ପାନୀୟ ଜଳ ପାଇଁ ରାଜ୍ୟବାସୀ ଡହଳବିକଳ
ଦୂଷିତ ଜଳ ବ୍ୟବହାରରେ ଓଡ଼ିଶାକୁ ଦେଶର ପଞ୍ଚମ ରାଜ୍ୟର ମାନ୍ୟତା
ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ଓଡ଼ିଶାର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସମ୍ଭବ ହେଉନାହିଁ। ୧୯ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଏକ ସ୍ଥିର ସରକାର ରହିଥିଲେ ମଧ୍ୟ ଲୋକମାନଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ନପହଞ୍ଚିବା ସବୁଠାରୁ ଦୁଃର୍ଭାଗ୍ୟର ବିଷୟ। ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଜଳାଭାବର ସମସ୍ୟା ଚର୍ଚ୍ଚା ହେଉଥିବା ଫୋନି ବାତ୍ୟା ପରେ ରାଜ୍ୟର ଉପକୂଳ ଜିଲ୍ଲାର ଅସଲ ଚିତ୍ର ଏବେ ପଦାରେ ପଡ଼ିଛି। ଫୋନିର ତାନ୍ଦବ ଲୀଳା ପରେ ପ୍ରଭାବିତ ପୁରୀ ଜିଲ୍ଲାରେ ପାଣି ବଦଳରେ ଦ୍ରବ୍ୟ ଦେଇ ନିଜର ବ୍ୟବହାର ପାଇଁ ସଂଗ୍ରହ କରୁଥିବାର ରୋଚକପୂର୍ଣ୍ଣ ଖବର ଏବେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ଏଭଳି ପୂରୁଣାକାଳିଆ ବାର୍ଟର ପଦ୍ଧତି ଆମ ପ୍ରଶାସନର ପାରିଲାପଣିଆକୁ ପଦାରେ ପକାଇ ଦେଇଛି।
ଓଡ଼ିଶାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ ଜନସାଧାରଣଙ୍କ ନିମନ୍ତେ ହଜାର ହଜାର କୋଟି ଟଙ୍କାର ଅନୁଦାନ ଦିଆଯାଇଛି। କେନ୍ଦ୍ରୀୟ ଅନୁଦାନରେ ରାଜ୍ୟର ୨୪.୩୬ ପ୍ରତିଶତ ଲୋକଙ୍କ ନିମନ୍ତେ ବିଶୁଦ୍ଧ ପାଇପ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକାରୀ ହୋଇଥିବା ଏହି ପାଇପ ଜଳ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ସାରା ରାଜ୍ୟରେ ୨ହଜାରରୁ ଅଧିକ ପମ୍ପ ହାଉସ ଅଚଳ ଅବସ୍ଥାରେ ଥିବା ଜଣାପଡ଼ିଛି।
ଯେଉଁ ସବୁ ପାଇପ ଜଳ ପ୍ରକଳ୍ପଗୁଡ଼ିକ ଚାଲୁ ଅବସ୍ଥାରେ ରହିଛି ସେଗୁଡିକ ମାସକରେ ୫ ରୁ ୧୨ ଦିନ ମଧ୍ୟରେ କାର୍ଯ୍ୟ କରିଥାଏ ବୋଲି ଅଭିଯୋଗରୁ ଜଣାପଡିଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଳା ଯାଇଥିବା ନଳକୂପଗୁଡ଼ିକରୁ ବିଶୁଦ୍ଧ ପାଣି ଯୋଗାଇବା କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। କୌଣସି ସ୍ଥାନରେ ବିଶୁଦ୍ଧ ପାଣି ମିଳୁଥିବାର ନଜର ଦେଖାଯାଉନାହିଁ। ଅଧିକାଂଶ ନଳକୂପରେ ନାଲି ଛକ ମରାଯାଇଥିଲେ ମଧ୍ୟ ପାଣି ନମିଳୁଥିବାରୁ ଲୋକେ ଏହାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।
ପ୍ରତି ବର୍ଷ ମେ’ ଓ ଜୁନ ମାସ ବେଳକୁ ରାଜ୍ୟବ୍ୟାପୀ ଉକ୍ରଟ ଜଳାଭାବ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଏପ୍ରିଲ ମାସଠାରୁ ରାଜ୍ୟର ଦକ୍ଷିଣ ପଶ୍ଚିମ ଜିଲ୍ଲା ସମେତ ଉପକୂଳରେ ଜଳାଭାବ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପିଇବା ପାଣି ପାଇଁ ମାଇଲ ମାଇଲ ଦୂରକୁ ଯାଇ ଘର ପାଇଁ ଜଳ ସଂଗ୍ରହ କରୁଛନ୍ତି। ସରକାରଙ୍କ ପକ୍ଷରୁ ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପ୍ରତି ପରିବାରକୁ ୨୦ ଲିଟର ଲେଖାଏଁ ପାଣି ଦୈନିକ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସବୁ ସ୍ଥାନରେ ଏହା ଉପଲବ୍ଧ ହେଉନଥିବା ଜଣାପଡ଼ିଛି।
