ଡାକ୍ତର ଆଶୁତୋଷ ମହାପାତ୍ର ସାଜିଲେ #covid19 ଯୋଦ୍ଧା
ଭୁବନେଶ୍ଵର, (ଓଟି): କୋଭିଡ୍-୧୯ କରୋନା ଭୁତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଛି। ଏହି ଘଡ଼ିସନ୍ଧୁ ମୁହୂର୍ତ୍ତରେ ପ୍ରତିଟି ନାଗରିକର ସଚେତନତା ଓ ସେବା ହିଁ ନିଜକୁ ଓ ଦେଶକୁ ବଞ୍ଚାଇବାରେ ସକ୍ଷମ ହୋଇପାରିବ। ଏହି ବାର୍ତ୍ତାକୁ ଅନୁଭବ କରି ଅନେକ ସଚେତନ ନାଗରିକ ନିଜକୁ #covid19 warrior ବା ଯୋଦ୍ଧା ଭାବେ ପରିଚିତ କରିବାକୁ ଚାହିଁଛନ୍ତି। ଏହି ଅଭିଯାନରେ ନିଜକୁ ସ୍ଵତଃ ସାମିଲ୍ କରିଛନ୍ତି ଡା.ଆଶୁତୋଷ ମହାପାତ୍ର।
ଭୁବନେଶ୍ଵରସ୍ଥ ଆମ୍ରି ହସ୍ପିଟାଲ୍ରେ ଜଣେ ପେଟ ଓ ଲିଭର ରୋଗ ବିଶେଷଜ୍ଞ ଭାବେ ଡା. ମହାପାତ୍ର କାର୍ଯ୍ୟ କରନ୍ତି। ସୋଶାଲ ମିଡିଆ ଯୋଗେ ସେ ତାଙ୍କର ମନକଥାକୁ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ଯେ, ସେ ଆସନ୍ତା ୧୪ ଦିନ ଲାଗି ସମାଜରେ ନିଜର ଦାୟିତ୍ଵକୁ ସାକାର କରିବା ଲାଗି ନିଜର ଦୁଇଟିଯାକ ମୋବାଇଲ୍କୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରିଛନ୍ତି। ସେ ତାଙ୍କ ବିଷୟରେ ଲୋକଙ୍କ ସହାୟତା ବିନା ଶୁଳ୍କରେ ଏହି ଫୋନ୍ ମାଧ୍ୟମରେ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ଯେହେତୁ ତାଙ୍କର ବିଶେଷତ୍ଵ ହେଉଛି ପେଟ ଓ ଲିଭର ରୋଗ ନିରୁପଣ ଏବଂ ଚିକିତ୍ସା, ଏ ଦିଗରେ କିଛି ସମସ୍ୟା ହେଲେ ତାଙ୍କ ସହ ଯୋଗାଯୋଗ କରିହେବ। ତାଙ୍କର ଦୁଇଟିଯାକ ମୋବାଇଲ୍କୁ ସେ ୨୪ ଘଣ୍ଟା ଖୋଲା ରଖିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି। ପୁଣି ଯଦି ସେ କୌଣସି କାରଣରୁ ଫୋନ୍ ଊଠାଇ ପାରୁ ନାହାନ୍ତି ତେବେ ସେ କଲ୍ କରିଥିବା ବ୍ୟକ୍ତିଙ୍କୁ କଲ୍ବ୍ୟାକ୍ କରିବେ ବୋଲି କହିଛନ୍ତି। ତା’ ନହେଲେ ସେ ହ୍ବାଟ୍ସଆପ୍ରେ ମଧ୍ୟ ଆବଶ୍ୟକ ସହାୟତା ଦେବା ଲାଗି ଉପସ୍ଥିତ ହେବେ ବୋଲି କହିଛନ୍ତି।
ତାଙ୍କର ଦୁଇଟି ମୋବାଇଲ୍ ନମ୍ବର ହେଉଛି: ୯୪୩୯୫୫୪୭୪୭ ଏବଂ ୮୦୯୩୦୬୦୧୨୫।
ପାଠକଙ୍କୁ ଅନୁରୋଧ ଜରୁରୀ କାର୍ଯ୍ୟ ବା ସମସ୍ୟା ନଥିଲେ ଅଯଥାରେ ଏହି ନମ୍ବରରେ ଜଣେ ଡାକ୍ତରଙ୍କୁ ବ୍ୟସ୍ତ ବା ବିବ୍ରତ କରନ୍ତୁ ନାହିଁ। ବରଂ ତାଙ୍କୁ ତାଙ୍କର ଏହି ଉତ୍ତମ ପଦକ୍ଷେପକୁ ପ୍ରସାର କରିବାରେ ସହାୟକ ହୁଅନ୍ତୁ।