ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

ମାସକ ପୂର୍ବରୁ ରାଜ୍ୟ ବିଜେପି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା। କିନ୍ତୁ ଏବେ ସେହି ସ୍ଥିତିରେ ବ୍ୟାପକ ପରିବର୍ତ୍ତନ ହେବାରେ ଲାଗିଛି। ଧର୍ମେନ୍ଦ୍ର ନ ଚାହିଁଲେ ବି ଦଳରେ ଅନେକ କଥା ଘଟିବାରେ ଲାଗିଛି। ଏସବୁ ଘଟଣା କେମିତି ହେଉଛିଓ ତାର ନେତୃତ୍ୱ କିଏ ନେଉଛି ସେ ସମ୍ପର୍କରେ ଧର୍ମେନ୍ଦ୍ର ଆଗୁଆ ସୂଚନା ପାଉନାହାଁନ୍ତି। ଦିନେ ବିଜେପି ଓ ଧର୍ମେନ୍ଦ୍ରଙ୍କୁ କଟୁ ସମାଲୋଚନା କରୁଥିବା ନେତାମାନେ ଏବେ ବିଜେପିରେ ଯୋଗଦେଇ ନିଜର ଗୋଷ୍ଠୀ ତିଆରି କରିସାରିଲେଣି। ଯାହାକି ଧର୍ମେନ୍ଦ୍ରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ ବିରୋଧ ସତ୍ତ୍ୱେ ବିଜେଡିରୁ ଅବହେଳିତ ନେତାମାନେ ବିଜେପିକୁ ଆସି ଶକ୍ତିଶାଳୀ ହେଉଥିବାବେଳେ ବିଜେପିର ଯେଉଁ ପୁରୁଣା ନେତାମାନଙ୍କର ଟିକଟ କଟୁଛି ସେମାନେ ସମସ୍ତେ ତାଙ୍କ ଉପରେ ସମସ୍ତ ରାଗ ସୁଝାଇବାରେ ଲାଗିଛନ୍ତି। ଯାହାଫଳରେ ଧର୍ମେନ୍ଦ୍ର ନିର୍ବାଚନକୁ ନେଇ ଖୁସି ହେବା ପରିବର୍ତ୍ତେ ନେତୃତ୍ୱ ବଞ୍ଚାଇବା ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି।

ସମାଲୋଚନାରେ ଧର୍ମେନ୍ଦ୍ର ଅସ୍ତବ୍ୟସ୍ତ

ବର୍ତ୍ତମାନ ଦଳର ବରିଷ୍ଠ ଓ ତୃଣମୂଳ ସ୍ତରର ନେତାମାନେ ପ୍ରତିଟି ଅବ୍ୟବସ୍ଥା ପାଇଁ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଯେଉଁଥି ପାଇଁ ଧର୍ମେନ୍ଦ୍ର ବିଚଳିତ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ଯେଉଁମାନେ ଦଳୀୟ ଟିକଟରୁ ବଞ୍ଚିତ ହୋଇଛନ୍ତି ସେମାନେ ଧର୍ମେନ୍ଦ୍ରଙ୍କ ଚଉଦ ପୁରୁଷ ଉଝାଳିବାରେ ଲାଗିଛନ୍ତି। ଦଳର ସମର୍ପିତ ନେତା ରାଜ କିଶୋର ଦାସଙ୍କଠାରୁ ଆରମ୍ଭ କରି ସୁବାସ ଚୌହ୍ୱାନ, ସୀମନ୍ତିନୀ ଜେନା, ଅମୀୟ ଦାସଙ୍କ ଶବ୍ଦ ବାଣ ସହିତ ଶକ୍ତି ପ୍ରଦର୍ଶନରେ ଧର୍ମେନ୍ଦ୍ରଙ୍କ ଅବସ୍ଥା ଘାଇଲା ହୋଇଯାଇଛି। ଏପରିକି ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ଅମୀୟ ଦାଶଙ୍କ ସମର୍ଥକମାନେ ରାଜ୍ୟ କାର୍ଯ୍ୟାଳୟକୁ ଦୁଇ ଦିନ ଧରି ନିଜ କବଜାକୁ ନେଇଥିଲେ ଏଥିରେ ଧର୍ମେନ୍ଦ୍ର ହସ୍ତକ୍ଷେପ କରିବାକୁ ଭୟ କରିଥିଲେ। ଯତୀନ ମହାନ୍ତିଙ୍କଠାରୁ ଆରମ୍ଭ କରି ସୁଦୀପ୍ତ ରାୟଙ୍କ ପର୍ଯ୍ୟସ୍ତ ସମସ୍ତେ ନିଜର ଟିକଟ କଟିବା ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟୀ କରିବା ସହିତ ସେମାନଙ୍କୁ ରାଜନୈତିକ କ୍ୟାରିୟରକୁ ହତ୍ୟା କରାଗଲା ବୋଲି ଅଭିଯୋଗ କରୁଛନ୍ତି।

