#କୋଭିଡ୍-୧୯: ପ୍ରତି ୧୫ଦିନରେ ହେବ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ୱାବ୍ ଟେଷ୍ଟ
ଭୁବନେଶ୍ୱର (ଓଟି): ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ଵାବ୍ ଟେଷ୍ଟ ହେବ। ପ୍ରତି ୧୫ ଦିନରେ ଥରେ ଏଭଳି ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସେ ମଧ୍ୟରେ ପଜିଟିଭ୍ ଆସିଲେ ଆଇସୋଲେସନ୍ରେ ରହିବା ସହ ଚିକିତ୍ସା କରାଯିବ ଏବଂ ନେଗେଟିଭ୍ ଆସିଲେ ନିଜ ଡ୍ୟୁଟିରେ ପୂର୍ବଭଳି କାର୍ଯ୍ୟ କରିବେ ବୋଲି କୁହାଯାଇଛି।
ଜନସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡାକ୍ତରଙ୍କ ସମେତ ନର୍ସ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ମଧ୍ୟ ୧୫ ଦିନ ଅନ୍ତରରେ ଥରେ ସ୍ଵାବ୍ ଟେଷ୍ଟ ହେବ। ଯଦି କୌଣସି ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେ ଆଇସୋଲେସନରେ ରହିବେ। ଯଦି ରିପୋର୍ଟ ନେଗେଟିଭ୍ ଆସେ ତେବେ ଡ୍ୟୁଟିକୁ ଫେରିବେ। ଅନ୍ୟପକ୍ଷରେ ରାଜ୍ୟର ୨ଟି ହଟ୍ ସ୍ପଟ୍ ଜିଲ୍ଲାରେ ସବୁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ସ୍ଵାବ୍ ଟେଷ୍ଟ କରାଯିବ। ସମ୍ପୃକ୍ତ ୨ ଜିଲ୍ଲାର କରୋନା ଆକ୍ରାନ୍ତ ପରିବାରର ମଧ୍ୟ ନମୁନା ପରୀକ୍ଷା କରାଯିବ। ଏଥିସହ ପୁଲିସ୍ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। କରୋନା ବ୍ୟାପିନଥିବା ୨୨ଟି ଜିଲ୍ଲାରେ ମଧ୍ୟ ପର୍ଯ୍ୟାୟ କ୍ରମେ ସ୍ଵାବ୍ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି।