ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ
ରାଉରକେଲା ଉନ୍ନତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଶୋଦଗାର କରି ବିଜେପିରୁ ଇସ୍ତଫା ଦେଇଥିବା ରାଜନେତା ତଥା ବିଶିଷ୍ଟ ବ୍ୟବସାୟୀ ଦିଲୀପ ରାୟ ବିଜେଡି ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାର ଆଉ ସମ୍ଭାବନା ନାହିଁ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କାରଣ ବୁଧବାର ଦିନ ଶାସକ ଦଳର ଯେଉଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବିଜେଡି ପାଇଁ ଦିଲୀପ ରାୟଙ୍କର ଆବଶ୍ୟକତା ଆଉ ନାହିଁ।
ଦିଲୀପ ରାୟ ବିଜେଡି ମିଶିଲେ ତାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଦିଲୀପ ଗ୍ରହଣ କରିନଥିଲେ ବୋଲି ବିଜେଡି ମହଲରେ ଆଲୋଚନା ହେଉଛି। କାରଣ ବିଜେଡି ମିଶିବା ନେଇ ଦିଲୀପଙ୍କ ସହିତ ଆଲୋଚନାବେଳେ ଉଭୟ ପକ୍ଷ ଯେଉଁ ସର୍ତ୍ତ ରଖିଥିଲେ ତାହା କାହା ପକ୍ଷରେ ଗ୍ରହଣୀୟ ହୋଇନଥିଲା। ପରେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଆସିବା ପରେ ଦିଲୀପ ନବୀନ ନିବାସକୁ ଯାଇଥିଲେ। ଏହି ଆଲୋଚନା ସମୟରେ ଦିଲୀପଙ୍କ ଯୋଗଦାନ ନେଇ ଉଭୟ ପକ୍ଷର ଯେଉଁ ସମସ୍ୟା ଥିଲା ତାର ସମସ୍ୟାର ସମାଧାନ ହୋଇପାରିନଥିଲା। କାରଣ ନବୀନ ଏହି ଆଲୋଚନା ନିଜେ ବସିବାକୁ ଚାହିଁନଥିଲେ। ଅନ୍ୟମାନଙ୍କ ସହିତ ଆଲୋଚନା କରି ମିଶ୍ରଣ ଯୋଜନା ପ୍ରସ୍ତୁତ କରିବାକୁ ଦିଲୀପ ଚାହିଁନଥିଲେ। ଫଳରେ ବିଜେଡିରେ ଦିଲୀପ ଯୋଗଦାନ ନେଇ ଯେଉଁ ଖବର ଆସୁଥିଲା ତାହା ଅଦ୍ୟାବଧି ସମ୍ଭବ ହୋଇପାରିନାହିଁ। ବିଜେଡି ଦିଲୀପ ଯୋଗଦାନ ନେଇ ପ୍ରଥମେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ହଟିଯିବା ପରେ ଦିଲୀପ ଆଉ ଏବେ ବିଜେଡିରେ ଯୋଗଦେବାକୁ ଆଗ୍ରହୀ ନୁହଁନ୍ତି ବୋଲି ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ।
ଇତିମଧ୍ୟରେ ଦିଲୀପଙ୍କ ବନ୍ଧୁ ବିଜୟ ମହାପାତ୍ର ବିଜେପି ନେତାମାନଙ୍କ ଅନୁରୋଧ ପରେ ପୁଣି ଦଳକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ସମୟ ସୁବିଧା ଦେଖି ରାଜ୍ୟ କାର୍ଯ୍ୟାଳୟକୁ ଆସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କୁହାଯାଉଛି। ବିଜୟ ଓ ଦିଲୀପ ବିଜେପି ସହିତ ଅଛନ୍ତି ବୋଲି ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିସାରିଛନ୍ତି। ଏପରି କ୍ଷେତ୍ରରେ ଦିଲୀପ ତାଙ୍କ ବନ୍ଧୁ ବିଜୟଙ୍କ ପଥ ଅନୁସରଣ କରି ପୁଣି ବିଜେପିକୁ ଆସିବେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। କାରଣ ଦିଲୀପ ପାଇଁ ଆଉ କୌଣସି ବିକଳ୍ପ ନାହିଁ।