍କ ମୃତ୍ୟୁ ପରେ ପୁଅ ଦେବେଶ ତାଙ୍କ ଗଡ଼କୁ ଜଗିବାରେ ସମର୍ଥ ହୋଇପରିଛନ୍ତି। କକା ବି ବିଜେଡିରେ ପ୍ରଭାବଶାଳୀ ନେତା ହୋଇ ରହିଛନ୍ତି। ଏଥର ବି ସାଂସଦ ପ୍ରାର୍ଥୀ।

ବିଜେଡି ବିଧାୟକ ମନୋହର ରାନ୍ଧାରୀ ଏବେ ପ୍ରାର୍ଥୀ ଆଉ ତାଙ୍କ ଭଉଣୀ ପଦ୍ମିନୀ ଦୀଆନ୍‌ଙ୍କୁ ବି ବିଜେଡି ପ୍ରାର୍ଥୀ କରିଛି। ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଯିଏ କିଛଇଦିନ ପୂର୍ବେ ଏନ୍‌ସିପି ଛାଡ଼ି ବିଜେଡିରେ ମିଶିଛନ୍ତି ସେ ଏବେ ରାଜ୍ୟସଭା ସାଂସଦ। ତାଙ୍କ ପୁଅ କିନ୍ତୁ ବିଜେପିରେ। ପୁଅ ଋଷଭନନ୍ଦଙ୍କୁ ଟିକେଟ୍‌ ମିଳିବା ସମ୍ଭାବନା ବି ରହିଛି।

ବିଜେଡି ଛାଡ଼ିଥିବା ଡା. ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି ଆଉ ବାଲିକୁଦା-ଏରସମା ପାଇଁ ପ୍ରାର୍ଥୀ ହୋଇଛନ୍ତି। ଝିଅ ପ୍ରୀତିନନ୍ଦା ତାଙ୍କ ରାସ୍ତାରେ ଥିବାବେଳେ ପୁଅ ସମ୍ବିତ କିନ୍ତୁ ବିଜେଡିରେ ବାପାଙ୍କ ସ୍ଥାନ ଦଖଲ କରିବେ ବୋଲି ଚର୍ଚା ହେଉଛି। ଏହା ରାଜନୀତି ହୋଇପାରେ, ବାପା ପୁଅ ପାଇଁ ନିଜ ଆସନ ପାରାଦୀପକୁ ଛାଡ଼ିଥାଇପାରନ୍ତି କିନ୍ତୁ ଏହା ଉତ୍ତରାଧଆକାରୀ ରାଜନୀତିର କୌଶଳ ନୁହେଁ ତ ଆଉ କ’ଣ?

ବଲାଙ୍ଗୀରରେ ବି ବିଜେଡି ପରିବାରବାଦ ରହିଛି। ବାପା ଅନଙ୍ଗ ଉଦୟ ସିଂହ ଦେଓ ବଡ଼ ପୁଅକୁ ରାଜନୀତିରେ ପ୍ରତିଷ୍ଠା କରିସାରିଥିବାବେଳେ ସାନ ପୁଅକୁ ରାଜନୀତିକୁ ଆଣିବାକୁ ଯାଉଛନ୍ତି। ପ୍ରବଳ ଲବି ଚାଲିଛି। ଏବେ କଳିକେଶ ସାଂସଦ ଅଛନ୍ତି ଆଉ ସାଂସଦ ଟିକେଟ୍‌ ବି ବିଜେଡିରୁ ପୁଣିଥରେ ହାତେଇଛନ୍ତି।

