ଭାଡ଼ି ପରିବର୍ତ୍ତନର ବେଳ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ନେତାମାନେ ସେହି ପରିମାଣରେ ଆୟା ରାମ ଗୟା ରାମ ନୀତି ଆପଣାଇବାରେ ଲାଗିଛନ୍ତି। ଏହି ସ୍ୱାର୍ଥନ୍ୱେସୀ ନେତାମାନେ ନିଜ ସ୍ୱାର୍ଥ ପାଇଁ ରଙ୍ଗ ପରିବର୍ତ୍ତନକାରୀ ଏଣ୍ଡୁଅ ଭଳି ଘଡ଼ିକେ ରଙ୍ଗ ବଦାଳାଇବାରେ ଲାଗିଛନ୍ତି। ଏହି ନେତାମାନେ ଯେଉଁ ଦଳ ପାଇଁ ଆଜି ପ୍ରତିଷ୍ଠିତ ହୋଇଛନ୍ତି ସେହି ଦଳ ବିରୋଧରେ ବିଷୋଦଗାର କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ସିଧା କହିବାକୁ ଗଲେ ସବୁବେଳେ ନୀତି ଆଦର୍ଶ କଥା କହୁଥିବା ଏହି ନେତାମାନଙ୍କର କୌଣସି ନୀତି ଆଦର୍ଶ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ରାଜ୍ୟରେ ଏଭଳି ପରିସ୍ଥିତି ହୋଇଛି ଟିକଟ ନ ମିଳିଲେ କୌଣସି ନେତା ଆଉ ବୋଲ ମାନିବା ସ୍ଥିତିରେ ନାହାଁନ୍ତି।

ଶୁକ୍ରବାର ଦିନ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜୁ ଜନତା ଦଳ ଛାଡ଼ିଛନ୍ତି। ଦଳ ଛାଡ଼ିବାର ସେ ଯେଉଁ କାରଣ କହିଛନ୍ତି, ତାହା ବିଜୁ ଜନତା ଦଳର ସାମ୍ପ୍ରତିକ ଆଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ବହୁତ କିଛି ବୟାନ କରୁଛି। ଗୁରୁବାର ଦିନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଛାଡ଼ିଥିଲେ ବିଜୁ ଜନତା ଦଳ। ସେ ଯେଉଁ କଥା ଇସ୍ତଫାପତ୍ରରେ ଏବଂ ପରେ ଗଣମାଧ୍ୟମକୁ କହିଲେ, ତାହା ସୁକାନ୍ତଙ୍କ କଥା ସହ ସମ୍ପୂର୍ଣ୍ଣ ମେଳ ଖାଇଯାଉଛି। ବଳଭଦ୍ର ନିଜର ଇସ୍ତଫାପତ୍ର ବିଜେଡ଼ି ସଭାପତିଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କୁ ଦେଇ ନବୀନ ନିବାସରୁ ଫେରିଥିଲେ ବଳଭଦ୍ର। ଅତ୍ୟନ୍ତ କ୍ଷୋଭର ସହ ସେ କହିଥିଲେ ଯେ, କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କୁ ଅବଗତ କରାଯାଉ ନଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୂଚନା ଦିଆଯାଉ ନଥିଲା। ବୋଧହୁଏ ତାଙ୍କର ଆବଶ୍ୟକତା ସରିଯାଇଥିବା ସେ ଅନୁଭବ କରୁଛନ୍ତି।

