ଡ୍ୟାନ୍ସବାର୍‌କୁ ଅଡ଼ୁଆ: ଅଗ୍ନି ନିରାପତ୍ତା ନଥିଲେ ଅନୁମତି ନାହିଁ

ଭୁବନେଶ୍ଵର, (ଓଟି):  କିଛିଦିନ ପୂର୍ବରୁ ରାଜଧାନୀରେ ଡ୍ୟାନ୍ସବାର୍‌ ଖୋଲିବା ଲାଗି ସରକାରଙ୍କ ଅବକାରୀ ବିଭାଗ ଦ୍ଵାର ଉନ୍ମୁକ୍ତ କରିଥିବାବେଳେ ପୁଣି ଏକ ଅଡ଼ୁଆ ସାମ୍ନାକୁ ଆସିଛି। ପୁଲିସ ବିଭାଗ ପକ୍ଷରୁ ଏହି ଅଡ଼ୁଆ ଆସିଛି ।  ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି, ଯେପର୍ଯ୍ୟନ୍ତ ଡ୍ୟାନ୍ସବାର୍‌ଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନିଶ୍ଚିତ କରିନାହାନ୍ତି ସେପର୍ଯ୍ୟନ୍ତ ଅନୁମତି ମିଳିବ ନାହିଁ। ଅର୍ଥାତ୍‌ ସମସ୍ତ ଡ୍ୟାନ୍ସବାର୍‌ ଆବଶ୍ୟକ ପ୍ରମାଣପତ୍ର ଯୋଡ଼ କରିବା ପରେ ପୁଣିଥରେ ଆବେଦନ କରିବାକୁ ହେବ ବୋଲି ସେ ସୂଚନା ଦେଇଛନ୍ତି। 

ଏବେ ଏକ ସହକାରୀ ଅଗ୍ନିଶମ ସୁରକ୍ଷା ଅଧିକାରୀ ଆବଶ୍ୟକ ଏନ୍‌ଓସି ଜାରି କରୁଛନ୍ତି। କିନ୍ତୁ ଏହା ନୂଆ ଅଗ୍ନିଶମ ଆଇନ ପରିସରଭୁକ୍ତ ନୁହେଁ ବୋଲି ବିଭାଗ ଦର୍ଶାଇଛି। ଏଣୁ ପୁନଃ ଆବଦେନ କଲେ ଏକ ସ୍ଵତନ୍ତ୍ର ଟିମ୍‌ ସମ୍ପୃକ୍ତ ଡ୍ୟାନ୍ସବାର୍‌କୁ ପରିଦର୍ଶନ କରିବ ଏବଂ ପ୍ରମାଣପତ୍ର ଜାରି କରିବ ବୋଲି ସେ କହିଛନ୍ତି। 

ଅନେକ ସମୟରେ ବେଆଇନ୍‌ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଏହି ଡ୍ରାନ୍ସବାର୍‌ଗୁଡ଼ିକରେ ପୁଲିସ ପକ୍ଷରୁ ପୂର୍ବରୁ ଚଢ଼ଉ ହୋଇଛି। ଆପତ୍ତିଜନକ ଅବସ୍ଥାରେ ବାର୍‌ ଡ୍ୟାନ୍ସର ଏବଂ ଅନ୍ୟମାନଙ୍କୁ ପୁଲିସ ଗିରଫ ବି କରିଛି। ଗଲା କିଛି ମାସ ତଳେ ୯୬ ଜଣ ବାର୍‌ ଡ୍ୟାନ୍ସରଙ୍କୁ ପୁଲିସ ୭ଟି ବାର୍‌ରୁ ଗିରଫ କରିଥିଲା। ସେମାନଙ୍କ ଲାଇସେନ୍ସ ବାତିଲ୍‌ କରାଯାଇଥିଲା। କିନ୍ତୁ ଗଲଶ ଶନିବାରଦିନ ଅବକାରୀ ବିଭାଗ କମିଶନର ଏହି ୭ ଡ୍ୟାନ୍ସ ବାର୍‌କୁ ପୁଣିଥରେ ଖୋଲିବା ଲାଗି ଅନୁମତି ଦେଇଥିଲେ। ଏହାପରେ ଭୁବନେଶ୍ଵରରେ ରାତ୍ରୀ ପୁଣିଥରେ ମସଲାଯୁକ୍ତ ହେବ ବୋଲି କିଛି ଲୋକ ଅନୁମାନ କରୁଥିଲେ। ବିଜେପି ପକ୍ଷରୁ ଏହା ଓଡ଼ିଆ ସଂସ୍କୃତିକୁ ନଷ୍ଟ କରିବାର ଏକ ଉଦ୍ୟମ ବୋଲି ଅଭିଯୋଗ କରାଯାଇଥିଲା। ଫଳରେ ଅନେକ ବାଦ ବିବାଦ ସୃଷ୍ଟି ହୋଇଥିଲା।  କିଛିଦିନର ରାଜନୀତିକ ବିବାଦ ଏହାକୁ ଏବେ ଏକ ବିଭାଗୀୟ ବିବାଦରେ ପରିଣତ କରିଛି।

ଅବକାରୀ ବିଭାଗ ଜାରି କରିଥିବା ସର୍ତ୍ତମୂଳକ କଟକଣାଗୁଡ଼ିକ ଭିତରେ ଅଗ୍ନିଶମ ନିରାପତ୍ତାକୁ ଦୃଷ୍ଟି ଦେଇ ନଥିଲେ। ଏବେ ପୁଲିସ ଡିଜିଙ୍କ ଏହି ପଦକ୍ଷେପ ଭୁବନେଶ୍ଵରରେ ଡ୍ୟାନ୍ସବାର୍‌ ଖୋଲିବାକୁ ନେଇ ପୁଣିଥରେ ଅଶଙ୍କା ଭିତରକୁ ଚାଲି ଆସିଛି। 

Leave a Reply

Your email address will not be published. Required fields are marked *