ଘରକୁ ଘର ବାଣ୍ଟିହେଲା #କରୋନା! ଡେଲିଭରି ବୟ ଆକ୍ରାନ୍ତ ପରେ ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ (ଓଟି): ଘରକୁ ଘର ଭୂତାଣୁ ବାଣ୍ଟିହେଲା ଭଳି ସାଂଘାତିକ ସ୍ଥିତି ଦିଲ୍ଲୀରେ ଉପୁଜିଛି। ଦକ୍ଷିଣ ଦିଲ୍ଲୀରେ ଅର୍ଡର ଅନୁସାରେ ଘରେ ପିଜା ପହଞ୍ଚାଉଥିବା ଜଣେ ଡେଲିଭରି ବୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀ ସମେତ ଦେଶର ଚିନ୍ତା ବଢ଼ିଯାଇଛି। ସମ୍ପୃକ୍ତ ପିଜାବୟ ଗତ ୧୫ଦିନ ମଧ୍ୟରେ ଦକ୍ଷିଣ ଦିଲ୍ଲୀର ୭୨ଟି ପରିବାରକୁ ପିଜା ଡେଲିଭରି କରିଥିବା ଜଣାପଡ଼ିବା ପରେ ସମସ୍ତ ପରିବାରଙ୍କୁ କ୍ଵାରେଣ୍ଟାଇନ୍ରେ ରଖାଯାଇଛି।
ସୂଚନା ଅନୁସାରେ ସମ୍ପୃକ୍ତ ପିଜା ବୟର କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ। ଏହା ଜଣାପଡ଼ିବା ପରେ ଦକ୍ଷିଣ ଦିଲ୍ଲୀର ହଜ୍ ଖାସ୍, ମାଲଭ୍ୟ ନଗ, ସାବିତ୍ରୀ ନଗର ଆଦି ଅଞ୍ଚଳରେ ଡେଲିଭରି ବୟଠାରୁ ପିଜା ଖାଇଥିବା ୭୨ଟି ପରିବାରକୁ କ୍ଵାରେଣ୍ଟାଇନରେ ରଖାଯାଇଛି। ସେହିପରି ଡେଲିଭରି ବୟ ସଂସ୍ପର୍ଶରେ ଆସିଥିବା ଅନ୍ୟ ୨୦ ଜଣ ସହକର୍ମୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେହିପରି ସଂକ୍ରମିତ ବୟର ରୁମ୍ମେଣ୍ଟଙ୍କ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁ ରେଷ୍ଟୁରାଣ୍ଟରେ ସମ୍ପୃକ୍ତ ଡେଲିଭରି ବୟ କାମ କରୁଥିଲେ ତାକୁ ସଟ୍ ଡାଉନ୍ କରାଯାଇଛି। ତେବେ ସେ କିଭଳି ଆକ୍ରାନ୍ତ ହେଲେ ସେନେଇ ଅନୁସନ୍ଧାନ ଜାରି ରହିଥିବା ଦକ୍ଷିଣ ଦିଲ୍ଲୀର ଜିଲ୍ଲାପାଳ ବ୍ରିଜ ମୋହନ ମିଶ୍ର କହିଛନ୍ତି।