ଠିକ ସେହି କଥା ଦୋହରାଇ ଦେଲେ ସୁକାନ୍ତ। ସୁକାନ୍ତ ଗତଥର ନୀଳଗିରିରୁ ୫୦ହଜାରରୁ ଅଧିକ ଭୋଟ ପାଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୁଷମା ବିଶ୍ୱାଳ ୧୪ ହଜାର ଭୋଟ ବ୍ୟବଧାନରେ ସୁକାନ୍ତଙ୍କଠାରୁ ହାରିଯାଇଥିଲେ। କିନ୍ତୁ କେଉଁ ମାପକାଠିରେ ସୁଷମାଙ୍କୁ ସୁକାନ୍ତଙ୍କଠାରୁ ଯୋଗ୍ୟ ବୋଲି ଦଳ ଜାଣିଲା, ଏହି ପ୍ରଶ୍ନ ଉଠାଇଛନ୍ତି ସୁକାନ୍ତ। ସୁକାନ୍ତ ଏହା ମଧ୍ୟ କହିଛନ୍ତି ଯେ, ସୁଷମା ଦଳରେ ମିଶିଲେ, ଅଥଚ ତାଙ୍କୁ ଜଣାଗଲା ନାହିଁ। ବାରମ୍ୱାର ଉପେକ୍ଷା କରାଗଲା। ସେ ଏଥିପାଇଁ ଜିଲା ସଭାପତି ରବୀନ୍ଦ୍ର ଜେନାଙ୍କୁ ଦାୟୀ କରିଥିଲେ।

ବଳଭଦ୍ର ଏବଂ ସୁକାନ୍ତ କେବଳ ଦୁଇଟି ଘଟଣା ନୁହେଁ। ଆହୁରି ଅନେକ ସେମାନଙ୍କ ପଦାଙ୍କ ଅନୁସରଣ କରିବେ। ସ୍ଥିତି ନବୀନଙ୍କ ନିୟନ୍ତ୍ରଣରେ ନାହିଁ। ସାଂସଦ ଦଳର ସଭାପତିଙ୍କୁ ଭେଟି ପାରୁନାହାନ୍ତି, ଏଭଳି ଚକ୍ରବ୍ୟୁହ କରିଛନ୍ତି କେଉଁମାନେ? ସୁଷମା ବିଜେଡ଼ିରେ ମିଶିବେ, ଅଥଚ ସ୍ଥାନୀୟ ବିଧାୟକଙ୍କୁ ଖବର ମଧ୍ୟ ଦିଆଯିବ ନାହିଁ। କେଉଁ ଅବସ୍ଥାକୁ ଚାଲିଗଲାଣି ଶାସକ ଦଳ? କିନ୍ତୁ ଆଉ ବୋଲ ମାନିବା ଅବସ୍ଥାରେ ନାହାନ୍ତି ଦଳର ବିଧାୟକ ବା ନେତାମାନେ।

ସମୟ ବଦଳିଛି। ଏଣେ କିନ୍ତୁ ୨୦୧୪ ପରିସ୍ଥିତି ନାହିଁ। ବିରୋଧୀ ଦଳ ଅତ୍ୟନ୍ତ ଶକ୍ତିଶାଳୀ ହୋଇଛି ଏହା ଭିତରେ। ୨୦୧୪ରେ ୪୩ ଜଣ ବିଧାୟକ ଓ ପୂର୍ବଥର ହୋଇଥିବା ପ୍ରାର୍ଥୀଙ୍କ ଟିକଟ କାଟି ଦିଆଗଲା। ଜଣେ ଦୁଇଜଣଙ୍କୁ ଛାଡ଼ିଦେଲେ ବାକି ଅନ୍ୟମାନଙ୍କର କବାଟ କଣରେ ସକେଇ କାନ୍ଦିବା ଛଡ଼ା ଆଉ କୌଣସି ବାଟ ନଥିଲା। ଅନ୍ୟ ଦଳକୁ ଯିବା ପାଇଁ ବା ସେହି ଦଳକୁ ସାହାଯ୍ୟ କରିବା ଲାଗି ସାହସ ନଥିଲା ଏହି ଅସନ୍ତୁଷ୍ଟ ନେତାମାନଙ୍କର।

