ଏକତା କପୁର୍ ଲୁକରେ ନଜର ଆସିଲେ ଦିଶା ପଟାନୀ
ଏବେ ସୋସିଆଲ୍ ମିଡିଆରେ ଦିଶା ପଟାନିଙ୍କୁ ଏକତା ଲୁକରେ ଦେଖିବାକୁ ମିଳୁଛି । ଏକତା କପୁର୍ ଲୁକ୍ କହିବାର ମାନେ ହେଉଛି ଦିଶାଙ୍କ ହାତରେ ଅନେକଗୁଡ଼ିଏ ବ୍ରେସଲେଟ୍ ସହିତ ଆଙ୍ଗୁଠିରେ ଅନେକ ମୁଦି ରହିଛି । ଦିଶାଙ୍କ ଏଭଳି ଏକ ଲୁକ୍ ପଛର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘କେଟିନା’ । ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଦିଶାଙ୍କ ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିଲା । ସୂଚନାଯୋଗ୍ୟ ଏକତା କପୁର ହିଁ ଏହି ଫିଲ୍ମର ପ୍ରଯୋଜିକା ଭାବେ ଅଛନ୍ତି ।
ଫିଲ୍ମର ଫାଷ୍ଟଲୁକକୁ ସେୟାର୍ କରିବା ସହିତ ଏକତା ଲେଖିଛନ୍ତି ଯେ – ‘କେଟିନାଙ୍କ ପକ୍ଷରୁ ସମସ୍ତଙ୍କୁ ଜୟ ମାତା ଦି । ସେ ପ୍ରଥମେ ଟିନା ଥିଲେ । ଏବେ କେଟିନା । କାରଣ ‘କେ’ ଅକ୍ଷର ତାଙ୍କ ପାଇଁ ଖୁବ୍ ଲକି । କାରଣ ଜ୍ୟୋତିଷ ଏଭଳି ନାମକରଣ ପାଇଁ କହିଥିଲେ । ପସନ୍ଦଯୋଗ୍ୟ କାହାଣୀ ଏବଂ ସୁଟିଂ ଆରମ୍ଭ’ । ଏକତାଙ୍କ ଏଭଳି ପୋଷ୍ଟ ଦେଖିବା ପରେ ସିନେପ୍ରେମୀ ‘କେଟିନା’କୁ ଏକତାଙ୍କ ବାୟୋପିକ୍ ବୋଲି କହୁଛନ୍ତି । ପ୍ରଶଂସକ ମହଲରେ ମଧ୍ୟ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଅସୀମା ଛିବରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦିଶା ଜଣେ ପଞ୍ଜାବୀ ଝିଅ ଭୂମିକାରେ ପରଦା ଉପରକୁ ଆସିବେ । ଏହାର କାହାଣୀ ରଚନା କରିଛନ୍ତି ରାଜ୍ ସାଣ୍ଡିଲ୍ୟ ।