ଆସନ୍ତାକାଲି ପରିବାରବାଦର ପରୀକ୍ଷା ଫଳ

ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ। କିନ୍ତୁ ଏଥର ନିର୍ବାଚନରେ ଭୋଟରମାନେ ପରିବାରବାଦକୁ ସମର୍ଥନ ନା ପ୍ରତ୍ୟାଖ୍ୟାନ କରୁଛନ୍ତି, ଏହାରି ଉପରେ ରହିବ କିନ୍ତୁ ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ସର୍ବାଧିକ ବାପ-ପୁଅ ଯୋଡ଼ି ଭାଗ୍ୟ ପରୀକ୍ଷା କରିଥିଲେ।

ସେମାନେ ସମସ୍ତେ ସଫଳ ହେବେ ତ?

ଅନେକ ପିତାଙ୍କ ଆସନରୁ ପୁତ୍ର ପ୍ରାର୍ଥୀ ହୋଇଛନ୍ତି ଏଥର। ପିତାଙ୍କ ପ୍ରତିଷ୍ଠାକୁ ଭରଷା କରି ପୁତ୍ରମାନେ ମଇଦାନକୁ ଓହ୍ଲାଇଥିଲେ ହେଁ, ପିତାଙ୍କ ମୁହଁକୁ ଦେଖି ଭୋଟରମାନେ ସେମାନଙ୍କୁ ବିଧାନସଭା ପଠାଇବେ କି?

ଏଭଳି ଅନେକ ପ୍ରଶ୍ନ ଆସିବ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ। ଚଳିତ ନିର୍ବାଚନରେ ୫ଯୋଡ଼ା ବାପ-ପୁଅ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ପିତାମାନେ ଓଡ଼ିଶା ରାଜନୀତିରେ ପ୍ରବୀଣ ଏବଂ ପ୍ରତିଷ୍ଠିତ। ଏଥିରେ କାହାର ଦ୍ୱିମତ ନାହିଁ। ସେମାନେ ହେଲେ- କଳାହାଣ୍ଡିର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ। ବଲାଙ୍ଗୀରର ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସୁନ୍ଦରଗଡ଼ର ବିଶିଷ୍ଟ ଆଦିବାସୀ ନେତା ତଥା ବିଧାୟକ ଜର୍ଜ ତିର୍କୀ।

ଜଗତସିଂହପୁର ବରିଷ୍ଠ ତଥା ବିଧାୟକ ଡାକ୍ତର ଦାମୋଦର ରାଉତ ଏବଂ କେନ୍ଦୁଝରର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଭକ୍ତଙ୍କ ପୁଅ ସାଗର ଭବାନୀପାଟଣା ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ଲଢ଼ୁଛନ୍ତି। ଭକ୍ତ ଲଢ଼ିଛନ୍ତି ଲୋକସଭା ପାଇଁ।

ନରସିଂହ ବଲାଙ୍ଗୀର ବିଧାନସଭା ଆସନ ପାଇଁ ଲଢ଼ୁଥିବା ବେଳେ ପୁତ୍ର ସମରେନ୍ଦ୍ର ମିଶ୍ର ଲୋକସଭା ଆସନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି।

ଜର୍ଜ ସୁନ୍ଦରଗଡ଼ ଲୋକସଭା ଏବଂ ପୁତ୍ର ରୋହିତ ଯୋଶେଫ ବୀରମିତ୍ରପୁର ଆସନରୁ କଂଗ୍ରେସର ପ୍ରତ୍ୟାଶୀ ଅଛନ୍ତି।

ନିରଞ୍ଜନ କେନ୍ଦୁଝରର ଘଷିପୁରା ଏବଂ ଭଦ୍ରକ ଭଣ୍ଡାରୀପୋଖରୀରୁ ଲଢ଼ୁଥିବା ବେଳେ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି। ଏମାନେ ସମସ୍ତେ କଂଗ୍ରେସ ଦଳର।

ବାପ-ପୁଅ ଦୁଇ ପରସ୍ପର ବିରୋଧୀ ଦଳରୁ ପ୍ରାର୍ଥୀ

କିନ୍ତୁ ବାପ-ପୁଅ ଦୁଇ ପରସ୍ପର ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜଗତସିଂହପୁରରେ। ଡାକ୍ତର ଦାମୋଦର ରାଉତ ବିଜେପି ଟିକଟରେ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ବେଳେ ପୁଅ ସମ୍ୱିତ ବିଜେଡି ଟିକଟରେ ବାପାଙ୍କ ପୂର୍ବ ଆସନ ପାରାଦୀପରୁ ଲଢ଼ିଛନ୍ତି। ଏହା ସମ୍ଭବତଃ ଓଡ଼ିଶା ରାଜନୀତିରେ ଏକ ରୋଚକ ଘଟଣା।

ବାପାଙ୍କ ଆସନରୁ ପୁଅ ଏଥର ପ୍ରାର୍ଥୀ

ତିନିଜଣ ବାପାଙ୍କ ଆସନରୁ ପୁଅ ଏଥର ପ୍ରାର୍ଥୀ ହୋଇଛନ୍ତି। ବାସୁଦେବପୁର ଆସନରୁ ବିଜୟଶ୍ରୀ ରାଉତରାୟ ଏଥର ଲଢ଼ି ନାହାନ୍ତି। ତାଙ୍କ ସ୍ଥାନରେ ବିଜୁ ଜନତା ଦଳ ପ୍ରାର୍ଥୀ କରିଛି ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ। ବିଜୟଶ୍ରୀ ଅବସର ଗ୍ରହଣ କରିଛନ୍ତି।

ବାଙ୍କୀ ଆସନରୁ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ବିଜେଡି ପ୍ରାର୍ଥୀ କରିଛି ପୁଅ ଦେବୀରଞ୍ଜନଙ୍କୁ।

ସେହିପରି କଟକ ଚୌଦ୍ୱାର ଆସନରୁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ପୁଅ ସୌଭିକ।

ଦୁଇ ପ୍ରଭାତଙ୍କୁ ଚିଟଫଣ୍ଡ କାରଣରୁ ଟିକଟ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହି ତିନିଜଣ ପୁତ୍ର ବାପାଙ୍କ ଆସନ ସୁରକ୍ଷିତ ରଖିପାରିବେ ତ? ଏହା ମଧ୍ୟ ପ୍ରତିଫଳିତ ହେବ ଜନତାଙ୍କ ରାୟରୁ।

ଭାଇ-ଭାଇ

ଆଉ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଭାଇ-ଭାଇଙ୍କ ଭିତରେ। ଭଦ୍ରକ ବିଧାନସଭା ଆସନରୁ ଡାକ୍ତର ପ୍ରଦୀପ ନାୟକ ବିଜେପି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କିନ୍ତୁ ସାନଭାଇ ସତ୍ୟପ୍ରକାଶ ନାୟକ କଂଗ୍ରେସ ଟିକଟରେ ଲଢ଼ିଛନ୍ତି ପୁରୀ ଲୋକସଭା ଆସନ ସକାଶେ। ଏହି ଦୁଇ ଭାଇଙ୍କ ଭାଗ୍ୟଦେବୀ ସହାୟକ ହେବେ କି?

ବଲାଙ୍ଗୀର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା କଳିକେଶ ସିଂହଦେଓଙ୍କ ବଡ଼ ଭାଇ ଅର୍କେଶ ସିଂହଦେଓ ବିଜେଡିର ବଲାଙ୍ଗୀର ବିଧାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଦୁଇ ଭଉଣୀ

ସେହିପରି ଦୁଇ ଭଉଣୀ ଦୁଇଟି ଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ସୁନ୍ଦରଗଡ଼ ଜିଲାରେ। ସେମାନେ ହେଲେ ସୁନିତା ଓ ଅନିତା। ଦୁଇ ଭଉଣୀଙ୍କ ପିତା ହେଲେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ସୁନିତା ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିଲା ବେଳେ ଅନିତା କଂଗ୍ରେସ ଟିକଟରେ ଲଢ଼ୁଛନ୍ତି ସୁନ୍ଦରଗଡ଼ ବିଧାନସଭା ଆସନରୁ। ହେମାନନ୍ଦଙ୍କର ଏଭଳି ସମଦୃଷ୍ଟି ଜନତାଙ୍କ ସମର୍ଥନ ପାଇବ କି ନାହିଁ, ତାହା ମଧ୍ୟ ଜଣାପଡ଼ିଯିବ ୨୩ ତାରିଖରେ।

ସ୍ୱାମୀ-ସ୍ତ୍ରୀ

ସ୍ୱାମୀ-ସ୍ତ୍ରୀ ଭାବେ କନକବର୍ଦ୍ଧନ ଏବଂ ସଙ୍ଗିତା ସିଂହଦେଓ ମଧ୍ୟ ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି ବଲାଙ୍ଗୀରରେ। ଅବଶ୍ୟ ସେମାନେ ପୂର୍ବରୁ ମଧ୍ୟ ଲଢ଼ିସାରିଛନ୍ତି। କେଭି ପାଟଣାଗଡ଼ ବିଧାନସଭା ପାଇଁ ଏବଂ ସଙ୍ଗିତା ବଲାଙ୍ଗୀର ଲୋକସଭା ଆସନ ପାଇଁ ବିଜେପି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି।

ଅନେକ ନେତା ଏଥର ସେମାନଙ୍କ ପୁଅ-ଝିଅଙ୍କୁ ଦଳୀୟ ଟିକଟ ଦେବାରେ ସଫଳ ହୋଇଛନ୍ତି। ପୂର୍ବ ନିର୍ବାଚନ ତୁଳନାରେ ଏଥର ପରିବାରବାଦ ଅଧିକ ବ୍ୟାପିଛି। ତେବେ ଭୋଟର ପରିବାରବାଦକୁ ସମର୍ଥନ କରୁଛନ୍ତି କି ନାହିଁ, ତାହା ପରୀକ୍ଷିତ ହେବ ୨୩ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ।

Leave a Reply

Your email address will not be published.