କାରଣ ବିରୋଧୀ ଦଳ ଥିଲା ଅତ୍ୟନ୍ତ ଦୁର୍ବଳ। କିନ୍ତୁ ଏଥର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ୨୦୦୯ ନିର୍ବାଚନ ପୂର୍ବରୁ ଏହି ପ୍ରତିନିଧି ସେତେବେଳର ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କ ସହ ଆଲୋଚନା ବେଳେ ଦାମୋଦର ରାଉତ ଏବଂ ଦେବାଶିଷ ନାୟକ କେମିତି ଟିକଟ ପାଇବେ ବୋଲି ପ୍ରଶ୍ନ କରିବାରୁ ତାଙ୍କ ଉତ୍ତର ଥିଲା ‘ଆମେ ଆସନ ହରାଇବାକୁ ଚାହୁଁ ନାହୁଁ। ଆମର ସରକାର ଦରକାର।’ ଦେବାଶିଷ ଓ ଦାମବାବୁ ପ୍ୟାରୀଙ୍କର ଘୋର ବିରୋଧୀ ଥିଲେ। ଏହାସତ୍ତ୍ୱେ ଏହି ଦୁଇ ନେତା ଟିକଟ ପାଆନ୍ତୁ ବୋଲି ଚାହିଁଥିଲେ ପ୍ୟାରୀ ମହାପାତ୍ର।

କିନ୍ତୁ ୨୦୧୯ର ଚିତ୍ର ହେଲା ଯେଉଁମାନେ ଉଭୟ ଦଳ ଏବଂ ସରକାରକୁ ନିୟନ୍ତ୍ରଣକୁ ନେଇଯାଇଛନ୍ତି,ସେମାନେ ଦଳ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ଚିନ୍ତାରେ ଅଧିକ ବ୍ୟାକୁଳ। ଏକ ଧାରଣା ସୃଷ୍ଟି କରାଯାଉଛି ଯେ, ବାହାରୁ ନେତା ଆଣି ଛିଡ଼ା କରାଇଲେ, ନୂଆ ମୁହଁ ଦେଖି ସମସ୍ତେ ତାଙ୍କୁ ହିଁ ସମର୍ଥନ କରିବେ। ଏଥିପାଇଁ ନବୀନ ପଟନାୟକଙ୍କୁ ବନାଯାଇଥିବା ଗୁଇନ୍ଦା ରିପୋର୍ଟ ଦେଖେଇ ଦିଆଯାଉଛି।

ଦଳ ଭିତରେ ଏହି ଗୋଷ୍ଠୀ ବିରୋଧରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇସାରିଲାଣି। ଏହି ଗୋଷ୍ଠୀ ଏବଂ ସେମାନଙ୍କର ଉପଗୋଷ୍ଠୀର ଦୌରାତ୍ମ୍ୟ ଅସହ୍ୟ ସ୍ତରକୁ ଚାଲିଗଲାଣି। ଅସନ୍ତୋଷ କେବଳ ବଳଭଦ୍ର ଓ ସୁକାନ୍ତଙ୍କ ଭିତରେ ସୀମିତ ନାହିଁ। ଯେମିତି ବାଲେଶ୍ୱର ଜିଲା ସଭାପତି ରବୀନ୍ଦ୍ର ଜେନା ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ସମ୍ପର୍କୀୟ ହୋଇଥିବାରୁ ସୁଷମାଙ୍କ ମିଶ୍ରଣ ସମ୍ପର୍କରେ ସୁକାନ୍ତଙ୍କୁ ଜଣାଇବା ଲାଗି ଉଚିତ ମଣିଲେ ନାହିଁ, ଠିକ ସେମିତି ଜିଲା ପ୍ରଭାରୀ ଅତନୁ ସବ୍ୟସାଚୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଅନ୍ଧାରରେ ରଖାଗଲା।

