ବଢ଼ୁଛି ପ୍ରଣବଙ୍କ ଟିକଟ ଚିନ୍ତା

ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଦଳୀୟ ଟିକଟ ପାଇବା ପାଇଁ ଏବେ ରାଜନୈତିକ ଉଷ୍ମତା ଜୋର ଧରିବାରେ ଲାଗିଛି। ରାଜ୍ୟର ବହୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଧର୍ମଶାଳାରେ ଏବେ ପ୍ରମୁଖ ରାଜନୈତିକ ଦଳମାନଙ୍କର ଟିକଟ ଆଶାୟୀଙ୍କ ଭିଡ଼ ଯୋଗୁଁ ପାଣିପାଗ ମଧ୍ୟ ଗୋଳିଆ ହେବାରେ ଲାଗିଛି। ଆଉ ବର୍ତ୍ତମାନର ବିଧାୟକ ପ୍ରଣବ ବଳବନ୍ତରାୟ ଓରଫ ଜିତୁଙ୍କୁ ନେଇ ସବୁଠୁ ବଡ଼ ଚର୍ଚ୍ଚା। ତାଙ୍କୁ ପୁଣି ଥରେ ଟିକଟ ଦିଆନଯାଉ ବୋଲି ଦଳୀୟ ଦାବି ଜୋର ଧରିଛି। ଆଉ ଜିତୁଙ୍କ ସ୍ଥାନ ନେବା ପାଇଁ ଟିକଟ ଆଶାୟୀଙ୍କ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିଛି।

୨୦୧୪ବିଧାନସଭା ପ୍ରଣବ ବଳବନ୍ତରାୟ ନିର୍ବାଚନରେ ବୃହତ ଭାଟ‍୍‌ ବ୍ୟବଧାନରେ ଜିତିଥିଲେ। ହେଲେ ପରେ ନିଜ ବାପାଙ୍କ ସଂଗଠନକୁ ଧରି ରଖିବାରେ ସେ ବିଫଳ ହୋଇଛନ୍ତି। ପଞ୍ଚାୟତ ନିର୍ବାଚନରେ ବିଜେପି ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ଆସନ ବିଜେଡ଼ିଠାରୁ ଯେତେବେଳେ ଛଡ଼ାଇ ଆଣିଲା ବିଜୁ ଜନତା ଦଳକୁ ସେତେବେଳେ ଏହି ନିର୍ବାଚନମଣ୍ଡଳୀରେ ବଡ଼ ଝଟକା ଲାଗିଲା । ପଞ୍ଚାୟତ ନିର୍ବାଚନ ପରଠାରୁ ଦଳର ଆଭ୍ୟନ୍ତରୀଣ କନ୍ଦଳ ଜୋର ଧରିବା ଆରମ୍ଭ ହୋଇଥିଲା। ଆଉ ଏହାକୁ ଥମାଇବାରେ ପ୍ରଣବ ବିଫଳ ହୋଇଥିଲେ।

ପରେ ପ୍ରଣବ ଜଙ୍ଗଲ ଜମିରେ ଆଇଟିଆଇ ନିର୍ମାଣ, ଘଙ୍ଗାପାଟଣା ଜମି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ଧଳବ୍ରଦର୍ସ ଲିଙ୍କ, ବ୍ଲାକରୋଜ ମହାଦୁର୍ନୀତି ଆଦିରେ ସାମିଲ ହୋଇ ଇଡି ଓ ସିବିଆଇର ଦ୍ୱାରସ୍ଥ ହେଲେ। ଠିକାଦାରଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା କାରଣରୁ ଦଳୀୟ ସମର୍ଥକମାନେ ମଧ୍ୟ ପ୍ରଣବଙ୍କଠାରୁ ଦୂରେଇ ଯିବା ଆରମ୍ଭ କଲେ। ଆଉ ଏବେ ସ୍ୱଚ୍ଛ ଭାବମୂର୍ତ୍ତିର କଥା କହୁଥିବା ନବୀନ ପଟ୍ଟନାୟକ ପ୍ରଣବଙ୍କୁ ପୁଣି ଟିକଟ ଦେବେ ନା ନାହିଁ ତାହା ଦେଖିବାର ଅଛି।

ମାତ୍ର ଦଳ ଭିତରର ସ୍ଥିତି ବିଶେଷ କରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଆଶାୟୀଙ୍କ ସଂଖ୍ୟା ବଢ଼ିବା ସ୍ପଷ୍ଟ କରିଛି ଯେ ପ୍ରଣବଙ୍କ ପାଇଁ ପୁଣିଥରେ ଟିକଟ ପାଇବା ଆଦୌ ସହଜ ନୁହେଁ। ବର୍ତ୍ତମାନ ବିଜେଡ଼ିରେ ଆଶାୟୀଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇ ତୃତୀୟ ମହଲା ସହ ସମ୍ପର୍କ ମଜଭୁତ କରିଥିବା ଏବଂ ବବ ଦାସଙ୍କ ନିକଟତର ହୋଇଥିବା ନରେଶ ମହାନ୍ତିଙ୍କ ନାମ ଆଗରେ ଅଛି। ସେ ନିଜକୁ ଟିକଟ ଦାବିଦାର କହି ପ୍ରଚାର ଆରମ୍ଭ କରିସାରିଲେଣି।

ଅନ୍ୟପଟେ ସାଂସଦ ରୀତା ତରାଇ ମଧ୍ୟ ଧର୍ମଶାଳା ଆସନ ପାଇଁ ଆଖି ପକାଇଛନ୍ତି। ସାଂସଦ ଟିକଟ ନ ମିଳିଲେ ନବୀନଙ୍କ ମହିଳା କାର୍ଡ଼ର ଫାଇଦା ବିଧାନସଭା ପାଇଁ ନେବାକୁ ରୀତା ଉଦ୍ୟମ ମଧ୍ୟ ଆରମ୍ଭ କରିଲେଣି। ସେହିପରି ରସୁଲପୁର ବ୍ଲକ ଅଧ୍ୟକ୍ଷା ସାରତୀ ଜେନା ନିଜ ନବବର୍ଷ ଅଭିନନ୍ଦନ ବ୍ୟାନର ମାଧ୍ୟମରେ ନିଜର ଦାବିଦାରକୁ ଉପସ୍ଥାପିତ କରିଛନ୍ତି। ସେହିପରି ଦୌଡ଼ରେ ଆଗରେ ମଧ୍ୟ ଅଛନ୍ତି ପୂର୍ବତନ ଜିଲ୍ଲାପରିଷଦ ସତୀଶ ବିଶ୍ୱାଳ। ସେ ନିଜ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ଲୋକଙ୍କ ସହ ସବୁବେଳେ ଥିବା କଥା ଉଠାଇ ଟିକଟ ପାଇଁ ଦୃଢ଼ ଆଶା ମଧ୍ୟ ରଖିଛନ୍ତି ସତୀଶ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ବଳ, ସମୃଦ୍ଧ ଓଡ଼ିଶାର ପୂର୍ବତନ ରାଜ୍ୟ ସଭାପତି ଯତୀଶ ଚନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ରବି ଲାବଣ୍ୟ ତାଙ୍କ ଅଧ୍ୟାପକ ପୁଅ ପାଇଁ ମଧ୍ୟ ଲବି ଆରମ୍ଭ କରିଦେଇଛନ୍ତି।

କୁହାଯାଉଛି ଯେ ନବୀନ ଯଦି ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ପ୍ରଣବଙ୍କ ଟିକଟ କାଟନ୍ତି ତେବେ ପ୍ରଣବ ତାଙ୍କ ସାନ ଭାଇ କିମ୍ୱା ମା’ଙ୍କୁ ଟିକଟ ଦେବା ପାଇଁ ପ୍ରସ୍ତାବ ଦେବେ। ହେଲେ କାହାକୁ ମିଳିବ ଟିକଟ ତାହା ଆଉ କିଛି ଦିନ ମଧ୍ୟରେ ଜଣାପଡ଼ିବ।

ବିଜେପିରେ ମଧ୍ୟ ଟିକଟ ଆଶାୟୀଙ୍କ ସଂଖ୍ୟା କିଛି କମ ନୁହେଁ। ପଞ୍ଚାୟତ ନିର୍ବାଚନରେ ବିଜେପି ବଡ଼ ସଫଳତା ପାଇଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ରମେଶ ଚନ୍ଦ୍ର ପରିଡ଼ା ଏଥର ନିର୍ବାଚନ ଲଢ଼ିବା ପାଇଁ ପୁଣିଥରେ ଅଣ୍ଟା ଭିଡ଼ି ସାରିଲେଣି। ସେ ଆଶାୟୀଙ୍କ ତାଲିକାରେ ଆଗରେ ଥିଲାବେଳେ ଅନ୍ୟ ଦାବିଦାରମାନେ ହେଉଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପବିତ୍ର ମୋହନ ଦାସ, ଜିଲ୍ଲା ମିଡିଆ ସେଲ ସଭାପତି କାହ୍ନୁ ଚରଣ ଦାସ, ସଂଗଠକ ସୁରେନ୍ଦ୍ର ପଣ୍ଡା, ରାଣୀ ଅପର୍ଣ୍ଣାଧୀର ସିଂ ଭରଦ୍ୱାଜ ଓ ସାମାଜିକ କର୍ମୀ ଭାବେ ବିଭିନ୍ନ ଦୁର୍ନୀତିକୁ ଦେଇ ଲଢ଼େଇ ଜାରି ରଖିଥିବା ସର୍ବେଶ୍ୱର ବେହେରା।

କଂଗ୍ରେସରେ ମଧ୍ୟ ସମାନ ସ୍ଥିତି। ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା ମଧ୍ୟ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଦେଖାଇଛନ୍ତି। ସେ ନିଜ ଅମଳରେ କରିଥିବା ବିକାଶମୂଳକ କାର୍ଯ୍ୟଧାରାକୁ ନେଇ ଲୋକଙ୍କ ନିକଟକୁ ଯିବା ଆରମ୍ଭ କରିଦେଇସାରିଲେଣି ବହୁ ଆଗରୁ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଟିକଟ ପାଇଁ ଲବି କରିବା ଆରମ୍ଭ କରିଦେଇଛନ୍ତି ପୂର୍ବତନ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ କିଷାନ ପଣ୍ଡା, ଯୁବନେତା ସଞ୍ଜୟ ରାୟ ଶ୍ରୀକାନ୍ତ ସାହୁ, ମାନସ ରଞ୍ଜନ କର ଓ ଅଧୀର ଜେନା। ଏବେ ଜଣେ ମହିଳା ନେତ୍ରୀ ମଧ୍ୟ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଇଛନ୍ତି।

ପ୍ରମୁଖ ଦଳମାନଙ୍କର ଏପରି ଆଶାୟୀମାନଙ୍କ ସଂଖ୍ୟାକୁ ନେଇ ସମର୍ଥକ ଓ ଭୋଟରମାନେ ମଧ୍ୟ ଏବେ ଦ୍ୱନ୍ଦ୍ୱରେ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *