ରାଜନୀତିରେ ରଙ୍ଗ ପରିବର୍ତ୍ତନକାରୀ ଏଣ୍ଡୁଅ ଦିଲ୍ଲୀପ ରାୟ
ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କରେ ବୋଲି ସମସ୍ତେ ଜାଣନ୍ତି। ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଲା ଭଳି ରାଜନେତାମାନେ ନିଜର ସ୍ୱାର୍ଥ ପାଇଁ ବୟାନ ମଧ୍ୟ ବାରମ୍ୱାର ବଦଳାଇବାକୁ ଲାଜ କରିନଥାନ୍ତି। ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଆମ ରାଜ୍ୟର ଏପରି ଜଣେ ନେତା ଯିଏ ଗତ ୬ମାସ ହେଲାଣି ନିଜର ବୟାନ ବାରମ୍ୱାର ବଦଳାଇବାରେ ଲାଗିଛନ୍ତି। ଆଜି କଥାକୁ ସିଏ ଆସନ୍ତାକାଲି ବଦଳାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ରଙ୍ଗ ପରିବର୍ତ୍ତନକାରୀ ଏଣ୍ଡୁଅଠାରୁ ସେ ଅଧିକ ଥର ନିଜର ମତ ବଦଳାଇବାରେ ଲାଗିଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ଆଭିମୁଖ୍ୟ ଏବେ ସନ୍ଦେହ ଘେରରେ । ସେ ନିଜେ ଏବେ କେତେବେଳେ କଣ କହୁଛନ୍ତି ଓ କି ପ୍ରକାରର ପଦକ୍ଷେପ ନେଉଛନ୍ତି ବୋଧହୁଏ ସେ ଜାଣି ପାରୁ ନାହାନ୍ତି । ଯେଉଁ ରାଉରକେଲା ବାସୀଙ୍କ କଥାକୁ ଦ୍ୱାହୀ ଦେଇ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ଏବେ ସେହି ରାଉରେକଲା ବାସୀ ଦିଲ୍ଲୀପଙ୍କୁ ନେଇ ଦ୍ୱନ୍ଦରେ ପକାଇଛି । ଦିଲ୍ଲୀପ କଣ କହୁଛନ୍ତି ଲୋକଙ୍କ ବୁଝିବା କଷ୍ଟ ହେଲାଣି । ଏବେ ସେ ଜାରି କରିଥିବା ଏକ ପ୍ରେସ ଇସ୍ତାହାରକୁ ଦେଖିଲେ ଦିଲ୍ଲୀପଙ୍କୁ ନେଇ ଏହି ଦ୍ୱନ୍ଦ୍ୱ ଉପୁଜୁଛି ।
ନଭେମ୍ବର ଶେଷରେ ଦିଲ୍ଲୀପ ବିଜେପିରୁ ବିଜୟଙ୍କ ସହ ଇସ୍ତଫା ଦେବା ପରେ କେଉଁ ଆଡେ ଆତ୍ମନିର୍ବାସନରେ ଯାଇଥିଲେ। ଏହାର କିଛି ଦିନ ପରେ ରାଉରକେଲାରେ ଫେରି ଗଣମାଧ୍ୟମରେ ଯେଉଁ ମତ ରଖିଲେ ତାହା ସମସ୍ତଙ୍କୁ ଚକିତ କରିଦେଲା । ଏଥିସହ ଅନୁପଚାରିକ ଭାବେ ଆଲୋଚନା ସମୟରେ ଗଣମାଧ୍ୟମ ପ୍ରତିନିଧି ଓ ତାଙ୍କ ନିଜ ଲୋକଙ୍କୁ ଯେଉଁ ସୂଚନା ଦେଇଥିଲେ ତାହା ମଧ୍ୟ ସମସ୍ତଙ୍କୁ ଆଚାର୍ଯ୍ୟ କରିଥିଲା । ଏବେ ଦିଲ୍ଲୀପ ଜାରି ପ୍ରେସ ଇସ୍ତାହାରକୁ ଦେଖିଲେ ସବୁ କିଛି ଓଲଟପାଲଟ ହେଇଯାଉଛି ।
ଦିଲ୍ଲୀପ ଆସି ରାଉରକେଲାରେ ବିଭିନ୍ନ ମତ ରଖିବା ଭିତରେ ବର୍ତ୍ତମାନ ନିର୍ବାଚନ ସମୟରେ ବିଜେପିକୁ ଭୋଟ ନ ଦେବା ଲାଗି ଗୁରୁତ୍ୱପୂଣ୍ଣ କଥା ଉଠିଥିଲା । ଯେ ପ୍ରତିଶ୍ରୁତି ଦେଇ ପୂରଣ କରିନାହିଁ ତାକୁ ଭୋଟ ଦିଅ ନାହିଁ ବୋଲି ସେ ସିଧା ସଳଖ କହିଥିଲେ । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଏହି ଦୁଇ ପ୍ରକଳ୍ପ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ବର୍ତ୍ତମାନ ସୁଦ୍ଧା ପାଳନ ହୋଇନଥିବା କହିଥିଲେ । ସେ ସିଧାସଳଖ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ । ଦିଲ୍ଲୀପଙ୍କ ଏହି ମତ ସେ ସମୟରେ ଯେତିକି ଚାଞ୍ଚଲ୍ୟ ଖେଳାଇ ନଥିଲା ବର୍ତ୍ତମାନ ତାଙ୍କ ପ୍ରେସ ଇସ୍ତାହାର ସେତିକି ଚାଞ୍ଚଲ୍ୟ ଖେଳାଉଥିବାର ଦେଖିବାକୁ ମିଳୁଛି।
ଏବେ ଦିଲ୍ଲୀପ ଜାରି କରିଥିବା ପ୍ରେସ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି, ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ପ୍ରଧାନମନ୍ତ୍ରୀଙ୍କୁ ଦପ୍ତରରୁ ହସ୍ତକ୍ଷେପ ହୋଇଛି । ହସ୍ପିଟାଲ କୋଠା ନିର୍ମାଣ ନେଇ ସେଲ ପକ୍ଷରୁ ୯୮ କୋଟି ଟଙ୍କା ଦିଆଯାଇଛି । ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ଇସ୍ପାତ ମନ୍ତ୍ରଣୀଳୟ ସେଲକୁ ୧୦୫ କୋଟି ୭୫ ଲକ୍ଷ ଟଙ୍କା ଦେଇଛି । ବିଳମ୍ବ ସତ୍ତ୍ୱେ ପାଣ୍ଠି ଆସି ତ୍ୱରିତ ଭେବେ କାର୍ଯ୍ୟ ଚାଲିଥିବାରୁ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ବ୍ରାହ୍ମଣୀ ସେତୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ପ୍ରତିଶ୍ରୁତି ପାଇଛନ୍ତି ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଏହା ଶେଷ ହେବ । ବର୍ତ୍ତମାନ ପରିସ୍ଥିତିରେ ଏହା ଆମ ବଡ ଆଶ୍ୱାସନା ଯେ ନହେବା ଠାରୁ ବିଳମ୍ବରେ ହେବା ଭଲ । ଏହି ଦୁଇ ପ୍ରକଳ୍ପ ବିନା ବିଳମ୍ବରେ ଆଗେଇ ଚାଲିବ ଓ ରାଉରକେଲା ବାସୀଙ୍କ ଆଶା ଆଙ୍କେଖା ଆଗେଇ ଚାଲିବ ବୋଲି ଦିଲ୍ଲୀପ କହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ରାଉରକେଲାରେ ଆଇଜିଏଚ୍ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ତ୍ୱରାନ୍ୱିତ କରାଯାଉଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ପ୍ରେସ ଇସ୍ତାହାର ଦେଇ ଦିଲ୍ଲୀପ ଏବେ ଆଉ ରାଉରେକଲାରେ ନାହାନ୍ତି । ସେ ଓଡିଶା ବାହାରକୁ ଚାଲିଯାଇଛନ୍ତି । ଫଳରେ ରାଉରେକଲା ବାସୀ ବା ସୁନ୍ଦରଗଡବାସୀ ଦିଲ୍ଲୀପକୁ ଏହି ପ୍ରେସ ଇସ୍ତାହାରକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ।