ବବିଙ୍କ ବିଜୟ: ଦାମ ଯିବେନି ବିଜେପି, ସମ୍ବିତ ଓ ପ୍ରୀତିନନ୍ଦା ପାଇବେ ପୁରସ୍କାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍ ବ୍ୟୁରୋ): ବିଜେଡିରୁ ବିତାଡ଼ିତ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଦାୟାଦ ଭାବେ ନିଜକୁ ପରିଚୟ ଦେଉଥିବା ଡା. ଦାମୋଦର ରାଉତ ବିଜେପି ଯିବେ ନାହିଁ। ସେଥିଲାଗି ବୁଧବାର ସକାଳୁ ଦିଲ୍ଲୀ ଯିବା ପାଇଁ ଯେଉଁ ବିମାନ ଟିକେଟ୍ କଟାଯାଇଥିଲା ତାହାକୁ ବାତିଲ୍ କରାଯାଇଛି। ପୁଅ ସମ୍ବିତ୍ ରାଉତରାୟଙ୍କୁ ବିଜେଡିରୁ ଇସ୍ତଫା ଦେବା ଲାଗି ଯେଉଁ ଚିଠି ପ୍ରସ୍ତୁତ ହୋଇଥିଲା ତାହାକୁ ଚିରା ଯାଇଛି । ଅର୍ଥାତ୍ ସବୁ କଳ୍ପନାର ପ୍ରାୟ ଅନ୍ତ ଘଟିଛି। ଏହାର ଫଳ ସ୍ଵରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ସ୍ଵର ଆଉ ଶାଣିତ ହେବ ନାହିଁ।
କିଛିଦିନ ତଳେ ଦିଲ୍ଲୀ ଯାଇ ବିଜେପିର ତୁଙ୍ଗ ନେତାଙ୍କ ସହ କଥାବାର୍ତ୍ତା ଓ ଏହା ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ତାକୁ ନେଇ ଚାଲିଥିବା ଚର୍ଚା ବିଜେଡି ମହଲରେ ଅତଙ୍କ ଖେଳାଇଥିଲା। ରଣନୀତି ନିର୍ଦ୍ଧାରଣ କମିଟିର ଦୂତ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାମଙ୍କ ଡିଲ୍କୁ ବାତିଲ୍ କରିବାକୁ ଲାଗି ପଡ଼ିଥିଲେ। ଏହିକ୍ରମରେ ଦାମଙ୍କ ପୁଅ ସମ୍ବିତ୍କୁ ପ୍ରଲୋଭନ ଦେଖାଯାଇଥିଲା, ବେଜଡି ଟିକେଟ୍ର। ଏହି ଆଶ୍ଵାସନା ପକ୍କା ହେବାରୁ ସମ୍ବିତ୍ ବାପାଙ୍କୁ ବିଜେପିରେ ଯୋଗ ନଦେବାକୁ ଅନୁରୋଧ କରିଥିଲେ। ଏହା ପରେ ସଫଳ ହେବାରୁ ଦାମ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି।
ଆଜି ସକାଳେ ହେଲା ନିଷ୍ପତ୍ତି
ମିଳିଥିବା ସୂଚନା ଅନୁସାରେ ଦୁଇ ବନ୍ଧୁ ଭାବେ ପରିଚିତ ବବି ଏବଂ ସମ୍ବିତ୍ ମଙ୍ଗଳବାର ପାହାନ୍ତାରୁ ଜଣେ କ୍ଷମତାପନ୍ନ ଅଧିକାରୀଙ୍କ ପାଖକୁ ଯାଇଥିଲେ। ସେଠାରୁ ଫେରିଲା ପରେ ସମ୍ବିତ୍ ସିଧା ସଳଖ ଘରକୁ ଯାଇ ବାପାଙ୍କୁ ଦିଲ୍ଲୀ ନଯିବାକୁ ଅନୁରୋଧ କରିଥିଲେ। ଏହା ସହ ଝିଅକୁ ମଧ୍ୟ ଗୁରୁତ୍ଵପୂଣ୍ଣ ପଦବୀ ମିଳିବ ବୋଲି ବିଜେଡି ମହଲ ସୂଚନା ଦେଇଥିବା ସମ୍ବିତ୍ ବାପାଙ୍କୁ ଜଣାଇଥିବା ତାଙ୍କ ନକଟତମ ସୂତ୍ରରୁ ଜଣାପଡ଼ିଛି। ଏହା ଶୁଣିବା ପରେ ଦାମ ଦିଲ୍ଲୀ ଗସ୍ତ ବାତିଲ୍ କରିବାକୁ ନିଷ୍ପତ୍ତି ନେଲେ। ତାହା ହିଁ ହେଲା। ଦାମବାବୁଙ୍କ ଏହି ନିଷ୍ପତ୍ତି ଶୁଣି ତାଙ୍କ ପାଖ ଲୋକ ଚର୍ଚା କରୁଛନ୍ତି ଯେ, ଦାମବାବୁ ‘ଛେପ ଢୋକିଲେ’ ତଥା ‘ରାଜନୀତିରେ ସବୁ ସମ୍ଭବ’ ବୋଲି ଯାହା କୁହାଯାଉଛି ତାହା ସତ।
ପୁଣି ଲୁଣି ପାଣିରେ ପଦ୍ମ ଫୁଟିବନି ବୋଲି ଯେଉଁ ଦମ୍ଭୋକ୍ତି ଦାମ ପ୍ରକାଶ କରିଥିଲେ ତାହା ବି କ୍ରମଶଃ ସତ୍ୟ ହେଉଛି ବୋଲି ଏବେ ନିକଟବର୍ତୀ ଲୋକ କହୁଛନ୍ତି।
ବିଧାୟକ ଓ ମେୟର
ସୋଶାଲ୍ ମିଡିଆରେ ହେଉଥିବା ଚର୍ଚା ଅନୁସାରେ ଡା. ରାଉତଙ୍କ ପୁଅ ସମ୍ବିତ ବିଧାୟକ ପାଇଁ ଟିକେଟ୍ ପାଇବେ। ବାପାଙ୍କ ଆସନରେ ତାଙ୍କୁ ଟିକେଟ୍ ମିଳିବ। ସେହିପରି ଝିଅକୁ ମଧ୍ୟ ଟିକେଟ୍ ମିଳିପାରେ। ସେ ଚାହିଁଲେ ଭୁବନେଶ୍ଵର ମେୟର ହୋଇପାରନ୍ତି। ଏମିତିକି ଯଦି ଡା. ରାଉତ ଚାହିଁବେ ସେ ମଧ୍ୟ ବିଜେଡି ଟିକେଟ୍ରେ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି।