ମାଳତୀ ଲୁକରେ ରାଜରାସ୍ତାକୁ ଓହ୍ଲାଇଲେ ଦୀପିକା, ତା’ପରେ କ’ଣ ହେଲା ଜାଣନ୍ତୁ
ଆଜିକାଲି ଦୀପିକା ତାଙ୍କର ଆଗାମୀ ଫିଲ୍ମ ‘ଛପାକ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ଦୀପିକା ଅଭିନୟ କରିବା ସହ ଏହାର ପ୍ରଯୋଜନା ମଧ୍ୟ କରୁଛନ୍ତି । ମେଘନା ଗୁଲଜାର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଏହାର କାହାଣୀ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏଥିରେ ଦୀପିକା ମାଳତୀ ଭୂମିକାରେ ଅଭିନୟ କରୁଛନ୍ତି । କିଛିଦିନ ତଳେ ଦୀପିକାଙ୍କ ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ଆଉଟ୍ ହେବା ପରେ ଫିଲ୍ମ ପ୍ରତି ସିନେପ୍ରେମୀ ଓ ପ୍ରଶଂସକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି । ଏହି ପୋଷ୍ଟରରେ ଦୀପିକା ଅବିକଳ ଲକ୍ଷ୍ମୀଙ୍କ ଭଳି ଦେଖାଯାଉଛନ୍ତି । ଇତିମଧ୍ୟରେ ଏବେ ଆଉ ଏକ ଖବର ମିଳିଛି ଯେ ଦୀପିକା ନିଜର ଛପାକ୍ ଲୁକ୍ ସହିତ ଦିଲ୍ଲୀର ଗଳିରେ ବୁଲିବାର ଦେଖିବାକୁ ମିଳିଥିଲା । ସେ ଏକ ଷ୍ଟୋରରେ କିଛି କିଣାକିଣି କରୁଥିଲେ । ଏମିତି ସମୟରେ ଦୀପିକାଙ୍କ ଜଣେ ପ୍ରଶଂସକ ତାଙ୍କୁ ଚିହ୍ନି ପାରିଥିଲେ ଏବଂ ଦୀପିକା ଦିଲ୍ଲୀର ରାଜରାସ୍ତାରେ ଅଛନ୍ତି ବୋଲି ଖବର କାନକୁ କାନ ଖେଳି ଯାଇଥିଲା ।
ଏହାପରେ ଦୀପିକାଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସେହି ଭିଡ଼ରେ କିଏ ଦୀପିକାଙ୍କ ସହିତ ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ ତ ଆଉ କିଏ ଭିଡିଓ ସୁଟିଂ କରୁଥିଲେ । ମାତ୍ର କିଛି ସମୟ ମଧ୍ୟରେ ଦୀପିକାଙ୍କ ସେହିସବୁ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏ ସମ୍ପର୍କରେ ଲକ୍ଷ୍ମୀ କହିଛନ୍ତି ଯେ – ‘ସମସ୍ତ ଏସିଡ୍ ପୀଡ଼ିତାଙ୍କ ପ୍ରତି ବଲିଉଡ୍ ତାରକାଙ୍କ ‘ଛପାକ୍’ ଭଳି ଏକ ପଦକ୍ଷେପ ସ୍ୱାଗତଯୋଗ୍ୟ ଏବଂ ମୋ ଭୂମିକାରେ ଦୀପିକା ଅଭିନୟ କରୁଥିବାରୁ ମୁଁ ଖୁସି’ । ‘ଛପାକ୍’ ପ୍ରତି ପ୍ରଶଂସକଙ୍କ ପାଗଳାମୀ ଦେଖିବା ପରେ ସିନେ ମହଲରେ ଚର୍ଚ୍ଚା ହେଉଛି ଯେ ପ୍ରତିଥର ଭଳି ଦୀପିକାଙ୍କ ଏହି ଫିଲ୍ମ ମଧ୍ୟ ୧୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହେବ ।