ପୁଣି ହୋଇପାରେ ବଡ଼ ଘୋଷଣା : ବିପିଏଲ ପରିବାରକୁ ମାସିକୁ ମିଳିବ ୨୫୦୦ ଟଙ୍କା
ଭୁବନେଶ୍ୱର(ଓଟି): ନିର୍ବାଚନ ପୂର୍ବରୁ ନିଜ ସପକ୍ଷରେ ପରିବେଶ ବନାଇବା ପାଇଁ ଏକାଧିକ ବଡ଼ ଫଇସଲା ଶୁଣାଇବାର ମୁଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଛନ୍ତି। ସାଧାରଣବର୍ଗର ଆର୍ଥିକ ପଛୁଆ ଲୋକଙ୍କ ଲାଗି ୧୦ପ୍ରତିଶତ ସଂରକ୍ଷଣ ପାଇଁ ସମ୍ୱିଧାନ ସଂଶୋଧନ ବିଲ ଆଗତ କରି ଲୋକସଭାରେ ମଙ୍ଗଳବାର ପାରିତ କରି ଦେଇ ବିରୋଧୀଙ୍କ ମୁହଁ ଏକପ୍ରକାର ବନ୍ଦ କରିଛନ୍ତି ମୋଦି ସରକାର । ତେବେ ସୂଚନାନୁସାରେ ଆଉ ଏକ ବଡ଼ ଘୋଷଣା ଅଳ୍ପ ଦିନ ଭିତରେ ମୋଦୀ ସରକାରଙ୍କ ପକ୍ଷରୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ଲାଗି ବଡ଼ ସୁବିଧାଜନକ ଯୋଜନା ଘୋଷଣା ହେବାକୁ ଯାଉଛି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା। ବିପିଏଲ ପରିବାରଙ୍କ ଲାଗି ମୋଦି ସରକାର ପ୍ରତି ମାସରେ ୨ହଜାରରୁ ଅଢେଇ ହଜାର ଟଙ୍କା ମଧ୍ୟରେ ଅର୍ଥ ରାଶି ପ୍ରଦାନ କରିବେ ବୋଲି ଆଲୋଚନା ହେଉଛି।
ଡିବିଟି ବା ଡାଇରେo ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ଏହି ଅର୍ଥ ସିଧାସଳଖ ବିପିଏଲ ପରିବାରର ପାଖରେ ପହଞ୍ଚିବ। ସୂଚନାନୁସାରେ ଏହି ସହାୟତା ଯୋଜନା ବାବଦରେ କିଛି ଦିନ ଧରି ସରକାରୀ ବିଭାଗରେ ଚର୍ଚ୍ଚା ହୋଇଛି ଏବଂ ଏଥିପାଇଁ ବର୍ଷକୁ ୩୦ରୁ ୪୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।
୨୦୧୧ ଜନଗଣନା ଆଧାରରେ ଚିହ୍ନଟ ହୋଇଥିବା ବିପିଏଲ ପରିବାରଗୁଡ଼ିକୁ ଏହି ସୁବିଧା ମିଳିବ। ସୂଚନାନୁସାରେ ଏହି ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରୁଥିଲେ। ହେଲେ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ କିଛିଟା ଅଡ଼ୁଆ ଅବସ୍ଥା ସୃଷ୍ଟି ହୋଇଥିଲା।
ତେବେ କେନ୍ଦ୍ର ସରକାର ଏହି ବଡ଼ ଯୋଜନା ପାଇଁ ପାଣ୍ଠି ଯୋଗାଡ଼ କରିସାରିଥିବା କୁହାଯାଉଛି । ୧୨୪ତମ ସମ୍ୱିଧାନ ସଂଶୋଧନ ବିଲ ପରେ ବିପିଏଲ ପରିବାରକୁ ମାସିକ ଆର୍ଥିକ ସହାୟତା ଯୋଜନା ମୋଦି ସରକାରଙ୍କ ଲାଗି ଆସନ୍ତା ନିର୍ବାଚନରେ ଗେମ ଚେଞ୍ଜର ହେବ ବୋଲି ବିଶ୍ଲେଷକମାନେ ମତ ଦେଉଛନ୍ତି।