ଦେଶରେ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ ରୋଗଜନିତ
ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଆତଙ୍କବାଦୀ ପ୍ରସଙ୍ଗ ଯେପରି ସ୍ଥାନ ପାଇଲା ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ସେପରି ସ୍ଥାନ ପାଇନି। ଦେଶରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ରୋଗଜନିତ ମୃତ୍ୟୁ ବୋଲି ଭାରତ ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ସଚିବ କେ. ସୁଜାତା ରାଓ ସୂଚନା ଦେଇଛନ୍ତି।
୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ୭୬୬ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଯାହାକି ମୋଟ୍ ମୃତ୍ୟୁସଖ୍ୟାର ୦.୦୦୭ ପ୍ରତିଶତ। ଅପରପକ୍ଷରେ ସ୍ୱାସ୍ଥ୍ୟଜନିତ ସମସ୍ୟା ବା ରୋଗରେ ପଡ଼ି ୬୬ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଯାହାକି ମୋଟ୍ ମୃତ୍ୟୁସଂଖ୍ୟାର ୯୦ ପ୍ରତିଶତ ବୋଲି ଶ୍ରୀମତୀ ରାଓ ଉଲ୍ଲେଖ କରିଛନ୍ତି।
ଦେଶର ପ୍ରତିରକ୍ଷା ବଜେଟ୍ ପ୍ରତିବର୍ଷ ଯେଉଁ ପରିମାଣରେ ବୃଦ୍ଧି ପାଉଛି ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ର ବଜେଟ୍ ସେପରି ବୃଦ୍ଧି ପାଉନାହଁି। ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ସ୍ୱାସ୍ଥ୍ୟ ବଜେଟ୍ ଅତି ନଗଣ୍ୟ। ୨୦୧୭ରେ ୯୯ ଲକ୍ଷ ଲୋକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମୃତ୍ୟୁବରଣ କରିଥିଲେ। ଯାହାକି ପ୍ରତି ୧ ଲକ୍ଷରେ ୭୧୭.୭୯ ଜଣ ମୃତ୍ୟୁ ଜଣ କରିଛନ୍ତି ବୋଲି ୨୦୧୮ ମସିହାରେ ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜିଜ୍ ରିପୋର୍ଟରେ ପ୍ରକାଶ ପାଇଛି।
ସଂକ୍ରାମକ ରୋଗ, ମାତୃ, ଶିଶୁ ମୃତ୍ୟୁ ଓ ଅପପୁଷ୍ଟି ସମସ୍ୟା ଯୋଗୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦେଶର ମୋଟ୍ ମୃତ୍ୟୁର ୨୬.୬ ପ୍ରତିଶତ ରହିଛି। ରୋଗର ଚିକିତ୍ସା ଅଭାବରୁ ଯେଉଁ ମୃତ୍ୟୁ ହେଉଛି ତାହା ମୋଟ୍ ମୃତ୍ୟୁର ୬୩.୪ ପ୍ରତିଶତ ରହିଥିବା ବେଳେ ଦୁର୍ଘଟଣାଜନିତ ମୃତ୍ୟୁହାର ୯.୮ ପ୍ରତିଶତ ବୋଲି ଏହି ରିପୋର୍ଟରେ କୁହାଯାଇଛି।
ମଧୁମେୟ ଯୋଗୁ ୨୦୧୭ରେ ୨ ଲକ୍ଷ ୫୪ ହଜାର ୫୦୦ ଜଣ ମୃତ୍ୟୁବରଣ କରିଥିବା ବେଳେ ସଂକ୍ରାମକ ରୋଗରେ ୨୦ ଲକ୍ଷ ଏବଂ ଆତ୍ମହତ୍ୟାରେ ୨ଲକ୍ଷ ୧୦ ହଜାର ୮୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ଯାହାକି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଯବାନ(୭୬୬)ଙ୍କ ସଂଖ୍ୟାର ୮ ହଜାର ଗୁଣ ଅଧିକ।
୨୦୧୭ରେ ସମଗ୍ର ଦେଶରେ ୧୭୮ଟି ଆତଙ୍କବାଦୀ ଆକ୍ରମଣରେ ୭୭ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୨୯୫ ଜଣ ଆହତ ହୋଇଥିଲେ ବୋଲି ସାଉଥ୍ ଏସିଆ ଟେରୋରିଷ୍ଟ ପୋର୍ଟାଲ୍ରେ ଉଲ୍ଲେଖ କରାଯାଇଛି।