ଦେବାଶିଷଙ୍କ ତଣ୍ଟିଆମରା: କାମ ଦେଉନି ମଉସାଙ୍କ କ୍ଳିନଚିଟ

କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାମରେ କଟକ ଏବଂ ଭୁବନେଶ୍ୱର ଥାନାରେ ମାମଲା ରୁଜୁ ହୋଇସାରିଛି। କଟକରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଛି ଦେବାଶିଷଙ୍କ ଗିରଫ ଦାବିରେ। ଭୁବନେଶ୍ୱର ଏବଂ ଅନ୍ୟ କେତେକ ସ୍ଥାନରେ ଅସମ୍ଭବ ନୀରବତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଭାରତୀୟ ଜନତା ପାର୍ଟି। ସହିଦ ମନୋଜ ବେହେରାଙ୍କ ଶବାଧାର ପାଖରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷଙ୍କ ତଣ୍ଟିଆ ସାରା ଭାରତରେ ହୁଲସ୍ତୁଲ ପକାଇ ଦେବା ପରେ ପାକିସ୍ତାନ ଏହାକୁ ପ୍ରସାର କରି ଭାରତକୁ ଛିଗୁଲାଇଛି।

ବିଦେଶରେ ଭାରତର ସମ୍ମାନ ହାନୀ ପରେ ବିଧାୟକ ନିଜକୁ ବଞ୍ଚାଇବା ପାଇଁ ଯାହା ତ କହିଥିଲେ କହିଥିଲେ, ଏବେ ତାଙ୍କ ସପକ୍ଷରେ ତଣ୍ଟିଆ ଖାଇଥିବା ଦାଦା ବାହାରିବା ଘଟଣାଟିକୁ ଆହୁରି ରୋଚକ ଏବଂ ମଜାଦାର କରିଦେଇଛି।

ଦେବାଶିଷଙ୍କ ପରଷ୍ପର ବିରୋଧି ବୟାନ

ବିଧାୟକ ୧୬ ତାରିଖ ରାତିରେ ନିଆଳି ରତନପୁରର ବୀର ଯୁବକ ମନୋଜ ବେହେରାଙ୍କ ଶବ ନିକଟରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ମାରିବା ଏବଂ ପରେ ତଣ୍ଟିଆ ଦେଇ ବସାଇ ଦେବା ଭିଡିଓଟି ଭାଇରାଲ ହୋଇଯାଇଥିଲା ୧୭ ତାରିଖ ଦିନ। ଦୁଇଦିନ ବିତିଗଲା ପରେ ମଧ୍ୟ ବିଧାୟକ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲେ। ତଣ୍ଟିଆ ଖାଇଥିବା ବ୍ୟକ୍ତି ଚୈତନ୍ୟ ବେହେରା ମଧ୍ୟ ଆଗକୁ ଆସି ନଥିଲେ କିମ୍ୱା କିଛି କହି ନଥିଲେ। ୧୯ ତାରିଖ ଦିନ ଅବସ୍ଥା ଅସମ୍ଭାଳ ହେବାରୁ ସାମ୍ନାକୁ ଆସିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ।

ସେ ସାମ୍ନାକୁ ଆସିବାର କିଛିଘଣ୍ଟା ଆଗରୁ ଶାସକ ଦଳର ମୁଖପାତ୍ର ସସ୍ମିତ ପାତ୍ର ଘଟଣାର ଦମ ନାହିଁ, ଭିତ୍ତିହୀନ ଇତ୍ୟାଦି କହି ସତେ ଯେମିତି କିଛି ଘଟି ନାହିଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହାପରେ ସାମ୍ନାକୁ ଆସି ଦେବାଶିଷ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ କ୍ଷମା ପ୍ରାର୍ଥନା ବେଳେ ଦେବାଶିଷଙ୍କ ଉତ୍ତର ଥିଲା ଯେ, ମୁଁ ଜାଣି ନଥିଲି, ସେ ସହିଦଙ୍କ ସମ୍ପର୍କୀୟ ବୋଲି। ଯଦି ମୋର ଆଚରଣରେ କାହାକୁ କଷ୍ଟ ହୋଇଥିବ, ତେବେ ମୁଁ କ୍ଷମା ମାଗୁଛି। ଅନ୍ୟମାନେ ଏହାକୁ ରାଜନୀତି ନକରିବାକୁ ବିଧାୟକ ସେମାନଙ୍କୁ ଯୋଡ଼ହସ୍ତରେ ନିବେଦନ କରିଥିଲେ।