ବିଜେପିରେ ଧର୍ମେନ୍ଦ୍ର ବିରୋଧିଙ୍କ ଆଧିପତ୍ୟ ବିସ୍ତାର

ଅତୀତରେ ଯେଉଁ ନବୀନ ବିରୋଧି ନେତାମାନେ ଧମେନ୍ଦ୍ରଙ୍କୁ ସମାଲୋଚନା କରୁଥିଲେ ସେମାନେ ଏବେ ବିଜେପିରେ ସାମିଲ ହୋଇ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଲେଣି। ଧର୍ମେନ୍ଦ୍ରଙ୍କ ସମସ୍ତ ପ୍ରକାରର ବିରୋଧ ପରେ ବି ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଦଳକୁ ଆସିଛନ୍ତି। କେବଳ ଆସି ନାହାଁନ୍ତି ଏବେ ଦଳୀର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହେବାରେ ଲାଗିଲେଣି।

ଗତକାଲି ପୁଣି ବିଜେପିକୁ ଫେରି ଆସିଥିବା ବିଜୟ ମହାପାତ୍ର ପାଞ୍ଚ ବର୍ଷ ପୂର୍ବରୁ ଓ ପରେ କାହାକୁ ସମାଲୋଚନା କରି ବ୍ୟତିବ୍ୟସ୍ତ କରୁଥିଲେ ତାହା ଓଡ଼ିଶାବାସୀ ଜାଣିଛନ୍ତି। ବିଜେପିରେ ଯୋଗଦେବା ପ୍ରକ୍ରିୟା ବିଳମ୍ୱିତ ହେବାରୁ ବୈଜୟନ୍ତ ପଣ୍ଡାକୁ କିଭଳି ଦଳକୁ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ କେହି ଭୂଲି ନଥିବେ। ସେ ଦଳରେ ଯୋଗ ଦେବା ପରେ ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ପାଇ ନିଜର ପ୍ରଭାବ ବୃଦ୍ଧି କରିପାରିଛନ୍ତି। ଏବେ ସେ ବିଜେପିକୁ ଉପକୂଳ ଓଡ଼ିଶାର ନବୀନ ବିରୋଧି ଓ ଧର୍ମେନ୍ଦ୍ରଙ୍କ ବିରୋଧିଙ୍କୁ ଆଣିବାରେ ସଫଳ ହେଉଛନ୍ତି। ଏଦିଗରେ କେନ୍ଦ୍ରୀୟ ନେତାମାନେ ଏବେ ଧର୍ମେନ୍ଦ୍ର କଥା ଶୁଣିବା ପରିବର୍ତ୍ତେ ବୈଜୟନ୍ତଙ୍କ କଥାକୁ ଗୁରୁତ୍ୱ ଦେଉଛନ୍ତି। ଯାହାକି ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣିବାକୁ ଧର୍ମେନ୍ଦ୍ରଙ୍କ ଅନିଛା ସତ୍ତ୍ୱେ ବୈଜୟନ୍ତଙ୍କ ସହିତ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ତାଙ୍କ ବାସ ଭବନକୁ ଯାଇଥିଲେ।

ପ୍ରଧାମନ୍ତ୍ରୀ ମୋଦିଙ୍କ ସହିତ ପରାମର୍ଶ କରି ଆଇଏଏସ ପଦବୀ ଛାଡି ରାଜନୀତିକୁ ଆସିଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଚିନ୍ତାଧାରା ସମସ୍ତେ ଜାଣିଛନ୍ତି। ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ପ୍ରଚାର ହେବାରୁ ଧର୍ମେନ୍ଦ୍ର ତାଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ଜାଣିଶୁଣି ବିଳମ୍ବ କରିଦେଇଥିଲେ। ଏପରିକି ଅପରାଜିତା ଦଳରେ ଯୋଗଦେବା ପରେ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ତାଙ୍କୁ ସହଯୋଗ କରିନଥିଲେ। କିନ୍ତୁ ଅପରାଜିତା ନିଜ ଶକ୍ତିରେ ଏବେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଲୋକପ୍ରିୟ ହେବାରେ ଲାଗିଲେଣି।

ବିଜେପିର ଫାୟାରବ୍ରାଣ୍ଡ ବକ୍ତା ତଥା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀର ଧର୍ମେନ୍ଦ୍ରଙ୍କ ସହିତ କିପରି ସମ୍ପର୍କ ରହିଛି ତାହା ସମସ୍ତେ ଜାଣନ୍ତି। ପ୍ରତାପଙ୍କ ଉପରେ ସଂଘର ଆର୍ଶିବାଦ ଥିବାରୁ ସେ ଏପର୍ଯ୍ୟନ୍ତ ବିଜେପିରେ ତିଷ୍ଠି ରହିଛନ୍ତି। ନଚେତ୍ ତାଙ୍କର ମଧ୍ୟ ଅନ୍ୟମାନଙ୍କ ପରି ରାଜନୈତିକ କ୍ୟାରିୟର ଶେଷ ହୋଇସାରନ୍ତାଣି। କେନ୍ଦ୍ରର ବରିଷ୍ଠ ମନ୍ତ୍ରୀ ଜୁଏଲ ଓରାମ ଧର୍ମେନ୍ଦ୍ରଙ୍କ ଚକ୍ରାନ୍ତର ଶୀକାର ହେଉଛନ୍ତି ତାହା ତାଙ୍କ ବ୍ୟତୀତ ଆଉ କେହି କହିପାରିବେ ନାହିଁ। ଏବେ ଏମାନଙ୍କ ସହିତ ଅମୀୟ ଦାଶ, ଯତୀନ ମହାନ୍ତି, ସୁଦୀପ୍ତ ରାୟ ପ୍ରମୁଖ ଧର୍ମେନ୍ଦ୍ର ବିରୋଧି ଚିନ୍ତାଧାରାରେ ସାମିଲ ହେଲେଣି।

ସବୁଠାରୁ ବଡ଼ କଥା ହେଉଛି ଦିନ ଥିଲା ଯେଉଁମାନେ ଧର୍ମେନ୍ଦ୍ରଙ୍କ ଯୋଗୁଁ ଦଳକୁ ଆସିପାରୁନଥିଲେ ବା ଦଳରେ ଥାଇ ତିଷ୍ଠି ପାରୁନଥିଲେ ଏବେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ଫଳରେ ଦଳରେ ଧର୍ମେନ୍ଦ୍ରଙ୍କ ଏକଚାଟିଆ ନେତୃତ୍ୱ ଉପରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଲାଣି। ଯାହାଫଳରେ ଧର୍ମେନ୍ଦ୍ର ନିଜ ପାଦ ତଳୁ ମାଟି ଖସିଯାଉଥିବା ଜାଣି ଚିନ୍ତାରେ ପଡିଯାଇଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜୟଙ୍କ ପ୍ରତ୍ୟାବର୍ତ୍ତନ : ବିଜେପି ନୁହେଁ; ବୈଜୟନ୍ତଙ୍କ ଲାଭ

ଏବେ ଦିଲ୍ଲୀପଙ୍କ ପାଳି!

ବିଜୟଙ୍କୁ ରୋକିବା ପାଇଁ ଧର୍ମେନ୍ଦ୍ର ଅନୁଗତଙ୍କ ଫ୍ଲପ ଶୋ

Leave a Reply

Your email address will not be published. Required fields are marked *