ଆମେ ତ ଉଡୁ ଆଜି ଆକାଶେ…

ଭୁବନେଶ୍ଵର(ଓଟି): ଆମେ ତ ଭାଗ୍ୟବାନ ପିଲାରେ… ଆଉକେ ଆମପରି ଅଛିରେ… ଆମେ ତ ଉଡୁ ଆଜି ଆକାଶେ…

ଏଭଳି ଆକାଶରେ ଉଡିବା ପାଇଁ ସତେ କାହାର ଅବା ଇଚ୍ଛା ନାହିଁ! ବରଂ ସମସ୍ତଙ୍କ ସ୍ଵପ୍ନ ଥାଏ- ଥରେ ହେଉ ପଛେ ଆକାଶରେ ଉଡ଼ିବା ପାଇଁ। ବିଶେଷକରି ପିଲାମାନେ ଉଡ଼ାଜାହାଜ ଦେଖିବାକୁ ଯେମିତି ଭଲ ପାଆନ୍ତି, ସେଥିରେ ବସିବାର ଆଶା ସ୍ଵତଃ ମନରେ ଜାଗ୍ରତ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆଉ ସେହି ସୁଯୋଗ ପାଇଗଲେ ଦେଖ ପିଲାଙ୍କ କି ଆନନ୍ଦ!

ହଁ, ଆଜି ସେଭଳି ଆନନ୍ଦ ପାଇଛନ୍ତି, ଆକାଶରେ ଉଡ଼ିବାର ମଜା ଉଠାଇଛନ୍ତି ପିଲାମାନେ।

ଭୁବନେଶ୍ଵର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୪୦ ମିନିଟ ପର୍ଯ୍ୟନ୍ତ ୪୪ଜଣ ଦିବ୍ୟାଙ୍ଗ ପିଲା ଆକାଶରେ ଉଡ଼ିଥିଲେ। ଏଥିଲାଗି ଆଲିଆନ୍ସ ଏୟାର୍‌ ପକ୍ଷରୁ ସ୍ଵତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଥିବାବେଳେ ପିଲାଙ୍କୁ ଏଭଳି ସୁଯୋଗ ଭେଟିଦେଇଥିଲେ ସ୍ଵାଭିମାନ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୁତି ମହାପାତ୍ର। ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁ ପିଲାମାନଙ୍କ ଆଶା ପୂରଣ ହୋଇପାରିଛି ବୋଲି ଶ୍ରୁତି ମହାପାତ୍ର ଆନନ୍ଦ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ପିଲାମାନେ ଆକାଶରେ ଉଡ଼ିବା ତଥା ବିମାନରେ ବସି ବୁଲିବା ପରେ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *