କଂଗ୍ରେସର ପୁରୁଣା ରୋଗ ଆରମ୍ଭ : ସର୍ଜିକାଲ ଷ୍ଟ୍ରାଇକ ପ୍ରମାଣ ମାଗିଲେ ଦିଗବିଜୟ
ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଂଗ୍ରେସର ପୁରୁଣା ରୋଗ ଆରମ୍ଭ ହେଲାଣି। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଭାରତକୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଯେଭଳି ଆମେରିକା ଓସାମା ଅପରେସନର ପ୍ରମାଣ ଦେଇଥିଲା, ଠିକ ସେହିଭଳି ଭାରତ ସରକାର ମଧ୍ୟ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦେବା ଉଚିତ ବୋଲି କହିଛନ୍ତି ଦିଗବିଜୟ। ଦିଗବିଜୟ କହିଛନ୍ତି ଯେ, ସେ ଭାରତୀୟ ବାୟୁସେନାର ହମଲାକୁ ପ୍ରଶ୍ନ କରୁନାହାନ୍ତି। ଖୋଲା ଜାଗାରେ କରାଯାଇଥିବା ହମଲାର ଫଟୋ ସାଟେଲାଇଟରେ ଉପଲବ୍ଧ କିନ୍ତୁ ସେ ସରକାରଙ୍କଠାରୁ ପ୍ରମାଣ ଚାହୁଁଛନ୍ତି।
ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାର ମୀରାଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ସୀମା ଅନ୍ତର୍ଗତ ମୁଜାଫରବାଦ ଵାଲାକୋଟରେ ପଶି ଆତଙ୍କୀ ଶିବିର ଧ୍ବଂସ କରିଥିଲା। ଏହାପରେ ୨୭ ତାରିଖରେ ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ଏହାର ଜବାବରେ ଭାରତର ମିଗ-୨୧ ବିମାନ ପାକିସ୍ତାନର ଏଫ-୧୬ ବିମାନକୁ ଧ୍ବଂସ କରିଥିଲା। ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଟେକ୍ନିକାଲ ଇଣ୍ଟେଲିଜେନ୍ସର ସୀମା ଏବଂ ସେଠାରେ ଥିବା ଗୁଇନ୍ଦା ସୂଚନା ଠିକ ଭାବେ ମିଳିନଥିବାରୁ କେତେ ଆତଙ୍କୀ ନିହତ ହୋଇଛନ୍ତି ତାହା ଆକଳନ କରାଯାଇ ପାରିନାହିଁ।
ଇମ୍ରାନ ଜଣେ ଭଲ ପଡୋଶୀ
ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମୁକ୍ତିକୁ ନେଇ ଦିଗବିଜୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିନନ୍ଦନଙ୍କୁ ମୁକ୍ତ କରି ଇମ୍ରାନ ଜଣେ ଭଲ ପଡୋଶୀ ହୋଇଥିବା ପ୍ରମାଣ କରିଛନ୍ତି ବୋଲି କହିଛନ୍ତି ଦିଗବିଜୟ। ଏବେ ମସୁଦ ଅଜହର ଏବଂ ହାଫିଜ ସୟିଦକୁ ଭାରତକୁ ହସ୍ତାନ୍ତର କରି ନିଜ ସାହାସିକତାର ପ୍ରମାଣ ଦେବା ଉଚିତ ବୋଲି କହିଛନ୍ତି ଦିଗବିଜୟ।
ସଲମାନ ଖୁର୍ସିଦଙ୍କ ଗାଲୁଆମୀ
ଖୁର୍ସିଦ ଟ୍ୱିଟ କରିଛନ୍ତି ଯେ, ଶତ୍ରୁର ଆକ୍ରମଣାତ୍ମକ ସ୍ଥିତି ସାମ୍ନାରେ ଭାରତୀୟ ପ୍ରତିରୋଧ କମାଣ୍ଡର ଅଭିନନ୍ଦନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଙ୍କଟ ସ୍ଥିତିରେ ସେ ବହୁତ ଭଲ ସନ୍ତୁଳନ ଏବଂ ଆତ୍ମା ବିଶ୍ୱାସ ଦେଖାଇଛନ୍ତି ବୋଲି କହିଛନ୍ତି ଖୁର୍ସିଦ। ୨୦୦୪ ମସିହାରେ ଅଭିନନ୍ଦନ ବାୟୁସେନାରେ ଯୋଗ ଦେଇଥିଲେ | ସଂଯୁକ୍ତ ପ୍ରଗତିଶୀଳ ମହାମେଣ୍ଟ (ୟୁପିଏ) ଶାସନକାଳରେ ଅଭିନନ୍ଦନ ଫାଇଟର ପାଇଲଟ ହୋଇଥିଲେ। ସେଥିପାଇଁ ସେ ଗର୍ବିତ ବୋଲି ଟ୍ୱିଟ କରିଛନ୍ତି ଖୁର୍ସିଦ। ଖୁର୍ସିଦଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡ଼ିଆରେ ଲୋକେ ରାଗିଯାଇଛନ୍ତି। ୟୁଜର୍ସ କହିଛନ୍ତି ଯେ, ସେନାଙ୍କୁ ରାଜନେତାମାନେ ରାଜନୀତି ନକରନ୍ତୁ।