ମକର ସଂକ୍ରାନ୍ତିରେ ଦାନ କରନ୍ତୁ: ମୋକ୍ଷ ପାଆନ୍ତୁ

ଅନ୍ୟ ଦିନମାନଙ୍କ ଅପେକ୍ଷା ମକର ସଂକ୍ରାନ୍ତିରେ ଦାନ ଦେବାର ବିଶେଷ ମହତ୍ୱ ରହିଛି ବୋଲି ଶାସ୍ତ୍ର ବିଦିତ । ମକର ସଂକ୍ରାନ୍ତିରେ ଦାନ ଦେବା ଦ୍ୱାରା କୋଟି ଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ କିଛି ବିଶେଷ ବିଧିବିଧାନ ଦ୍ୱାରା ସୂର୍ଯ୍ୟ ପୂଜା ଓ ଦାନ କରିବାକୁ ପଡ଼ିଥାଏ । ମକର ସଂକ୍ରାନ୍ତିରେ କ’ଣ ସବୁ ଦାନ ଦେବା ଦ୍ୱାରା ପାପକ୍ଷୟ ସହିତ ଗ୍ରହଦୋଷ କଟିଥାଏ, ତାହା ପୁରାଣରେ ବିସ୍ତୃତ ଭାବେ ବର୍ଣ୍ଣିତ । ତାହେଲେ ଆସନ୍ତୁ ଜାଣିବା –


୧- ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ । ଯଦି ସୁବିଧା ଥାଏ, ତାହେଲେ ନିକଟରେ ଥିବା କୌଣସି ନଦୀ କିମ୍ବା ପୋଖରୀରେ ସ୍ନାନ କରନ୍ତୁ । ଘରେ ସ୍ନାନ କରୁଥିଲେ, ଗାଧୋଇବା ପାଣିରେ କିଛି ଟୋପା ଗଙ୍ଗାଜଳ ପକାଇ ଦିଅନ୍ତୁ।
୨- ସ୍ନାନ କରିବା ପରେ ଧଳା ପୋଷାକ ପିନ୍ଧି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଅର୍ଘ୍ୟ ଅର୍ପଣ କରନ୍ତୁ । ଲାଲ୍ ରଙ୍ଗର ଫୁଲରେ ସୂର୍ଯ୍ୟପୂଜା କରନ୍ତୁ ।


୩- ଏହାପରେ ୧୫ଟି ଛୋଟ ଛୋଟ ରାଶିଲଡ଼ୁ ବନାନ୍ତୁ । ଏଥିରୁ ୫ଟି ଲଡ଼ୁ ନେଇ କଳା ରଙ୍ଗର ଗାଈକୁ ଦିଅନ୍ତୁ । ୫ଟି ଲଡ଼ୁକୁ ହାଲ୍କା ଗୁଣ୍ଡ କରି କାଉକୁ ଦିଅନ୍ତୁ ଏବଂ ଅବଶିଷ୍ଟ ୫ଟି ଲଡ଼ୁକୁ ନଦୀରେ ଭସାଇ ଦିଅନ୍ତୁ । ମକର ସଂକ୍ରାନ୍ତିରେ ଏଭଳି କରିବା ଦ୍ୱାରା ଶନିଗ୍ରହ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ ।


୪- ତମ୍ବା ପାତ୍ରରେ କଳାରାଶି ରଖି ଦାନ କରନ୍ତୁ ।


୫- ଏହାପରେ ଶୁଦ୍ଧପୂତ ଚିତ୍ତରେ ମୁଗଡାଲିରେ ଖେଚୁଡ଼ି ରାନ୍ଧି ଭୋକିଲାଙ୍କୁ ଦାନ କରନ୍ତୁ । ଏହି ଦିନ ନୂଆବସ୍ତ୍ର ଦାନ କରନ୍ତୁ । ମକର ସଂକ୍ରାନ୍ତିରେ ଅନ୍ନବସ୍ତ୍ର ଦାନ ଦେଲେ ଅଶେଷ ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।


୬- ମକର ଚାଉଳ ପ୍ରସ୍ତୁତ କରି ଭୋଗ ଲଗାନ୍ତୁ । ମକର ସଂକ୍ରାନ୍ତିରେ ସନ୍ଧ୍ୟାରେ ମକର ଚାଉଳ ସହିତ ଧନୁମୁଆଁ ଓ ବିଭିନ୍ନ ଫଳ ନେଇ ଦେବ ଦେବ ମହାଦେବଙ୍କ ପାଖରେ ଭୋଗ ଲଗାନ୍ତୁ ।

Leave a Reply

Your email address will not be published.