ଦାମ ଯିବେ ବିଜେପି
ଭୁବନେଶ୍ଵର, (ଓଟି): ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଏବେକାର ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ଭାରତୀୟ ଜନତାପାର୍ଟି (ବିଜେପି)ରେ ଯୋଗ ଦେବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହିକ୍ରମରେ ରାଜ୍ୟ ବିଜେପିର ତୁଙ୍ଗ ନେତା ତଥା ମନ୍ତ୍ରୀ ନିକଟରେ ଡା. ରାଉତଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି। ଆସନ୍ତା ଦୁଇ ତିନିଦିନ ଭିତରେ ସେ ଦିଲ୍ଲୀ ଯାଇ ବିଧିବଦ୍ଧ ଭାବେ ଗେରୁଆ ଉତ୍ତରୀୟ ଧାରଣ କରିବା ସମ୍ଭାବନା ରହିଛି।
ରାଜ୍ୟରେ ବିଜେପିକୁ ଶାଣିତ କରିବା ତଥା ଶାସକ ବିଜେଡି ବିରୋଧରେ ଶକ୍ତ କରି ଗଢ଼ି ତୋଳିବା ଲାଗି ଯେଉଁ ରଣନୀତି ପ୍ରସ୍ତୁତ ହୋଇଛି ସେଥିରେ ବିଜେପି ଟାଣୁଆ ନେତାଙ୍କୁ ଖୋଜୁଛି। ପୁଣି ଯେଉଁମାନେ କ୍ଷମତାରେ ଅଛନ୍ତି ଓ ବିଜୟ ପ୍ରତିଛବି ଧାରଣ କରୁଛନ୍ତି କିନ୍ତୁ ବିଜେଡି ନେତୃତ୍ଵଙ୍କ ଆସ୍ଥା ଭାଜନ ହୋଇପାରୁ ନାହାନ୍ତି ସେମାନଙ୍କୁ ବିଜେପି ନିଜ ପଣତକୁ ଆଣିବା ଲାଗି ଚାହିଁଛି। ଏହିକ୍ରମରେ ଯେଉଁ କିଛି ବରିଷ୍ଠ ନେତା ରହିଛନ୍ତି ତାଙ୍କ ଭିତରେ ଡା. ରାଉତ ଏବେ ଆଗୁଆ ଅଛନ୍ତି।
କିଛିଦିନ ପୂର୍ବେ ପୂର୍ବତନ ସାଂସଦ ତଥା ବିଜେଡିରୁ ବହିଷ୍କୃତ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇ ଏହି ଭିନ୍ନ ସମୀକରଣର ଆଭାସ ଦେଇଥିଲେ। ଏବେ ଦାମଙ୍କ ପାଳି ବୋଲି ତାଙ୍କ ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି ।
ସେପ୍ଟେମ୍ବର ୧୨ ତାରିଖରେ ଡା. ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯିବା ସହ ଏହାଦ୍ଵାରା ଦଳ ଉପରେ କିଛଇ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଥିଲା। ବହିଷ୍କାର ହେବା ପରେ ଦାମୋଦର ରାଜ୍ୟ ଶାସନର ଅନେକ ଗୁମର ଖୋଲିଥିଲେ। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ ଦଳ ଅଧିକ ଶକ୍ତ ହେବ ବୋଲି ଆଶା କରାଯାଉଛି ।
ବିଜେଡିରେ ଆଲୋଚନା
ଦାମଙ୍କୁ କେନ୍ଦ୍ରକରି ବଦଳୁଥିବା ରାଜନୀତିକ ଗଣିତର ଆଭାସ ବିଜେଡି ଶିବିରରେ ବି ରହିଛି। ଗୁଇନ୍ଦା ଏ ସମ୍ପର୍କରେ ରିପୋର୍ଟ ବି ଦେଇଛି। ଯେଉଁଥିଲାଗି କିଛି ବିଜେଡି ନେତା ଦାମଙ୍କୁ ମନାଇବା ଆରମ୍ଭ କରିଛନ୍ତି। ତାଙ୍କୁ ପାରାଦୀପରୁ ଫେରାଇ ଭୁବନେଶ୍ଵରରେ ଏକ ଆସନ ଦେବାକୁ ମଧ୍ୟ ଆଲୋଚନା ହେଉଛି ବୋଲି ଜାଣିବାକୁ ମିଳିଛି। ଏହା ହେଲେ ପାରାଦୀପ ଗଡ଼ ବିଜେଡି ପାଇଁ ସୁରକ୍ଷିତ ରହିପାରିବ।
ଡା. ରାଉତ ଏବେ ୭ମ ଥର ପାଇଁ ବିଧାନସଭାରେ ବିଧାୟକ। ୫ଥର ସେ ଏରସମାରୁ ନିର୍ବାଚିତ ହୋଇଥିବା ବେଳେ ୨ଥର ପାରାଦୀପରୁ ବିଧାୟକ ହୋଇଛନ୍ତି।
ଅଧିକ ପାଠ ପାଇଁ କ୍ଲିକ୍ କରନ୍ତୁ