ବାପା-ଝିଅ

ଆଉ ଗୋଟିଏ ରାଜନୀତିକ ପରିବାର କଥା ଆଲୋଚନା କରିବା। ଏହା ବାପା-ପୁଅ ନୁହେଁ ବରଂ ବାପା-ଝିଅଙ୍କ କାହାଣୀ। ଏଠଶରେ ଝିଅ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି ବାପାଙ୍କ ସାମ୍ରାଜ୍ୟର। ସେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଦୁଇ ଝିଅ ଅମୀତା ଓ ସୁନୀତା। ଅମୀତା ସୁନ୍ଦରଗଡ଼ରୁ କଂଗ୍ରେସ ବିଧାୟକ ପାଇଁ ପ୍ରାର୍ଥୀ ହୋଇଥିବାବେଳେ ସୁନୀତା ବିଜେଡିର ସାଂସଦ ପ୍ରାର୍ଥୀ ହେବେ।

ପତି-ପତ୍ନୀ

ବଲାଙ୍ଗୀର ରାଜନୀତିରେ ରାଜପରିବାର ରାଜନୀତି ହେଉଛି ପତିପତ୍ନୀ। ରଜା ଯେମିତି ପ୍ରଜାଙ୍କୁ ଶାସନ ଦେବାକୁ ଚାହେ ନାହିଁ ଏଠି ଗଣତନ୍ତ୍ରରେ ବି ସେ ଅହଙ୍କାର ଦେଖାଯାଏ ପାଟଣାଗଡ଼ ରାଜା ତଥା ବିଧାୟକ କନକବଦ୍ଧନ ସିଂହଦେଓ ଏବଂ ପତ୍ନୀ ସଙ୍ଗୀତା ସିଂହଦେଓଙ୍କ ଭିତରେ। ସଙ୍ଗୀତା ଏବେ ବିଜେପିର ଲୋକସଭା ପ୍ରାର୍ଥୀ। ଆଉ କନକ ହେବେ ବିଧାନସଭା ପ୍ରାର୍ଥୀ।

ରାଜ ପରମ୍ପରାଠୁ କ’ଣ କମ୍‌

ଯଦି ଭାରତୀୟ ଲୋକପ୍ରତିନିଧଇ ଆଇନ ୧୯୫୧ରେ ନେତାଙ୍କ ପରିବାରରୁ ନେତା ହେବା ପାଇଁ କିଛି କୋହଳ ବ୍ୟବସ୍ଥା ଥାଆନ୍ତା ଅଥବା ଆରକ୍ଷଣ, ସଂରକ୍ଷଣ ବ୍ୟବସ୍ଥା ଥାଆନ୍ତା ହୁଏତ ନେତାଙ୍କୁ ଏମିତି ପାର୍ଟି ସୁପ୍ରିମୋମାନଙ୍କୁ ଖୋସାମଦ୍‌ କରିବାକୁ ପଡ଼ନ୍ତା ନାହିଁ! ପୁଣି ଏମିତି ବ୍ୟବସ୍ଥା ଥିଲେ ନୀତି, ନୈତିକତା ବଦଳରେ ଲୋକ ପ୍ରତିନିଧି ଜଣକ ସ୍ଵେଚ୍ଛାଚାରୀ, ସ୍ଵାର୍ଥୀ ହେବାର ଆଶଙ୍କା ଯଥେଷ୍ଟ ଥିବା ଅନୁଭବ କରି ସମ୍ବିଧାନ ପ୍ରଣେତାମାନେ ଏହାକୁ ରଖିଲେ ନାହିଁ। ଭାରତକୁ ଜନଗଣଙ୍କ ଦେଶ କରିବା ପାଇଁ ଚିନ୍ତା କରାଗଲା, ହେଲେ ହେଉଛଇ କ’ଣ? ଯଦି ଲୋକପ୍ରତିନିଧିର ପରିଭାଷାରେ ପରିବାରବାଦ ପ୍ରବେଶ କରେ ତେବେ ସେଠାରେ ତାହାକୁ ଗଣତନ୍ତ୍ର ବୋଲି କହିବା କାହିଁକି? ବରଂଏହା ରାଜତନ୍ତ୍ରର ଆଉ ଏକ ରୂପ ବୋଲି ଗ୍ରହଣ କରାଯାଇପାରେ, ନୁହେଁକି?

Leave a Reply

Your email address will not be published. Required fields are marked *