ଟୋପାଏ ପାଣି ପାଇଁ ବାତ୍ୟା ବିଧ୍ୱସ୍ତ କାକଟପୁର-ଅସ୍ତରଙ୍ଗ ବ୍ଲକ ସୀମାକୁ ଲାଗି ରହିଥିବା ୫ଟି ପଞ୍ଚାୟତରେ ସଙ୍ଗୀନ ଅବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ଡ୍ରମ ପାଣି ପାଇଁ ଲୋକେ ୫ ଗଉଣି ବିରି ଦେବାକୁ ବାଧ୍ୟ ହେଉଛନ୍ତି। କେତେକ ଯୁବକ ମୋଟର ସାଇକେଲ ପଛରେ ବାନ୍ଧି ଗାଁ ଗାଁରେ ପାଣି ବଦଳରେ ବ୍ୟବହାରକାରୀଙ୍କଠାରୁ ଧାନ, ମୁଗ, ବିରି, ଚିନାବାଦାମ ଓ ନଡିଆ ଭଳି ସାମଗ୍ରୀ ନେଉଥିବା ଦେଖିବାକୁ ମିଳୁଛି। ଉତ୍କଟ ଜଳାଭାବ ପରିଲକ୍ଷିତ ହୋଇଥିଲେ ମଧ୍ୟ ଏହି ପଞ୍ଚାୟତଗୁଡ଼ିକରେ ଆବଶ୍ୟକ ପରିମାଣରେ ବିଶୁଦ୍ଧ ଜଳ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଥବା ଲୋକେ ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ପାନୀୟ ଜଳ ସମସ୍ୟା ହଠାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ବଦଳରେ ରସାୟନଯୁକ୍ତ ପାଣି ବ୍ୟବହାର କରିବାକୁ ପଡୁଛି । କ୍ରୋରାଇଟ, ଆଇରନ ଓ ମାଗନେଟ୍ମିଶ୍ରିତ ଜଳ ବିଭିନ୍ନ ଜିଲ୍ଲାରେ ଉପଲବ୍ଧ ହେଉଛି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୫ଟି ଜିଲ୍ଲାରେ ଜଳମାନ ଦୂଷିତ ଥିବା କେନ୍ଦ୍ରୀୟ ସର୍ଭେ ଆଧାରରେ ସ୍ପଷ୍ଟ ହୋଇଛି । ଓଡ଼ିଶାରେ ଜଳର ମାତ୍ରା ଏତେ ଖରାବ ଯାହା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ।
ଦୂଷିତ ଜଳ ବ୍ୟବହାରରେ ଓଡ଼ିଶା ଦେଶର ପଞ୍ଚମ ରାଜ୍ୟର ମାନ୍ୟତା ପାଇଛି । ଜଳ ବିଶୋଧନ ଓ ଏହାର ସଂରକ୍ଷଣ ପାଇଁ ସମସ୍ତ କେନ୍ଦ୍ରୀୟ ଯୋଜନା ଏଠାରେ ସଫଳ ହୋଇପାରିନାହିଁ । ବର୍ଷକୁ ୧୫ଶହ ମିଲିମିଟର ବର୍ଷା ହେଉଥିବା ଓଡ଼ିଶା ରାଜ୍ୟରେ ଏହି ଜଳରୁ ୮୦ଞ୍ଝ ସମୁଦ୍ର ଗର୍ଭକୁ ଚାଲି ଯାଉଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ପ୍ରବାହିତ ହେଉଥିବା ଏହି ଜଳ ସମ୍ବଳକୁ ନିମ୍ନ ଭାଗରେ ସଂରକ୍ଷଣ କରାଯାଇପାରୁନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି ।
ଖଣିଭିତ୍ତିକ ସୁନ୍ଦରଗଡ, କେନ୍ଦୁଝର, ଯାଜପୁର ଓ ଅନୁଗୋଳ ଜିଲ୍ଲାରେ ଲୋକେ ବିଶୁଦ୍ଧ ପାଣି ପାଇ ପାରୁନାହିଁ । କୋଇଲା ଓ ଲୁହା ଖଣି ଅଞ୍ଚଳରେ ମିଳୁଥିବା ଆଇରନ ଫ୍ଲୋରାଇଡଯୁକ୍ତ ଜଳ ପିଇ ଏହି ଜିଲ୍ଲାର ବାସିନ୍ଦାମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ବିଶୁଦ୍ଧ ଜଳ ପ୍ରଦାନରେ ରାଜ୍ୟ ସରକାର ନିଜର ଉତ୍ତର ଦାୟିତ୍ୱ ନିର୍ବାହ କରୁନାହାନ୍ତି । ଚଳିତ ବର୍ଷର ପ୍ରଚନ୍ଦ ଗ୍ରୀଷ୍ଣ ପ୍ରବାହରେ ସାରା ରାଜ୍ୟରେ ଉକ୍ରଟ ଜଳାଭାବ ଯୋଗୁ ବିଶୁଦ୍ଧ ଜଳ ପିଇ ଶହ ଶହ ଲୋକ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ ଆସିଛି । ଯଥାଶୀଘ୍ର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ନମିଳିଲେ ରାଜ୍ୟବ୍ୟାପୀ ମହାମାରୀ ସଂକ୍ରାମକ ରୋଗ ବ୍ୟାପିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ।