ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ
- କୌଣସି ଦଳରେ ଯୋଗ ଦେବେନି ଦିଲୀପ
- ରାଉରକେଲାର ଆବଶ୍ୟକତାକୁ ଯିଏ ଅଗ୍ରାଧିକାର ଦେବ ତାକୁ ସମର୍ଥନ
ବନ୍ଧୁତ୍ୱ ଆଗରେ ସବୁକିଛି ମୂଲ୍ୟହୀନ ବୋଲି ରାଉରକେଲାର ପୁର୍ବତନ ବିଧାୟକ ଦିଲୀପ ରାୟ ପ୍ରମାରିତ କରିଛନ୍ତି। ଏପରିକି ତାଙ୍କ ସମର୍ଥକମାନେ ମଧ୍ୟ ଏହି ରାୟ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରଚାର କରିବାକୁ ଗୁରୁବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପାନପୋଷସ୍ଥିତ ନିଜ ନିବାସ ‘କଲ୍ୟାଣୀ’ ଠାରେ ଆଜି ଅପରାହ୍ଣ ୪ଟାରେ ହୋଇଥିବା ସମର୍ଥକ ଓ ଅନୁଗତଙ୍କ ବୈଠକରେ ଦିଲୀପ ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଦିଲୀପ କହିଛନ୍ତି, ବିଜୟ ମହାପାତ୍ର ମୋର ବନ୍ଧୁ ଏବଂ ତାଙ୍କ ପାଇଁ ଯାହା ଦରକାର ତାହା ନିଶ୍ଚିତ ଭାବରେ କରିବି। କୌଣସି ଦଳରେ ଯୋଗ ଦେବିନି ବୋଲି ବିଜେପିର ପୂର୍ବତନ ବରିଷ୍ଠ ନେତା କହିଛନ୍ତି।
ଦିଲୀପ ରାୟ କହିଛନ୍ତି, ବ୍ରାହ୍ମଣୀ ନଦୀ ଉପରେ ୨ୟ ପୋଲ ଏବଂ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ବର୍ଷ ୨୦୧୪ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀ ଏହି କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କରି ନାହାନ୍ତି। ବର୍ତ୍ତମାନ ଏହି କାମ ଯିଏ କରିପାରିବେ, ତାଙ୍କୁ ସମର୍ଥନ ଦେବି। ରାଉରକେଲାର ଆବଶ୍ୟକତାକୁ ଯିଏ ଅଗ୍ରାଧିକାର ଦେବ ତାକୁ ସମର୍ଥନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ବିଜେପିରୁ ଦିଲୀପ ପ୍ରାୟ ୪ ମାସ ତଳେ ଇସ୍ତଫା ଦେଇଥିଲେ। ମାତ୍ର ଦିଲୀପଙ୍କ ଇସ୍ତଫା ପତ୍ରକୁ ବିଜେପି ଗ୍ରହଣ କରି ନାହିଁ। ପୁଣି କିଛି ଦିନ ତଳେ ଦିଲୀପ ନବୀନ ନିବାସକୁ ମଧ୍ୟ ଯାଇଥିଲେ। ତପସ୍ପିନୀ ଏକ୍ସପ୍ରେସରେ ଆଜି ପୂର୍ବାହ୍ଣ ୭ଟା ୩୦ରେ ରାଉରକେଲା ପହଞ୍ଚିବା ପରେ ବିଭିନ୍ନ ଦଳର ନେତାମାନେ ଦିଲୀପଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଦିଲୀପ ବିଭିନ୍ନ ଦଳର ନେତାଙ୍କ ସହ ସ୍ୱତନ୍ତ୍ର ଭାବେ ସଂକ୍ଷେପରେ ଆଲୋଚନା ମଧ୍ୟ କରିଥିଲେ।
ଓଡ଼ିଶା ରାଜନୀତିରେ ଦୁଇ ଭେଟ୍ରାନ ରାଜନେତା ହେଉଛନ୍ତି ବିଜୟ ମହାପାତ୍ର ଓ ଦିଲୀପ ରାୟ। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ବ୍ୟକ୍ତି ଓ ଅନୁଗତ। ବିଜୁବାବୁଙ୍କ ଦେହାନ୍ତ ପରେ ଏମାନେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। ଶେଷରେ ସେମାନେ ବିଜେପିରେ ସାମିଲ ହୋଇଥିଲେ। ତେବେ ଗତ ନିର୍ବାଚନରେ ଦିଲୀପ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲ୍ କରିବା ପାଇଁ ରାଉରକେଲା ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂରଣ ହୋଇନଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ବିଜୟ ମହାପାତ୍ରଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିଲେ।