ନିର୍ବାଚନ ଲଢିବେ ନାହିଁ ଧର୍ମେନ୍ଦ୍ର!

ଚଳିତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୧୦ଟି ଲୋକସଭା ଓ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଏହି ତାଲିକାରେ ରାଜ୍ୟ ବିଜେପିର ପୋଷ୍ଟର ବୟ ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନାହିଁ। ତେଣୁ ଧର୍ମେନ୍ଦ୍ର ନିର୍ବାଚନ ଲଢିବେ ନାହିଁ, ଆବଶ୍ୟକ ପଡିଲେ ଗଳା ବାଟର ଆଶ୍ରୟ ନେଇ କ୍ଷମତା ହାସଲ କରିବେ ବୋଲି ବିଜେପି ମହଲରେ ଆଲୋଚନା ହେଉଛି।

ପ୍ରକାଶିତ ତାଲିକାରେ ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଳା ଅନୁଗୁଳ ଓ ପଡୋଶୀ ଢ଼େଙ୍କାନାଳ ଜିଲ୍ଳାର ସମସ୍ତ ଆସନ ପାଇଁ ପ୍ରାର୍ଥଙ୍କ ନାମ ଘୋଷଣା ହୋଇଛି। ଧର୍ମେନ୍ଦ୍ର ପୂର୍ବରୁ ଲଢୁଥିବା ପାଲଲହଡା ଆସନ ପାଇଁ ଅଶୋକ ମହାନ୍ତି, ତାଳଚେର ଆସନ ପାଇଁ ତାଙ୍କର ଖାସ ଅନୁଗତ କାଳନ୍ଦୀ ସାମଲ, ଅନୁଗୁଳ ଆସନ ପାଇଁ ପ୍ରତାପ ପ୍ରଧାନଙ୍କୁ ପ୍ରାର୍ଥ କରାଯାଇଛି। ପଡୋଶୀ ଢ଼େଙ୍କାନାଳର ପର୍ଜଙ୍ଗ ଆସନ ପାଇଁ ତାଙ୍କ ସମ୍ପର୍କୀୟ ଭାଇ ବିଭୁତି ପ୍ରଧାନ, କାମାକ୍ଷାନଗର ପାଇଁ ଶତ୍ରୁଘ୍ନ ଜେନା, ଢ଼େଙ୍କାନାଳ ସଦର ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନାମ ଘୋଷଣା ହୋଇଛି। ଏପରିକି ଢ଼େଙ୍କାନାଳ ଳୋକସଭା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣିଙ୍କ ନାମ ବି ଘୋଷଣା ହୋଇସାରିଛି।

ଏହିସବୁ ଆସନରେ ଧର୍ମେନ୍ଦ୍ର ପ୍ରତିଦ୍ୱନ୍ଦ୍ୱୀତା କରିବାର ସମ୍ଭାବନା ଥିଲା। ଏପରିକି ସେ ପୂର୍ବରୁ ସାଂସଦ ଲଢ଼ି ବିଜୟୀ ହୋଇଥିବା ଦେବଗଡ ଆସନ ଆଉ ନାହିଁ। ଦେବଗଡର କିଛି ବିଧାନସଭାକୁ ନେଇ ଏବେ ନୂତନ ଭାବେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ହୋଇଛି। ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିଲେ ହେଁ ଧର୍ମେନ୍ଦ୍ର ସେଠାରୁ ଲଢିବା ଆଶା କ୍ଷୀଣ। କାରଣ ସେଠାରେ ବଜରଙ୍ଗ ଦଳର ପୂର୍ବତନ ମୁଖିଆ ସୁବାଷ ଚୌହାନ ଗତ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଗତ ନିର୍ବାଚନ ପରଠାରୁ ବିଜେପିର ଏକମାତ୍ର ନେତାଭାବେ ସେ ନିରବଛିନ୍ନ ଭାବେ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସହିତ ସମ୍ପର୍କରେ ଅଛନ୍ତି। ତେଣୁ ସେ ଚଳିତ ନିର୍ବାଚନରେ ବରଗଡରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି।

ଏହିସବୁ ଆସନକୁ ଛାଡି ଦେଲେ ଧର୍ମେନ୍ଦ୍ରଙ୍କ ପାଇଁ ଆଉ କୌଣସି ସୁରକ୍ଷିତ ଆସନ ନାହିଁ। ତେଣୁ ସେ ଚଳିତ ନିର୍ବାଚନରେ ନ ଲଢି ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କାମରେ ମନ ନିବେଶ କରିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଯଦି ବିଜେପି ନିର୍ବାଚନରେ ସଂଖ୍ୟାଗରିଷ୍ଠ ହାସଲ କରେ ତେବେ ଧର୍ମେନ୍ଦ୍ର ଗଳା ବାଟ ଦେଖି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *