ସରୁଛି ଶୀତ, ଫେରୁଛି ତାତି
ଭୁବନେଶ୍ଵର(ଓଟି): ପାଣିପାଗର ଲୁଚଖାଳି ଖେଳ ଭିତରେ ଚଳିତବର୍ଷ ଖୁବ୍ ଅସ୍ତବ୍ୟସ୍ତ କରିଛି ପ୍ରକୃତି। ମଣିଷକୃତ ତ୍ରୁଟି ମଧ୍ୟ ପରିବେଶ ବିଗାଡ଼ିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ବିଳମ୍ବିତ ଆଉ ଅଦିନିଆ ବର୍ଷା, ବଜ୍ରପାତ, କୁହୁଡ଼ି, କାକର, ହାଡ଼ଭଙ୍ଗା ଜାଡ଼ ଆଦି ଭିତରେ ମୋଟାମୋଟି ଶୀତ ବିଦାୟ ନେଇଛି। ଆଉ ଧୀରେଧୀରେ ବଢ଼ିଲାଣି ତାପ- ଆସିଲାଣି ତାତି। ବିଶେଷ ସୂଚନା ଅନୁସାରେ ଆଜିଠୁ ତାପମାତ୍ରା ବଢ଼ିବ। କିନ୍ତୁ ତିନିଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ଘନ କୁହୁଡ଼ି।
ରାତିର ତାପମାତ୍ରା ଧୀରେ ଧୀରେ ବଢ଼ିବ। ୨ରୁ ୫ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିବ ବୋଲି କୁହାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସମ୍ପ୍ରତି ୨୦ ଡିଗ୍ରୀ ରହିଥିବାବେଳେ କୁହୁଡ଼ି ପାଇଁ କିନ୍ତୁ ସତର୍କ ହେବାକୁ ପଡ଼ିବ। ଘନକୁହୁଡ଼ି ଯୋଗୁ ରାସ୍ତା ଠିକ୍ରେ ଦେଖାଯିବନି। ତେଣୁ ଗାଡ଼ି ଚାଳନାବେଳେ ସତର୍କ ରହିବାକୁ କୁହାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କେତେକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଗଞ୍ଜାମ। ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜଣାପଡ଼ିଛି।