ବିଜେପିକୁ ଫେରିପାରନ୍ତି ବିଜୟ ଓ ଦିଲ୍ଲୀପ
ଭୁବନେଶ୍ଵର, (ଓଟି): ଅଭିମାନ ଓ ଗୁରୁତ୍ଵ ପାଇଁ କିଛିଦିନ ତଳେ ବିଜେପି ଓ ବିଧାୟକ ପଦ ଛାଡ଼ିଥିବା ଶିଳ୍ପପତି ଦିଲ୍ଲୀପ ରାୟ ଏବଂ ତାଙ୍କ ବନ୍ଧୁ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ହେବି ଓ୍ବେଟ୍ ବିଜୟ ମହାପାତ୍ର ପୁଣିଥରେ ପାର୍ଟିକୁ ଫେରିପାରନ୍ତି। ଏନେଇ ଦଳର ଶୀର୍ଷସ୍ତରରେ ଆଲୋଚନା ଚାଲିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଏବଂ କିଛି ସଂଘ କାର୍ଯ୍ୟକର୍ତ୍ତା, ଦଳୀୟ ସ୍ଵାର୍ଥ ପାଇଁ ଏ ପ୍ରକାର ନିଷ୍ପତ୍ତି ପାଇଁ ପରାମର୍ଶ ଦେଉଥିବା ମଧ୍ୟ ଚର୍ଚା ହେଉଛି ।
୨୦୧୪ ନିର୍ବାଚନର କିଛି ଦିନ ପୂର୍ବରୁ ଆମଦାନୀ ହୋଇଥିବା ଏହି ଦୁଇ ନେତାଙ୍କ ଉପରେ ଦଳର ରାଜ୍ୟ ନେତାଙ୍କ ଭରସା ତୁଟିଥିଲା। ୨୦୧୭ ବେଳକୁ ଏହା ଉତ୍କଟ ହୋଇଥିଲା। ଏମିତି ପରିସ୍ଥିତି ହୋଇଥିଲା ଯେ, ଦିଲ୍ଲୀପ ଓ ବିଜୟଙ୍କୁ ମୋ ବୁଥ କାର୍ଯ୍ୟକ୍ରମରେ ସ୍ଥାନ ମିଳିଲା ନାହିଁ। ଏହାକୁ କେନ୍ଦ୍ରକରି ଅସନ୍ତୋଷ ବଢ଼ିଥିଲା।
ବାରମ୍ବାର ଅଭିମାନ ପୋଷଣ କରିବା ସତ୍ତେ୍ବ ପ୍ରୟ ଏକଘରିଆ ହୋଇପଡ଼ିବାରୁ ଦିଲ୍ଲୀପ ନଭେମ୍ବର ୩୦ ତାରିଖରେ ବିଜେପି ଓ ବିଧାୟକପଦବୀ ତ୍ୟାଗ କରିଥିଲେ। ତାଙ୍କ କଥା ଦଳରେ ରହୁନଥିବା ସେ କହିଥିଲେ। ସିଧା ସଳଖ ନିଜର ରୋଷ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଡ଼କୁ ନିକ୍ଷେପ କରିଥିଲେ। ବ୍ରାହ୍ମଣୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ ଏବଂ ରାଉରକେଲାରେ ମେଡିକାଲ୍ କଲେଜ ସ୍ଥାପନା ପ୍ରଭୃତି ପ୍ରସଙ୍ଗକୁ ନେଇ ତାଙ୍କୁ ଦଳର ଏହି ନେତା ପଥରୋଧ କରୁଛନ୍ତି ବୋଲି ତାଙ୍କର ଅନୁଭବ ହୋଇଥିଲା। ଏଣୁ ସେ ଦଳ ଛାଡ଼ିଥଲେ।
ବିଜେଡିରେ ଯୋଗଦେବା ନୋହିଲା
ବିଜେପି ଛାଡ଼ିବାପରେ ଉଭୟ ବିଜେଡି ଫେରିବା ନେଇ ଚର୍ଚା ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଏଥିନେଇ ସବୁଜସଙ୍କେତ ଦେଇ ନଥିଲେ। ଏଣୁ ତାହା ବାଟବଣା ହୋଇଥିଲା।
ସୁନ୍ଦରଗଡ଼ ଭିନ୍ନ ପରିସ୍ଥିତି
ଏବେ କିନ୍ତୁ ବିନା ଦିଲ୍ଲୀପରେ ସୁନ୍ଦରଗଡ଼ରେ ବିଜୟ ଦେଖିପାରୁନାହିଁ ବିଜେପି। ବିଶେଷକରି ମନ୍ତ୍ରୀ ଜୁଏଲ୍ ସଂଘାତିକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଆଶଙ୍କା ହେଉଛି। ଏଣୁ ସେ ଚାହୁଁଛନ୍ତି କୌଣସି ପରିସ୍ଥିତିରେ ବି ଦିଲ୍ଲୀପଙ୍କୁ ଦଳକୁ ଆଣିବା ଲାଗି। ଆଉ ସେ ଆସିଲେ ଉପକୂଳ ଓଡ଼ିଶାର ତୁଙ୍ଗନେତା ବିଜୟ ମହାପାତ୍ର ପୁଣିଥରେ ଆସିବା ସ୍ପଷ୍ଟ ହେବ।
ଜୁଏଲଙ୍କ ଏହି ମତକୁ ସଂଘ କାର୍ଯ୍ୟକର୍ତ୍ତା ସମର୍ଥନ କରୁଛନ୍ତି। ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ପ୍ରସ୍ତାବକୁ ସମର୍ଥନ କରନ୍ତି ତେବେ ଦୁଇ ଷ୍ଟଲ୍ୱାର୍ଟଙ୍କ ଘର ବାହୁଡ଼ା ହେବ।