‘ଛପାକ୍’ର ଫାଷ୍ଟଲୁକ୍ ରିଲିଜ୍, ଚିହ୍ନି ହେଉନି ଦୀପିକାଙ୍କୁ
ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଛପାକ୍’ର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ପୋଷ୍ଟରରେ ଦୀପିକାଙ୍କ ଲୁକ୍ ସିନେପ୍ରେମୀଙ୍କ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିଲ୍ମର କାହାଣୀ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ନେଇ ରଚନା କରାଯାଇଛି । ଏଥିରେ ଦୀପିକା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଅନୁଯାୟୀ ଦୀପିକା ମାତଲି ନାମକ ଝିଅର ଚରିତ୍ରରେ ଅଭିନୟ କରିବେ । ଏହି ପୋଷ୍ଟରକୁ ଦୀପିକା ଟ୍ୱିଟର୍୍ ଆକାଉଣ୍ଟ୍ ରେ ସେୟାର୍ କରିଛନ୍ତି । ସବୁଠାରୁ ବିଶେଷ ଖବର ହେଉଛି ଏହି ପୋଷ୍ଟରରେ ଦୀପିକାଙ୍କୁ ଚିହ୍ନି ହେଉନାହିଁ । ଭଲ ଭାବେ ଦେଖିବା ପରେ ଦୀପିକାଙ୍କ ଚେହେରା ଟିକେ ସ୍ପଷ୍ଟ ହୋଇପାରୁଛି ।
ଦୀପିକାଙ୍କ ଏଭଳି ମେକଅପ୍ ଏବେ ଚର୍ଚ୍ଚାକୁ ଆସିଛି । ନିକଟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ଏବଂ ଆସନ୍ତା ବର୍ଷ ଜାନୁୟାରୀ ୧୦ ତାରିଖରେ ଫିଲ୍ମଟି ସିନେମାଘରକୁ ଆସିବ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଫକ୍ସଷ୍ଟାର୍ ଷ୍ଟୁଡିଓ ପକ୍ଷରୁ ନିର୍ମାଣ କରାଯାଉଛି । ‘ଛପାକ୍’ରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସି ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ । ଦୀପିକାଙ୍କ ଏଭଳି ଲୁକ୍ ଦେଖିବା ପରେ ଫିଲ୍ମର ମୁକ୍ତିଲାଭକୁ ନେଇ ପ୍ରଶଂସକ ମହଲରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।