ଚାଷୀଙ୍କୁ ଡେବିଟ୍ କାର୍ଡ
ଚାଷୀଙ୍କୁ ଏଟିଏମ୍ ସୁବିଧା ଯୋଗାଇବା ଲାଗି ଆସନ୍ତା ମାସକ ମଧ୍ୟରେ ୨୧ଲକ୍ଷ ୪୦ହଜାର ରୂପେ ଡେବିଟ୍ କାର୍ଡ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନିକଟରେ କିଷାନ କ୍ରେଡିଟ୍ କାର୍ଡ (କେସିସି) ନେଇ ରାଜ୍ୟ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ସମୀକ୍ଷା କରଛନ୍ତି ।
ଯେଉଁସବୁ ବ୍ୟାଙ୍କ୍ଶାଖାରେ ଚାଷୀମାନଙ୍କର ଆକାଉଣ୍ଟ ରହିଛି ସେଠାରେ ତୁରନ୍ତ ସେମାନଙ୍କୁ କେସିସି କାର୍ଡ ଦେବାପାଇଁ ଶ୍ରୀ ଧଳ କହିଛନ୍ତି । ଯେଉଁଠାରେ କୃଷକ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ନାହିଁ ସେଠାରେ ନିକଟସ୍ଥ ବ୍ୟାଙ୍କ୍ ଶାଖାରେ ତୁରନ୍ତ ଖାତା ଖୋଲିବାପାଇଁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୬କୋଟି ୯୫ଲକ୍ଷ କିଷାନ କାର୍ଡ କାର୍ଯ୍ୟକରୁଥିବାବେଳେ ଓଡିଶାରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ୧୪ଲକ୍ଷ କେସିସି ଜାରି କରିଛି ।
ରାଜ୍ୟ ସରକାର କେସିସିକୁ ରୂପେ ଡେବିଟ୍ କାର୍ଡରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଉଛନ୍ତି । ଏହା ଏଟିଏମ୍ରେ ବ୍ୟବହାର ହେବା ସହିତ କୃଷକମାନଙ୍କୁ ବେଶ୍ ସହାୟକ ହେବ । ୪୫ଲକ୍ଷ ପାଶ୍ବୁକ୍ ପାଇଁ ୧୪ଲକ୍ଷ କେସିସି ଜାରି ହୋଇଥିବାବେଳେ ଏହାକୁ ରୂପେ କାର୍ଡରେ ପରବର୍ତ୍ତନ କରାଯିବ ବୋଲି ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ସୂତ୍ରରୁ ସୂଚନା ମିଳିଛି ।
ଆସନ୍ତା ମାସରେ ୭ଲକ୍ଷ ୪୦ହଜାର ରୂପେ କାର୍ଡ କୃଷକମାନଙ୍କୁ ଯୋଗାଇ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଫଳରେ ଏଟିଏମ୍ ବ୍ୟବହାର ଲାଗି କୃଷକମାନଙ୍କ ନିକଟରେ ୨୧ଲକ୍ଷ ୪୦ହଜାର କାର୍ଡ ଉପଲବ୍ଧ ହୋଇପାରିବ ।
ବାଣିଜ୍ୟିକ ବ୍ୟାଙ୍କ୍ ଗୁଡିକ ଚାଷୀମାନଙ୍କୁ ୧୭ଲକ୍ଷ ପାଶ୍ବୁକ୍ ଜାରି କରିଥିବାବେଳେ କେସିସି ଦେବା ବ୍ୟାଙ୍କ୍ ମାନଙ୍କ ପାଇଁ ସମସ୍ୟା ହୋଇଛି । ଋଣ ପାଇପାରୁନଥିବା ଚାଷୀଙ୍କୁ କେନ୍ଦ୍ର ସରକାର ଅଧିକରୁ ଅଧିକ ସଂଖ୍ୟକ ଚାଷୀଙ୍କୁ କେସିସି ଯୋଗାଇବା ସପକ୍ଷରେ ଅଛନ୍ତି ।
ରାଜ୍ୟ ସରକାରଙ୍କ ସହାୟତାରେ ଚାଷୀମାନଙ୍କୁ କେସିସି ଯୋଗାଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଚାଷୀମାନଙ୍କୁ କେସିସି ମାଧ୍ୟମରେ ଋଣ ପ୍ରଦାନ ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।
ବ୍ୟବସାୟିକ ବ୍ୟାଙ୍କ୍ମାନେ କେସିସି ଓ କୃଷି ଋଣ ପାଇଁ ବିଭିନ୍ନ ଦେୟ ଓ କାଗଜପତ୍ର ଆଦି ଆବଶ୍ୟକ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ୍ ସଂଘ ପକ୍ଷରୁ ସମସ୍ତ ବ୍ୟାଙ୍କ୍ମାନଙ୍କୁ କୃଷି ଋଣ ପାଇଁ ଆଦାୟ କରୁଥିବା ଦେୟ ଛାଡ କରିବାକୁ କୁହାଯାଉଛି ।
ବ୍ୟାଙ୍କ୍ ସଂଘ ପକ୍ଷରୁ ସ୍ୱତନ୍ତ୍ର ଭାବେ ଋଣପାଇଁ ଆବଶ୍ୟକ କରୁଥିବା କାଗଜପତ୍ର, ଅନୁଧ୍ୟାନ, ଲେଜର ଫୋଲିଆ ଚାର୍ଜେସ ଏବଂ କେସିସି ଓ ୩ଲକ୍ଷଟଙ୍କା ପର୍ଯ୍ୟନ୍ତ କୃଷିଋଣ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଛାଡ ପାଇଁ କୁହାଯାଇଛି ।
ଯଦି ଚାଷୀଙ୍କୁ ଦିଆଯାଇଥିବା କେସିସି ଗୁଡିକୁ କୌଣସି କାରଣରୁ କାର୍ଯ୍ୟକରୁନାହିଁ ତେବେ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବାକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଆଶିଷ କୁମାର ଭୂତାନି କହିଛନ୍ତି । ସମଗ୍ର ଦେଶରେ ୧୯୯୮ ମସିହାରେ କେସିସି ପ୍ରଚଳନ ହୋଇଥିବାବେଳେ କୃଷକମାନଙ୍କୁ ଋଣ ପ୍ରଦାନ ପାଇଁ ଏହା ବେଶ୍ ସହାୟକ ହେଉଛି ।