ଗତ ନିର୍ବାଚନରେ ସିମୁଳିଆରୁ ବିଜେପି ପ୍ରାର୍ଥୀ ଥିଲେ ଶଶି କୁମାର ସାହୁ। ସେ ଥିଲେ ତୃତୀୟ ସ୍ଥାନରେ। ପ୍ରଥମ ସ୍ଥାନରେ ଥିବା ବିଜେଡ଼ି ପ୍ରାର୍ଥୀ ଜ୍ୟୋତିରଂଜନ ପାଣିଗ୍ରାହୀ ୫୯ ହଜାରରୁଅଧିକ ଭୋଟ ପାଇଥିଲେ ହେଁ ଏଥର ତାଙ୍କ ବଦଳରେ ବିଜେପିରୁ ଶଶିଙ୍କୁ ଆଣି ବିଜେଡ଼ି ପ୍ରାର୍ଥୀ କରୁଛି। ଏହା ନବୀନଙ୍କ ଅଗୋଚରରେ କରାଯାଉଛି। ନିର୍ବାଚନମଣ୍ଡଳୀର
ବିଜେଡ଼ି ସରପଞ୍ଚ, ସମିତି ସଭ୍ୟ ଏବଂ ଦୁଇ ବ୍ଲକ ସଭାପତିଙ୍କ ପ୍ରତିବାଦକୁ ଉପେକ୍ଷା କରି କେବଳ ନିଜ ସ୍ୱାର୍ଥ ପାଇଁ ଶଶିଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି କରିଛି ବିଜୁ ଜନତା ଦଳ। ସିମୁଳିଆରେ ଏହାର ଯେଉଁ ପ୍ରତିକ୍ରିୟା ପ୍ରତିଧ୍ୱନିତ ହେଉଛି, ସେଥିପାଇଁ କିଏ ମାନିବ ନବୀନଙ୍କୁ?

ଏକଦା ନବୀନଙ୍କ ପ୍ରତି ବିଜେଡ଼ିର ପ୍ରାୟ ସବୁ ନେତାଙ୍କର ଭୟ ଓ ସମ୍ମାନ ଥିଲା। ଅନୁଗତ ଗୋଷ୍ଠୀର କାରନାମା କାରଣରୁ ନବୀନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧା ଓ ସମ୍ମାନ ଊଣା ହେବାରେ ଲାଗିଛି। କେବେ ଦଳ ଛାଡ଼ୁଥିବା ନେତା ଏତେ ରୁକ୍ଷ ଭାବେ ଦଳ ପରିଚାଳନାକୁ ନେଇ ପ୍ରତିକ୍ରିୟା ବ୍ୟକ୍ତ କରୁ ନଥିଲେ। କିନ୍ତୁ ଏବେ ଭାଡ଼ି ଖୋଲିବାର ବେଳ। ସମସ୍ତେ ଜାଣିସାରିଲେଣି ଯେ, ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଶେଷ ନିର୍ବାଚନ, ଏହାପରେ ବିଜୁ ଜନତା ଦଳ ରହିବ କି ନାହିଁ ସନ୍ଦେହ, ସେତେବେଳେ ଆଉ ଆନୁଗତ୍ୟର ପ୍ରଶ୍ନ ଉଠୁଛି କୁଆଡ଼ୁ? ଦଳର ନବୀକରଣ ନାଁରେ ପୁରୁଣା ନେତାଙ୍କୁ ବାଦ ଦେଇ ଅନ୍ୟ ନେତାମାନଙ୍କୁ ଯେଭଳି ଭର୍ତ୍ତି କରୁଛନ୍ତି ଦଳରେ, ତାହା ଏମିତି ଏକ ବାତାବରଣ ସୃଷ୍ଟି କରିସାରିଲାଣି ଯେ, କେହି ଆଉ ନବୀନଙ୍କୁ ମାନିବା ଅବସ୍ଥାରେ ନାହାନ୍ତି। ଏହାହିଁ ବିଜୁ ଜନତା ଦଳ ପାଇଁ ଭୟଙ୍କର କାଳ ହୋଇପାରେ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *