‘ଦେ ଦେ ପ୍ୟାର୍ ଦେ’ର ଟ୍ରେଲର୍ ଆଉଟ୍, ଅଧଘଣ୍ଟା ମଧ୍ୟରେ ୧.୫ ଲକ୍ଷ ଲାଇକ୍

ହସର ତଡ଼କା ନେଇ ଆସିଥିବା ଅଜୟ ଦେବଗନ୍ଙ୍କ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’ର ଟ୍ରେଲର୍ ସୋସିଆଲ୍ ମିଡିଆରେ ରିଲିଜ୍ କରାଯାଇଛି । ଏଥିରେ ଅଜୟ ଘରୱାଲି ଓ ବାହାରୱାଲିର ପ୍ରେମ ଭିତରେ ଛନ୍ଦି ହୋଇଯାଉଥିବାର ଦେଖିବାକୁ ମିଳିଛି । କାହାଣୀ ଅନୁଯାୟୀ ଏଥିରେ ଅଜୟ ୫୦ ବର୍ଷୀୟ ଆଶିଷ ନାମକ ବ୍ୟକ୍ତିଙ୍କ ଭୂମିକାରେ ଅଛନ୍ତି ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ରାକୁଲ୍ ପ୍ରୀତ୍ ସିଂ । ୨୬ ବର୍ଷୀୟା ଆୟେଶା ଭୂମିକାରେ ରାକୁଲ୍ ବାହାରୱାଲି ଭୂମିକାରେ ନଜର ଆସିଛନ୍ତି । ଘରୱାଲି ଭାବେ ଅଛନ୍ତି ଦକ୍ଷ ଅଭିନେତ୍ରୀ ତବୁ । ଟ୍ରେଲରରେ ଦେଖିବାକୁ ମିଳିଛି ଯେ – ବିଦେଶ ଗସ୍ତରେ ଯାଇଥିବା ଆଶିଷ ସେଠାରେ ଆୟେଶାଙ୍କୁ ଭଲ ପାଇ ବସିଛନ୍ତି । ଭାରତ ଫେରିବା ବେଳେ ଆୟେଶାଙ୍କୁ ତାଙ୍କ ସହିତ ଆଣିଛନ୍ତି । ଘରେ ଥିବା ସ୍ତ୍ରୀ ଓ ପରିବାରକୁ ମିଛ କହିବାକୁ ଯାଇ ଆଶିଷ କହିଛନ୍ତି ଯେ ଆୟେଶା ତାଙ୍କ ଝିଅ ।

ଏହାପରେ କମେଡ଼ି ତଡ଼କା ଆରମ୍ଭ ହୋଇଛି । ତାହେଲେ କାହାଣୀରେ ଆଗକୁ କ’ଣ ସବୁ ଘଟୁଛି, ତାହାକୁ ଦେଖିବାକୁ ହେଲେ ଦର୍ଶକଙ୍କୁ ଆଗାମୀ ମେ’ ମାସ ୧୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ତେବେ ଏହାର ଟ୍ରେଲର୍ ଦେଖିବା ମାତ୍ରେ ସିନେପ୍ରେମୀ ଏହାର ମୁକ୍ତିଲାଭ ତାରିଖକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଟ୍ରେଲର୍ ଖୁବ୍ ମଜାଦାର୍ ହୋଇଛି ଏବଂ ରିଲିଜ୍ ହେବାର ମାତ୍ର ଅଧଘଣ୍ଟା ମଧ୍ୟରେ ଏହାକୁ ୧.୫ ଲକ୍ଷ ଲାଇକ୍ ମିଳିସାରିଛି । ଅକିବ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫ୍ୟାମିଲି ଡ୍ରାମାର ପ୍ରଯୋଜକ ହେଉଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଲଭ ରଂଜନ ଓ ଅଙ୍କୁର ଗର୍ଗ ।

Leave a Reply

Your email address will not be published.