ତଥ୍ୟ ଚୋରାଉଛି ହୁୱାଇ!
ନୂଆଦିଲ୍ଲୀ: ଚୀନ୍ର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ହୁୱାଇ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକ ବିରୋଧରେ ଆମେରିକା କରିଛି ସାଂଘାତିକ ଅଭିଯୋଗ । ଆମେରିକୀୟ କମ୍ପାନୀଗୁଡ଼ିକର ବ୍ୟବସାୟ ସମ୍ପର୍କିତ ଗୋପନୀୟ ତଥ୍ୟ ଚୋରି କରିବା ଲାଗି ହୁୱାଇ ଷଡ଼ଯନ୍ତ୍ର ରଚିଛି ବୋଲି ଆମେରିକାର ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଭିଯୋଗ ଅନୁସାରେ କମ୍ପାନୀ ଇରାନ୍କୁ ସତର୍କ ଦୃଷ୍ଟି ରଖିବା ଲାଗି ଉପକରଣ ଉପଲବ୍ଧ କରିଛି । ଯାହାଦ୍ୱାରା ଇରାନ୍ ୨୦୦୯ରେ ହୋଇଥିବା ସରକାର ବିରୋଧୀ ପ୍ରଦର୍ଶନକୁ ନିରୀକ୍ଷଣ କରିଥିଲା । ଏହାବ୍ୟତୀତ ପ୍ରତିବନ୍ଧକ ସତ୍ତ୍ୱେ କମ୍ପାନୀ ଉତ୍ତର କୋରିଆ ସହିତ ବ୍ୟବସାୟ କରିଛି । ମାତ୍ର ହୁୱାଇ ପକ୍ଷରୁ ବିବୃତି ଜାରି କରାଯାଇ ଏହି ଅଭଯୋଗକୁ ଖଣ୍ଡନ କରାଯାଇଛି । ତେବେ ପୂର୍ବରୁ ହିଁ ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ସମ୍ବନ୍ଧରେ ବ୍ୟାଙ୍କଗୁଡ଼ିକୁ ମିଛ କହିବା ଏବଂ ତଥ୍ୟ ଲୁଚାଇବା ଅଭିଯୋଗରେ କମ୍ପାନୀ ଆମେରିକା ଆଇନ ପ୍ରକ୍ରିୟାର ସାମନା କରୁଛି । ଅଭିଯୋଗ ମୁତାବକ, ହୁୱାଇ ପ୍ରତିସ୍ପର୍ଦ୍ଧା କମ୍ପାନୀଗୁଡ଼ିକର ବ୍ୟବସାୟ ସମ୍ବନ୍ଧିତ ଗୋପନୀୟ ତଥ୍ୟ ଚୋରି କରିବା ଲାଗି ସେହି କମ୍ପାନୀଗୁଡ଼ିକର ଲୋକଙ୍କୁ ଚାକିରିରେ ରଖିଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଥିବା କର୍ମଚାରୀଙ୍କୁ ବୋନସ୍ ଓ ଅନ୍ୟାନ୍ୟ ପ୍ରୋତ୍ସାହିତ ରାଶି ମଧ୍ୟ ପ୍ରଦାନ କରୁଥିଲା । ଚୋରି କରାଯାଇଥିବା ତଥ୍ୟ ମଧ୍ୟରେ ଆଣ୍ଟିନା ଓ ରୋବୋଟ୍ ପରୀକ୍ଷଣ ପ୍ରାଦ୍ୟୋଗିକୀ ଏବଂ ଇଣ୍ଟର୍ନେଟ୍ ରଏଟର୍ର ଉପଭୋକ୍ତା ମାନୁଆଲ୍ ଆଦି ସାମିଲ ରହିଛି । ଅନୁସନ୍ଧାନ ଏବଂ ବିକାଶ କାର୍ଯ୍ୟଗୁଡ଼ିକ ଉପରେ ହେଉଥିବା ଖର୍ଚ୍ଚରୁ ବଞ୍ଚିବା ହେଉଛି ଏହି ଚୋରିର ଲକ୍ଷ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ହୁୱାଇ ପ୍ରାୟ ୮ଟି କମ୍ପାନୀଗୁଡ଼ିକର ତଥ୍ୟ ଚୋରି କରିଛି ବୋଲି ଅଭିଯୋଗ ଲଗାଯାଇଛି ।