ଜୟଦେବ ଭବନରେ ଦିଲ୍ଲୀପ ପାଳିବେ ଜନ୍ମଦିନ

ଭୁବନେଶ୍ୱର,(ଓଟି):ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ବିଜେପିର ହାତ ଛାଡିବା ସହିତ ବିଧାୟକ ପଦରୁ ଅବ୍ୟାହତି ନେବାପରେ ଶ୍ରୀ ରାୟ ବିଦେଶ ଗସ୍ତରେ ଯାଇଥିଲେ। ଇତି ମଧ୍ୟରେ ସେ ଓଡିଶା ଫେରିଥିବାବେଳେ ତାଙ୍କର ରାଜନୈତିକ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ଶ୍ରୀ ରାୟ କେଉଁ ଦଳରେ ଯୋଗଦେବେ ତାହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ତେବେ ବିଜେଡିରେ ଶ୍ରୀ ରାୟ ଯୋଗ ଦେବାନେଇ ଜବରଦସ୍ତ ଖବର ଆସୁଥିବାବେଳେ ଏପର୍ଯ୍ୟନ୍ତ ନା ବିଜେଡି ନା ଦିଲ୍ଲୀପ କେହି ଏ ସଂକ୍ରାନ୍ତରେ ସ୍ପଷ୍ଟ କରୁଛନ୍ତି।

ତେବେ ବଡ କଥା ହେଉଛି ଶ୍ରୀ ରାୟ ପ୍ରଥମଥର ତାଙ୍କର ଜନ୍ମଦିନ ମେଫେୟାର ହୋଟେଲ ବାହାରେ ପାଳନ କରିବାକୁ ଯାଉଛନ୍ତି। କାରଣ ପ୍ରତିବର୍ଷ ଜାନୁୟାରୀ ୯ ତାରିଖରେ ସେ ନିଜ ହୋଟେଲରେ ବନ୍ଧୁ ପରିଜନ ଓ ହୋଟେଲ କର୍ମଚାରୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଥାନ୍ତି। ଏହାକୁ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଓ କର୍ମଚାରୀଙ୍କ ବ୍ୟତିତ ଆଉ କେହି ଜାଣିପାରନ୍ତି ନାହିଁ। ଅତି ସାଧାସିଧା ଭାବେ ସେ ନିଜର ଜନ୍ମଦିନ ପାଳିଥାନ୍ତି । ପରଦିନ ସୋସାଲ ମିଡିଆରେ ଫଟୋ ଆସିଲେ ଅନେକ ଏହା ଜାଣିଥାନ୍ତି।

ଏଥର କିନ୍ତୁ ଶ୍ରୀ ରାୟଙ୍କ ଜନ୍ମଦିନ ରାଜ୍ୟସ୍ତରୀୟ ଭାବେ ପାଳନ କରାଯିବ। ଜୟଦେବଭବନକୁ ଏଥିପାଇଁ ସଂରକ୍ଷିତ କରାଯାଇଥିବାବେଳେ ଉଭୟ ରାଉରକେଲା ଓ ରାଜଧାନୀରୁ ଅଧିକ ସଂଖ୍ୟାରେ ଲୋକ ବିଶେଷକରି ରାଜନୈତିକ ନେତାମାନଙ୍କୁ ଏଠାକୁ ଆଣିବାପାଇଁ ଯୋଜନା ହେଉଛି । ଶ୍ରୀ ରାୟଙ୍କର ଏଭଳି ଜନ୍ମଦିନ ଆୟୋଜନ ନେଇ ଅନେକ ଆଦି ଅନ୍ତ ପାଉନଥିବାବେଳେ ଏହା ପଛରେ ତାଙ୍କର ରାଜନୈତିକ ଗୋଟିଚାଳନା ଥିବା ଅନେକ ମତ ଦେଉଛନ୍ତି। କାରଣ ଦୀର୍ଘଦିନ ଧରି ଉଭୟ କେନ୍ଦ୍ର ଓ ରାଜ୍ୟରେ ମନ୍ତ୍ରୀ ରହିବା ସହିତ ବିଧାୟକ ପଦରେ ରହିଥିଲେ ମଧ୍ୟ ଦିଲ୍ଲୀପ ଏଭଳି ଜନ୍ମଦିନ ପାଳନ କରିନଥିଲେ।

ଶ୍ରୀ ରାୟଙ୍କ ଜନ୍ମଦିନ ପାଳନ ଆଳରେ ଏଭଳି ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ସମସ୍ତ ନଜର କିନ୍ତୁ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ଉପରେ ରହିଛି। ଉଭୟ ଏକ ସଙ୍ଗେ ବିଜେପି ଛାଡିଥିବାବେଳେ ବିଜୟ ଇତି ମଧ୍ୟରେ କେନ୍ଦ୍ରାପଡାରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଛନ୍ତି। ତେଣୁ ଅନୁରୂପ ଢାଞ୍ଚାରେ ଦିଲ୍ଲୀପଙ୍କର ରାଜଧାନୀରେ ପ୍ରଦର୍ଶନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ସର୍ବସାଧାରଣ ସ୍ଥାନ ଏପରିକି ବିଧାନସଭାରେ ଖୁବ୍‍ କମ୍‍ ମୁହଁ ଖୋଲୁଥିବା ଦିଲ୍ଲୀପ ନିଜ ଜନ୍ମଦିନରେ ସମର୍ଥକମାନଙ୍କୁ ମୁହଁଖୋଲି କି ବାର୍ତ୍ତା ଦେଉଛନ୍ତି ଓ ତାଙ୍କ ଜନ୍ମଦିନ ଉତ୍ସବରେ କେଉଁମାନେ ଯୋଗ ଦେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *