ଲକ୍ଡାଉନ୍ବେଳେ ମାତିଛନ୍ତି ସାଇବର ଅପରାଧୀ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣ ପାଇଁ ବିଶ୍ଵ ସମେତ ଭାରତରେ ଚିନ୍ତା ବଢ଼ିଯାଇଛି। ସରକାର ବହୁ ସତର୍କମୂଳକ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ଦେଶକୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହାରି ସୁଯୋଗରେ ଅପରାଧୀମାନେ ମାତିଉଠିଛନ୍ତି। ବିଶେଷକରି ସାଇବର୍ ଅପରାଧୀମାନେ ସକ୍ରିୟ ହୋଇଥିବା ସୂଚନା ମିଳିଛି। ଲୋକଙ୍କୁ ବିଭିନ୍ନ ଉପାୟରେ ଠକିବାରେ ଚେଷ୍ଟା କରୁଥିବା ଦିଲ୍ଲୀ ପୁଲିସ ଆଶଙ୍କା କରୁଛି। ଏପରିକି କରୋନା ଭାଇରସ ନାଁରେ ଲୋକଙ୍କୁ ଠକେଇ କରିବା ଆଶଙ୍କାରେ ଦିଲ୍ଲୀ ପୁଲିସ ଏକ ଆଡଭାଇଜାରୀ ଜାରି କରିଛି।
ପୁଲିସ୍ ସୂଚନା ଅନୁସାରେ ଅପରାଧୀମାନେ ଏହି ମହାମାରୀ ନାଁରେ ଲୋକଙ୍କୁ ଠକି ପାରନ୍ତି। ଲୋକଙ୍କୁ ରୋଗୀର ସମ୍ପର୍କୀୟ କହି ଟଙ୍କା ମାଗି ପାରନ୍ତି କିମ୍ବା ଇମେଲ ମାଧ୍ୟମରେ ଠକେଇ କରିପାରନ୍ତି। ଖାଲି ସେତିକି ନୁହେଁ ସାଇବର ଅପରାଧୀମାନେ ଇ-ମେଲ ପଠାଇ ନିଜକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ କହି ଲୋକଙ୍କ ମନରେ କରୋନା ସମ୍ପର୍କରେ ଭୟ ସୃଷ୍ଟି କରିପାରନ୍ତି। ସବିଶେଷ ସୂଚନା ମାଗିବା ସହ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିପାରନ୍ତି। ଏଟିଏମ୍ ଠକେଇର ମଧ୍ୟ ଆଶଙ୍କା ରହିଛି। ସେହିପରି ଅପରାଧୀ କରୋନା ଭାଇରସ ସମ୍ପର୍କରେ ଫେକ୍ ୱେବସାଇଟ ତିଆରି କରିପାରନ୍ତି ଏବଂ ଇ-କମର୍ସ କିମ୍ବା ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାଇରସ ଠିକ କରିବା ଔଷଧ, ପରୀକ୍ଷା କିଟ୍ ବିକ୍ରି କରିବା ବାହାନାରେ ଆପଣଙ୍କ ଆକାଉଣ୍ଟ ଡିଟେଲ ମଧ୍ୟ ମାଗିପାରନ୍ତି।
ତେଣୁ ଜନସାଧାରଣ ସମ୍ପୂର୍ଣ୍ଣ ସାବଧାନ ରହିବା ନିହାତି ଜରୁରୀ ବୋଲି କୁହାଯାଇଛି।