ସବୁଠୁ ବଡ଼ ଷ୍ଟାଡିୟମ୍ ଉଦ୍‌ଘାଟନ କରିବେ ଟ୍ରମ୍ପ୍

ଅହମ୍ମଦାବାଦ (ଓଟି): ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି। ଆସନ୍ତା ୨୩ରେ ଦୁଇଦିନିଆ ଭାରତ ଗସ୍ତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସିବାକୁ ଥିବାବେଳେ ବେଶ୍‌ ପ୍ରସ୍ତୁତି ଚାଲିଛି। ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାରେ ଲାଗିପଡ଼ିଛନ୍ତି ଭାରତ ସରକାର। ଉଲ୍ଲେଖନୀୟ ବିଷୟ ଯେ ଟ୍ରମ୍ପ୍‌ ଭାରତ ଗସ୍ତକାଳରେ ବିଶ୍ଵର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ଉଦ୍‌ଘାଟନ କରିବେ। ଅହମ୍ମଦାବାଦର ସରଦାର ପଟେଲ୍ ମୋଟେରା ଷ୍ଟାଡିୟମ ତଥା ମୋଟେରା କ୍ରିକେଟ୍‌ ଗ୍ରାଉଣ୍ଡ୍‌ (ଏମ୍‌ସିଜି)କୁ ଉଦଘାଟନ କରିବା ସହ ସଭାକୁ ସମ୍ବୋଧିତ କରିବେ ଟ୍ରମ୍ପ୍।

୨୦୧୭ ଜାନୁଆରୀ ୧୬ରେ ଶିଳାନ୍ୟାସ ଦିଆଯାଇଥିବା ସରଦାର ପଟେଲ୍ ମୋଟେରା ଷ୍ଟାଡିୟମ୍‌ ପ୍ରାୟ ୭୦୦କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି। ଏହି ଷ୍ଟାଡିୟମ୍ ଅଷ୍ଟେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଏବଂ କୋଲକାତାର ଇଡେନ ଗାର୍ଡେନ୍ ଠାରୁ ମଧ୍ୟ ବଡ଼। ଏଠାରେ ଏକକାଳୀନ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ପାରିବେ। ୬୩ ଏକରରେ ନିର୍ମିତ ଷ୍ଟାଡିୟମରେ ୩ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ଏବଂ ଏକ ଇଣ୍ଡୋର କ୍ରିକେଟ୍ ଏକାଡେମୀ ରହିଛି। ପାର୍କିଂ ଏରିଆରେ ୩୦୦୦କାର୍ ଏବଂ ୧୦,୦୦୦ ଦୁଇ ଚକିଆ ଗାଡ଼ି ରହିପାରିବ। ସେହିପରି ୭୬ କର୍ପୋରେଟ୍ ବକ୍ସ, ୪ଟି ଡ୍ରେସିଂ ରୁମ୍, ଗୋଟିଏ କ୍ଲବ୍ ହାଉସ୍ ଏବଂ ଅଲିମ୍ପିକ୍ ସାଇଜର ଏକ ସୁଇମିଂ ପୁଲ୍ ମଧ୍ୟ ରହିଛି। ସବୁଠୁ ବଡ଼କଥା ହେଉଛି ଯେ ବର୍ଷା ଛାଡ଼ିଯିବା ପରେ କେବଳ ୨୦ମିନିଟ୍ ଅପେକ୍ଷା କରିବାକୁ ପଡ଼ିବ। ତାପରେ ଉକ୍ତ ଗ୍ରାଉଣ୍ଡ୍‌ରେ ଖେଳିହେବ। ସେଭଳି ସୁବିଧା କରାଯାଇଥିବା ସୂଚନା ମିଳିଛି।

ସମାଲୋଚନା କଲା କଂଗ୍ରେସ

ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ ବିମାନ ବନ୍ଦରରେ ୭୦ ଲକ୍ଷ ଭାରତୀୟଙ୍କୁ ଏକତ୍ରିତ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ଡୋନାଲ୍ଡ ଟ୍ରମ୍ପ କଣ ଭଗବାନ? ଯାହାଙ୍କ ପାଇଁ ୭୦ ଲକ୍ଷ ଲୋକଙ୍କୁ ଏକାଠି କରାଯାଉଛି? ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ୭୦ ଲକ୍ଷ ଲୋକଙ୍କୁ ଛିଡ଼ା କରିବାର କ’ଣ ଆବଶ୍ୟକ ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published.