ଦିଲ୍ଲୀ: ସହରରେ ଲାଗିବ ‘ୱାଶ୍‌ ବେସିନ୍’

ନୂଆଦିଲ୍ଲୀ (ଓଟି): କରୋନା ବିପଦ ଟାଳିବା ପାଇଁ ଦିଲ୍ଲୀ ସରକାରଙ୍କ ଟାସ୍କ ଫୋର୍ସ ବୈଠକରେ ଜିମ, ନାଇଟ କ୍ଲବ ଏବଂ ସ୍ପା ସେଣ୍ଟରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ୫୦ଜଣରୁ ଅଧିକ ଭିଡ଼ ହେବାକୁ ସରକାର ଅନୁମତି ଦେଉନାହାନ୍ତି। ବିବାହ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖିବା ପାଇଁ ସରକାର ନିବେଦନ କରୁଛନ୍ତି। ଏପରିସ୍ଥଳେ ସାରା ସହରରେ ହାତ ଧୋଇବା ପାଇଁ ଡିସ୍ପେନସିଂ ମେସିନ ଲଗାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସଡିଏମ ନିଜ ଅଞ୍ଚଳରେ ୧୦୦ଟି ଡିସ୍ପେନସିଂ ମେସିନ ଲଗାଇବେ। ସେହିପରି ନଗର ନିଗମର ଡେପୁଟି କମିଶନର ନିଜ ଅଞ୍ଚଳରେ ୩୦୦ ମେସିନ ଲଗାଇବେ। ବସ୍ ଡିପୋ, ବସ ଓ ଅଟୋ ଷ୍ଟାଣ୍ଡ ସମେତ ଅନ୍ନ୍ୟ ଭିଡ଼ ସ୍ଥାନରେ ହାତ ଧୋଇବା ପାଇଁ ଏଭଳି ମେସିନ୍‌ ଲଗାଯିବ ବୋଲି ଶ୍ରୀ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଦିଲ୍ଲୀରେ କରୋନା ସଂକ୍ରମିତ ୭ଟି ମାମଲା ମଧ୍ୟରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୪ଜଣଙ୍କ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published.