୨୨ ବିଧାୟକଙ୍କୁ ଭେଟିବା ଦାବିରେ ଦିଗବିଜୟଙ୍କ ଅନଶନ
ବେଙ୍ଗାଲୁରୁ (ଓଟି): ମଧ୍ୟପ୍ରଦେଶ ରାଜନୀତିର ମହାନାଟକ ଶେଷ ହୋଇନି। ସମ୍ପ୍ରତି ଏହି ନାଟକ କର୍ଣ୍ଣାଟକରେ ଜୋର ଧରିଛି। କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ଭେଟିବା ଦାବି କରି ବରିଷ୍ଠ ନେତା ଦିଗବଜୟ ସିଂହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଫଳରେ ସ୍ଥିତି ଭିନ୍ନ ଆଡ଼କୁ ଗତି କରୁଛି। ସୂଚନା ଅନୁସାରେ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଶ୍ରୀ ସିଂହ କର୍ଣ୍ଣାଟକ ଆସିଥିଲେ। ତେବେ ଦଳୀୟ ବିଧାୟକଙ୍କୁ ବଳପୂର୍ବକ ଅଟକ ରଖଯାଇଥିବା ଅଭିଯୋଗ କରିବା ସହ ସେ ପ୍ରତିବାଦରେ ଅନଶନ କରିଛନ୍ତି। ବୁଧବାର ଭୋର ସମୟରେ ଦଳୀୟ ବିଧାୟକଙ୍କୁ ଭେଟିବାକୁ ବେଙ୍ଗାଲୁରୁ ପହଞ୍ଚିଥିବା ଦିଗବିଜୟଙ୍କୁ ହୋଟେଲ ନିକଟରେ ପୁଲିସ୍ ଅଟକାଇବା ସହ ତାଙ୍କୁ କଂଗ୍ରେସ ବିଧାୟକଙ୍କ ସହ ସାକ୍ଷାତ କରିବାକୁ ଦିଆଯାଇନଥିଲା। ବାସ୍ ସେଇଠୁ ପ୍ରତିବାଦରେ ଆମରଣ ଅନଶନରେ ବସିଥିଲେ ଶ୍ରୀ ସିଂହ।
ସୂଚନା ଯୋଗ୍ୟ ଯେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ କାମକୁ ନେଇ ଅସନ୍ତୁଷ୍ଟ ଥିବା ଦର୍ଶାଇ ଦଳରୁ ଇସ୍ତଫା ଦେଇଥିଲେ କଂଗ୍ରେସର ୨୨ ଜଣ ବିଧାୟକ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ୨୨ ଜଣ ବିଧାୟକ ଏଭଳି ପତ୍ର ପଠାଇଥିଲେ। ତେବେ ଇସ୍ତଫା ପରେ ସମସ୍ତ ବିଧାୟକଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଏକ ରିସୋର୍ଟରେ ରଖାଯାଇଥିଲା ଏବଂ ପରେ ହୋଟେଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କୁହାଯାଉଛି। ଏହି ସ୍ଥିତିରେ ବୁଧବାର କଂଗ୍ରେସ ନେତା ଦିଗବିଜୟ ସିଂହ ସମ୍ପୃକ୍ତ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ଉକ୍ତ ହୋଟେଲ ନିକଟରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଯିବାରୁ ସେ ବିଜେପି ଉପରେ ବର୍ଷିବା ସହ ବିଧାୟକମାନଙ୍କୁ ବନ୍ଦ କରି ରଖାଯାଇଛି ବୋଲି ଅଭିଯୋଗ କରିଥିଲେ ଏବଂ ପ୍ରତିବାଦରେ ଅନଶନରେ ବସିଥିଲେ।
ଉଲ୍ଲେଖଯୋଗ୍ୟଯେ ଆସନ୍ତା ୨୬ତାରିଖରେ ରାଜ୍ୟସଭା ନିର୍ବାଚନ ହେବ।