ଆପଣଙ୍କ ବାର୍ଥ ଡେ’ ଓ ବିବାହ ପାର୍ଟିର ଶୋଭା ବଢ଼ାଇବେ ରଣବୀର୍, ଦୀପିକାଙ୍କ ସହିତ କରନ୍ତୁ ସମ୍ପର୍କ
କୌଣସି ପାର୍ଟି କିମ୍ବା ବିଶେଷ ଉତ୍ସବରେ ବଲିଉଡ୍ ତାରକାଙ୍କ ଉପସ୍ଥିତି ମାହୋଲକୁ ଆହୁରି ରଙ୍ଗୀନ୍ କରିଦେଇଥାଏ । ତେବେ ଏହା କେବଳ ଫିଲ୍ମ ଇଭେଣ୍ଟ୍ କିମ୍ବା ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ସମ୍ଭବ ହୋଇପାରେ । ସାଧାରଣ ସିନେପ୍ରେମୀଙ୍କ ପାଇଁ ଏହା କେବଳ ଏକ ସ୍ୱପ୍ନ ଭଳି । କିନ୍ତୁ ଏବେ ଏହା ଆଉ ସ୍ୱପ୍ନ ହୋଇରହିବ ନାହିଁ । ବଲିଉଡ୍ ତାରକା ରଣବୀର୍ ସିଂ ଆପଣଙ୍କ ବାର୍ଥ ଡେ’ ଓ ବିବାହ ପାର୍ଟିର ଶୋଭା ବଢ଼ାଇବେ । ଏଥପାଇଁ ଆପଣଙ୍କୁ ଦୀପିକାଙ୍କ ସହିତ ସମ୍ପର୍କ କରିବାକୁ ପଡ଼ିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଖବର ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ସେଲଫି ସହିତ ନିଜେ ରଣବୀର୍ ଏହି ମେସେଜକୁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି ।
ତେବେ ଏହା ପଛରେ ଥିବା ଅସଲି ଖବରଟି ହେଉଛି – ନିକଟରେ ରଣବୀର୍ ନୀଳରଙ୍ଗର ସେରୱାନୀ ସହିତ ଗୋଟିଏ ସେଲଫି ଇନଷ୍ଟାଗ୍ରାମରେ ସେୟାର୍ କରିବା ସହ କ୍ୟାପସନ୍ କରିଥିଲେ ଯେ – ‘ ବିବାହ ସିଜନ୍ ଆସିଲାଣି । ବିବାହ, ଓ ବାର୍ଥ ଡେ’ ପାର୍ଟି ପାଇଁ ଏଣ୍ଟରଟେନର୍ ଉପଲବ୍ଧ’ । ଏହି କ୍ୟାପସନର କମେଣ୍ଟ୍ ବକ୍ସରେ ଦୀପିକା ଲେଖିଥିଲେ ଯେ – ‘ବୁକିଙ୍ଗ୍ ପାଇଁ ସମ୍ପର୍କ କରନ୍ତୁ’ । ଦୀପବୀର୍ଙ୍କ ଏଭଳି ମଜାଳିଆ ପୋଷ୍ଟ୍, କ୍ୟାପସନ୍ ଓ କମେଣ୍ଟ୍ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ହୋଇଛି ଏବଂ ସେମାନେ ବେଶ୍ ମଜା ନେଉଛନ୍ତି । ଏହା ପୂର୍ବରୁ ମଧ୍ୟ ସୋସିଆଲ୍ ମିଡିଆରେ ଏଡି ରୋମାଣ୍ଟିକ୍ କପୁଲଙ୍କ ଅନେକ ମଜାଳିଆ ମେସେଜ୍ ଖୁବ୍ ଭାଇରାଲ୍ ହେବା ସହ ଅଗଣିତ ଲାଇକ୍ ମିଳିଛି । ଅଫସ୍କ୍ରୀନର ଏହି କ୍ୟୁଟ୍ ଯୋଡ଼ି ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ‘୮୩’ ମାଧ୍ୟମରେ ପରଦା ଉପରକୁ ଆସିବେ ।