ଗୁଜରାଟରେ ବଢୁଛି ଗୋ-ମୂତ୍ର ଚାହିଦା

ଭୁବନେଶ୍ଵର,(ଓଡ଼ିଶା ଟାଇମ୍‌):  କରୋନା ଭୟରେ ଗୋ-ମୂତ୍ର ଏବେ ଅମୂଲ ମୂଲ । ଗୁଜରାଟରେ ଗୋ-ମୂତ୍ରର ଚାହିଦା ଢେର୍ ବଢ଼ିଯାଇଛି । ଗୋ-ମୂତ୍ର, ରୋଗ ପ୍ରତିଷେଧକ କ୍ଷମତା ବଢାଉଥିବା ଭାବି, ଲୋକେ ପିଉଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ, ରାଜ୍ୟରେ ଦିନକୁ ହଜାର ହଜାର ଲିଟର ଗୋ-ମୂତ୍ର ଲୋକେ ପିଇ ଯାଉଛନ୍ତି । କହିବାକୁ ଗଲେ, ମୁନ୍ଦାଏ ବି ତଳେ ପଡୁନି । ଗୁଜରାଟରେ ବର୍ତ୍ତମାନ ଦିନକୁ ପ୍ରାୟ 6 ହଜାର ଲିଟର ଗୋ-ମୂତ୍ର ଲୋକେ ପିଉଥିବା, ରାଷ୍ଟ୍ରୀୟ କାମଧେନୁ ଆୟୋଗର ଅଧ୍ୟକ୍ଷ ବଲ୍ଲଭ କଠିରିଆ କହିଛନ୍ତି । କିଛି ଲୋକ ବିନା ଅସୂୟାରେ ଏହା ସେବନ କରୁଛନ୍ତି । ତେବେ ଅନ୍ୟମାନଙ୍କ ପାଇଁ ଗୋ-ମୂତ୍ରକୁ ଭଲ ଭାବେ ସ୍ୱଚ୍ଛ କରି ଏକ ସ୍ୱତନ୍ତ୍ର ମୃଦୁ ପାନୀୟ ବା ଆର୍କ ପ୍ରସ୍ତୁତ କରାଯାଉଛି ।

ଗୋ-ମୂତ୍ରର ବହୁ ଔଷଧୀୟ ଗୁଣ ଥିବା ବୈଦିକ ଅମଳରୁ ବିଶ୍ୱାସ ରହିଛି । ତେବେ ବର୍ତ୍ତମାନ କରୋନା ମହାମାରୀ ଭୟାବହ ହେଉଥିବାରୁ ଲୋକେ, ସେମାନଙ୍କ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ପାଇଁ ଏହାକୁ ବ୍ୟବହାର ନିମନ୍ତେ ଅଧିକ ଆଗ୍ରହ ଦେଖାଉଛନ୍ତି । ଗୁଜରାଟର ଲୋକେ କେବଳ ଯେ, ଗୋ-ମୂତ୍ର କିମ୍ବା ସେଥିରୁ ପ୍ରସ୍ତୁତ ଆର୍କ ସେବନ କରୁଛନ୍ତି ତା ନୁହେଁ । ଶରୀରର ବାହ୍ୟ ଅଂଶକୁ ଜୀବାଣୁ ଓ ଭୂତାଣୁ ଠାରୁ ରକ୍ଷା କରିବାକୁ ଗୋ-ମୂତ୍ରରୁ ପ୍ରସ୍ତୁତ ବଡି ସ୍ପ୍ରେ ମଧ୍ୟ ବ୍ୟବହାର କରୁଥିବା ବଲ୍ଲଭ କଠିରିଆ କହିଛନ୍ତି । ଅଧିକାଂଶ ଲୋକ, ସଦ୍ୟ ଗୋ-ମୂତ୍ରକୁ ପିଇ ଦେଉଥିବା ବେଳେ ଆଉ କିଛି ଆର୍କକୁ ଗାର୍ଗିଲିଂ ସହ ସେବନ କରୁଛନ୍ତି । ଗୋ-ମୂତ୍ର ମଧ୍ୟ ହଜମ ପ୍ରକ୍ରିୟାକୁ ସହଜ କରିଥାଏ ବୋଲି କଠିରିଆ କହିଛନ୍ତି ।

ଗୋ-ମୂତ୍ରରେ ବହୁ ଔଷଧୀୟ ଗୁଣ ରହିଛି ଏବଂ ଏହା କ୍ୟାନସର ଭଳି ବଡ଼ ବଡ଼ ରୋଗକୁ ଭଲ କରିଦେବାର କ୍ଷମତା ରଖୁଥିବା, ଗତ ସେପ୍ଟେମ୍ବର 8 ତାରିଖ ଫିଜିଓଥେରାପି ଦିବସରେ କହିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । ତେଣୁ ଗୋ-ମୂତ୍ର ଉପରେ ଅଧିକ ଗବେଷଣା କରି, ତାହାକୁ କେନ୍ଦ୍ରୀୟ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ମତ ଦେଇଥିଲେ ସେ । ତେବେ ଜାନୁଆରୀ ମାସରେ କରୋନା ମହାମାରୀ ଦେଶରେ ଦେଖାଦେବା ପରେ ଗୋ-ମୂତ୍ରର ଚାହିଦା ବଢ଼ିଯାଇଛି । ଏପରିକି ଗୋ-ମୂତ୍ରର ଔଷଧୀୟ ଉପକାରୀତା ବାବଦରେ ସଚେତନତା ସୃଷ୍ଟି ପାଇଁ ଗତମାସରେ ଦିଲ୍ଲୀରେ କିଛି ବ୍ୟକ୍ତି ଏକ ଗୋ-ମୂତ୍ର ପିଇବା ପାର୍ଟିର ଆୟୋଜନ କରିଥିଲେ ।