ଅର୍ଥାତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କାରଣରୁ ଘଟଣାର ତିନିଦିନ ପରେ ବିଧାୟକ କ୍ଷମା ମାଗିବାକୁ ବାଧ୍ୟ ହେଲେ। ସେପର୍ଯ୍ୟନ୍ତ ସହିଦଙ୍କ ଦାଦା ଚୈତନ୍ୟଙ୍କର ଦେଖାଦର୍ଶନ ନଥିଲା। କିଛି ପ୍ରତିକ୍ରିୟା ଦେଇ ନଥିଲେ। ୨୦ ତାରିଖ ରାତିରେ ପାକ ଚ୍ୟାନେଲରେ ଦେବାଶିଷଙ୍କ ତଣ୍ଟିଆମରା ଭିଡ଼ିଓ ବାଜିଲା। ଏହି ଭିଡିଓକୁ ଦେଖାଇ ସହିଦଙ୍କ ପାଇଁ ଭାରତ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପାକିସ୍ତାନ ଦେଖାଇବାକୁ ଚେଷ୍ଟା କରିଥିଲା।

ଏହା ପୂର୍ବରୁ ଭାରତର ଜାତୀୟ ଗଣମାଧ୍ୟମର ଓ୍ବେବ ସାଇଟରେ ଏହି ଭିଡିଓଟି ଚର୍ଚ୍ଚାର ବିନ୍ଦୁ ପାଲଟି ସାରିଥିଲା। ପାକିସ୍ତାନ ଦେବାଶିଷଙ୍କ ଏହି ତଣ୍ଟିଆମରା ଭିଡିଓଟି ବାରମ୍ୱାର ପ୍ରଚାର କରିବା ଫଳରେ ଏହାକୁ ନେଇ ଓଡ଼ିଶାରେ ପ୍ରବଳ ଆଲୋଡ଼ନ ସୃଷ୍ଟି ହେଲା।

୨୧ ତାରିଖ ଦିନ ଅର୍ଥାତ ଘଟଣାର ପଞ୍ଚମ ଦିନରେ ବିଧାୟକ ଦେବାଶିଷ ଦ୍ୱିତୀୟ ଥର ପାଇଁ କ୍ଷମା ମାଗିବା ଅବସରରେ ଆଉ ତିନିଟି କଥା ଯୋଡ଼ିଲେ। ଯେଉଁ ଭଦ୍ରବ୍ୟକ୍ତିଙ୍କୁ ସେ ତଣ୍ଟିଆ ମାରୁଥିବା ଦୃଶ୍ୟ ପ୍ରସାରିତ ହୋଇଥିଲା, ସେ ସହିଦଙ୍କର ଦାଦା ନୁହଁନ୍ତି। ବହୁ ଦୂର ସମ୍ପର୍କୀୟ ଦାଦା। ଏହି ଦୂର ସମ୍ପର୍କୀୟ ଦାଦା ଜଣଙ୍କ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଧକ୍କା ମାରିଥିଲେ। ତେଣୁ ସେ ତାଙ୍କ ହାତ ଧରି ଶବାଧାର ପାଖରେ ବସାଇ ଦେଇଥିଲେ। ସେ ଏହା ପୂର୍ବରୁ ସହିଦଙ୍କ ପରିବାରକୁ ଯାଇ ବୁଝାସୁଝା କରିଥିଲେ ବୋଲି ସଫେଇ ଦେଇଥିଲେ ଦେବାଶିଷ।

ଘଟଣାର ଷଷ୍ଠ ଦିନରେ ଅର୍ଥାତ ଶୁକ୍ରବାର ଦିନ ରାଜନୀତି ଅତି ଗରମ ହୋଇପଡ଼ିଥିଲା। ଦେବାଶିଷଙ୍କ ଆଚରଣକୁ ନେଇ ନବୀନଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ। ଏହି ସମୟରେ ଆତ୍ମପ୍ରକାଶ କଲେ ଦେବାଶିଷ କହୁଥିବା ସହିଦଙ୍କର ସେହି ଦୂର ସମ୍ପର୍କୀୟ ଦାଦା। ଦେବାଶିଷଙ୍କୁ କ୍ଲିନ ଚିଟ ଦେବାପାଇଁ ବାହାରି ଆସିବାକୁ ଏହି ଦୂର ସମ୍ପର୍କୀୟ ଦାଦା ଚୈତନ୍ୟଙ୍କୁ ଲାଗିଗଲା ୬ ଦିନ। ସେ କହିଲେ ଯେ, ଦେବାଶିଷଙ୍କର କିଛି ଭୁଲ ନାହିଁ କି ତାଙ୍କର ବି ଭୁଲ ନାହିଁ। ଦେବାଶିଷଙ୍କ ନାଁକୁ ନେଇ ରାଜନୀତି ନକରିବାକୁ ଏହି ଭଦ୍ରବ୍ୟକ୍ତି ଅନୁରୋଧ କରିଛନ୍ତି। ‘ସେ ଆମ ଘରେ ୫ଘଣ୍ଟା ପୂର୍ବରୁ ପହଞ୍ଚି ଥିଲେ। ନିଜେ ଶବକୁ କାନ୍ଧ ଦେଇଛନ୍ତି। ଠେଲାପେଲା ଭିତରେ ସେ ମୋତେ କହିଲେ ମଉସା ତୁମେ ସେଠି ବସିଯାଅ। ମୁଁ ବସିଗଲି। ଯାହା ପ୍ରଚାର ହେଉଛି, ତାହା ଦେଖି ମୋତେ ଦୁଃଖ ଲାଗୁଛି।’

କ୍ଷମା ପ୍ରାର୍ଥନା ଠାରୁ ଆହୁରି ଭୟଙ୍କର ଦୂର ସମ୍ପର୍କୀୟ ଦାଦାଙ୍କ କ୍ଲିନଚିଟ

ଦେବାଶିଷଙ୍କ କ୍ଷମା ପ୍ରାର୍ଥନା ଠାରୁ ଆହୁରି ଭୟଙ୍କର ଦୂର ସମ୍ପର୍କୀୟ ଦାଦାଙ୍କ କ୍ଲିନଚିଟ। ଗୁରୁବାର ଦିନ ଦ୍ୱିତୀୟ କ୍ଷମା ପ୍ରାର୍ଥନା ବେଳେ ବିଧାୟକ ସାମନ୍ତରାୟ କହିଥିଲେ, ସେହି ଲୋକ କେନ୍ଦ୍ରମନ୍ତ୍ରୀଙ୍କୁ ଧକ୍କା ମାରିଥିଲା। ମୁଁ ତାଙ୍କୁ ହାତ ଧରି ବସାଇ ଦେଇଥିଲି। ଶୁକ୍ରବାର ଦିନ ଏହି ତଥାକଥିତ ଦାଦା ସ୍ପଷ୍ଟୀକରଣ ଦେଲେ ଯେ, ତାଙ୍କର କିଛି ଭୁଲ ନାହିଁ। ମୋତେ ବିଧାୟକ କହିଲେ ବସିଯାଅ, ମୁଁ ବସିଗଲି। ବିଧାୟକ କହିଥିଲେ, ଆଗରୁ ଶୁଣୁଥିଲି ସେ ସହିଦଙ୍କର ଦାଦା ବୋଲି। ପରେ ଜାଣିଲି ଯେ, ସେ ଅତି ଦୂର ସମ୍ପର୍କୀୟ ଦାଦା। ଏହି ଦୂର ସମ୍ପର୍କୀୟ ଦାଦା କହୁଛନ୍ତି ଯେ, ବିଧାୟକ ଆମ ଘରେ ୫ଘଣ୍ଟା ପୂର୍ବରୁ ପହଞ୍ଚି ଥିଲେ। କାହା ଘର? ସହିଦଙ୍କ ଘରେ ନା ଏହି ଦୂର ସମ୍ପର୍କୀୟ ଦାଦାଙ୍କ ଘରେ?

ବିବାଦର ବିନ୍ଦୁ ହେଉଛି ପ୍ରସାରିତ ଭିଡିଓ

ସବୁ ବିବାଦର ବିନ୍ଦୁ ହେଉଛି ପ୍ରସାରିତ ଭିଡିଓଟି। ଭିଡିଓଟିରେ ପ୍ରଥମେ ବିଧାୟକ ଏହି ଦୂର ସମ୍ପର୍କୀୟ ଦାଦାଙ୍କୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି। ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କୁ ଭିଡ଼ି ଆଣୁଛନ୍ତି। ତୃତୀୟରେ ତଣ୍ଟିଆ ମାରି ବସାଇ ଦେଉଛନ୍ତି। ତେବେ ବିଧାୟକ ଏବଂ ତାଙ୍କୁ କ୍ଲିନଚିଟ ଦେଉଥିବା ମଉସା କହିବେ କି ଯେ, ଭିଡିଓଟି ଜାଲି। ତାଙ୍କ ବେକରେ ହାତ ଦେଇ ନାହାନ୍ତି ବିଧାୟକ। ୬ଦିନ ପରେ ବିଧାୟକଙ୍କୁ କ୍ଲିନଚିଟ ଦେଇଥିବା ଚୈତନ୍ୟ ସ୍ପଷ୍ଟ କରିବା ଉଚିତ ଯେ, ସେ ସହିଦ ମନୋଜଙ୍କ ନିଜ ଦାଦା ନା ଅତି ଦୂର ସମ୍ପର୍କୀୟ ଦାଦା? ବିଧାୟକ ଯାହା କହିଛନ୍ତି, ତାହା ଠିକ ବୋଲି ଅନ୍ତତଃ ସ୍ୱୀକାର କରନ୍ତୁ। ଭିଡିଓଟି ନଥିଲେ ବିବାଦ ଉଠି ନଥାନ୍ତା। ଭିଡିଓଟି ଥିବାରୁ ପାକିସ୍ତାନ ଭାରତକୁ ବଦନାମ କରିବା ପାଇଁ ସୁଯୋଗ ପାଇଲା। ଏବେ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ସହିଦଙ୍କ ଦୂର ସମ୍ପର୍କୀୟ ଦାଦା ସଂଯୁକ୍ତ ସାମ୍ୱାଦିକ ସମ୍ମିଳନୀରେ ଏହି ଭିଡିଓ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ନିତାନ୍ତ ଜରୁରୀ ହୋଇପଡ଼ିଛି।

Leave a Reply

Your email address will not be published. Required fields are marked *