ବଲ୍ଲଭ କଠିରିଆଙ୍କ କହିବା କଥା, ବ୍ୟାକ୍ଟେରିଆକୁ ଦମନ କରିବାକୁ ଗୋ-ମୂତ୍ରର ଯଥେଷ୍ଟ ଦକ୍ଷତା ରହିଛି । ତେଣୁ ଏହା କରୋନା ପାଇଁ ଏକ ଭଲ ପ୍ରତିଷେଧକ ଭାବେ କାମ କରିବ ବୋଲି ସେ ଦାବି କରିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ଗୁଜରାଟରେ ଗୋ-ମୂତ୍ରର ଚାହିଦା ଏତେ ବଢ଼ି ଯାଇଛି ଯେ, ତାହା ପୂରଣ କରିବା କଷ୍ଟକର ହେଉଛି । ଅହମ୍ମଦାବାଦର ଗୋ-ପାଳକ, ରାଜୁ ପଟେଲ ପୂର୍ବରୁ ମାସକୁ 80ରୁ 100 ବୋତଲ ଗୋ-ମୂତ୍ର ଆର୍କ ପ୍ରସ୍ତୁତ କରୁଥିଲେ । ଏବେ କିନ୍ତୁ ମାସକୁ ଚାହିଦା 425 ବୋତଲ ହୋଇଛି । ଆର୍କରେ ତୁଳସୀ, ଅଦା ଏବଂ ଅନ୍ୟ କିଛି ଚେରମୂଳି ପକାଇ ସେ ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ କରୁଛନ୍ତି । ଯାହା ଥଣ୍ଡା ଏବଂ କାଶର ଅବ୍ୟର୍ଥ ଔଷଧ ବୋଲି ଦାବି କରିଛନ୍ତି ରାଜୁ । ସେହିଭଳି 2007ରୁ ଶିକ୍ଷକ ଚାକିରିରୁ ଅବସର ପରେ ଗୋ-ପାଳନ କରୁଥିବା ଗୁଜରାଟ ପତନ୍ ଜିଲ୍ଲା ଅନ୍ତର୍ଗତ ସାମି ଅଞ୍ଚଳର ଲଭଶଙ୍କର ରାଜଗୋର, ପୂର୍ବରୁ ଗୋ-ମୂତ୍ରରେ ବଡି ସ୍ପ୍ରେ ପ୍ରସ୍ତୁତ କରୁଥିଲେ । ଏବେ ସେ ବଡ଼ି ସ୍ପ୍ରେ ସହ ସାନିଟାଇଜର ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଦୈନିକ ସେ 50 ବୋତଲ ବଡ଼ି ସ୍ପ୍ରେ ଏବଂ ସାନିଟାଇଜର ପ୍ରସ୍ତୁତ କରି ମେହସନା, ପତନ୍ ଏବଂ ଅହମ୍ମଦାବାଦକୁ ପଠାଉଛନ୍ତି । ତେବେ ଲକ୍ ଡାଉନ୍ ଯୋଗୁ ଡେଲିଭରି ବିଳମ୍ବ ହେଉଥିବା କହିଛନ୍ତି ଲଭଶଙ୍କର ରାଜଗୋର । ସେପଟେ ଗୋ-ମୂତ୍ର ସେବନ ଦ୍ୱାରା ତାଙ୍କ ସ୍ତ୍ରୀ କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା କହିଛନ୍ତି, ଗୁଜରାଟର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର କାନ୍ତିଲାଲ ପଟେଲ । ଦୈନିକ ସକାଳୁ ସଦ୍ୟ ଗୋ-ମୂତ୍ର ସେବନ କରି ତାଙ୍କ ସ୍ତ୍ରୀ, କର୍କଟ ବିପକ୍ଷରେ ଜିତିଥିବା ସେ କହିଛନ୍ତି ।

ଗୁଜରାଟର ଆନନ୍ଦ ଜିଲ୍ଲାରୁ ହିଁ ଶ୍ୱେତ ବିପ୍ଳବର ଜନକ ଭର୍ଗିଜ୍ କୁରିଏନ୍ ଦୁଗ୍ଧ ଏବଂ ଦୁଗ୍ଧ ଚାଷୀଙ୍କ ପାଇଁ ନେଇଥିଲେ ବୈପ୍ଳବିକ ପଦକ୍ଷେପ । ଆନନ୍ଦ ମିଲ୍କ ୟୁନିଅନ୍ ଲିମିଟେଡ୍, ଯାହା ଅମୂଲ ଭାବେ ଘରେ ଘରେ ପରିଚିତ ହୋଇପାରିଛି । ଆଉ ଏବେ କରୋନା ମହାମାରୀ ସମୟରେ ରାଜ୍ୟରେ ବଢ଼ିଛି ଗୋ-ମୂତ୍ରର ଚାହିଦା । ଗୁଜରାଟରେ ଏବେ ପାଖାପାଖି 4 ହଜାର ଗୋଶାଳା ଥିବା ବେଳେ ପ୍ରାୟ 5 ଶହ ଲୋକ ଗୋ-ମୂତ୍ର ସଂଗ୍ରହରେ ଲାଗିଛନ୍ତି । ଆଗକୁ ଯଦି, ଏହାର ଚାହିଦା ବଳବତ୍ତର ରହେ, ତେବେ ଗୁଜରାଟରେ ଗୋ-ପାଳକଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ ।

Leave a Reply

Your email address will not be published.