ବିଶାଳ ପଟୁଆରରେ ଦାମଙ୍କୁ ସ୍ଵାଗତ କଲା ଓଡ଼ିଶା ବିଜେପି
ଭୁବନେଶ୍ଵର, (ଓଟି): ଅନେକ ସମୟରେ ଦାମ ବାଣରେ ଆଘାତ ହୋଇଥିବା ବିଜେପି ଆଜି ବିଜେଡିରୁ ବିତାଡ଼ିତ ଡା. ଦାମୋଦର ରାଉତଙ୍କୁ ପଟୁଆରରେ ନେଇ ପାଛୋଟି ଆଣିଛି। ବିମାନବନ୍ଦରଠାରୁ ଏହି ପଟୁଆର ବିଜେପି ଅଫିସ ଯାଏ ଆସିଥିଲା। ଶିଶୁଭବନ ଛକଠାରୁ ଜମିଥିବା ମାଇକ୍ ଆଉ ବ୍ୟାଣ୍ଡ୍। ତୁଙ୍ଗ ନେତାଙ୍କ ସହ ଡା. ରାଉତଙ୍କୁ ସୁସଜ୍ଜିତ ଗେରୁଆ ରଥରେ ଠିଆ ହୋଇ ସମର୍ଥକଙ୍କ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ବିଜେପି ଅଫିସରେ ପହଞ୍ଚିବାପରେ ଡା. ରାଉତଙ୍କ ଉଦ୍ଦେଶ୍ୟରେ ଏକ ସ୍ଵାଗତ ସଭାର ଆୟୋଜନ କରାଯାଇଥିଲା। ଅନେକ ବର୍ଷ ହେଲା ବିଜେପି ବିରୋଧରେ ବିଷୋଦ୍ଗାର କରୁଥିବା ଦାମ ଏଥର କ’ଣ କହିବେ ତାହାକୁ ସମସ୍ତଙ୍କ ଅପେକ୍ଷା ଥିଲା। କିନ୍ତୁ ସବୁକିଛି ବୁଲି ବିଗତ କିଛିଦିନର ଅପମାନକୁ ସେ ବଖାଣିଥିଲେ। ବିଜୁ ଦାୟାଦ ଭାବେ ପରିଚୟ ଦେଇ ବିଜେଡିକୁ ବ୍ୟବସାୟସ୍ଥଳ ବୋଲି ବଣ୍ଣନା କରିଛନ୍ତି। ଏବେ ଯେଉଁମାନେ ବିଜେଡିର ଟିକେଟ୍ ପାଉଛନ୍ତି ସେମାନେ ରାଜନୀତି ନୁହେଁ କୋଟିପତି ହେବାକୁ ସୁଯୋଗ ପାଉଛନ୍ତି ବୋଲି କହିଥିଲେ।
ନବୀନ ସରକାର ପାପୀ ସରକାର
୪୫ ବର୍ଷ ହେଲା ଅଣ କଂଗ୍ରେସ ଅଣ ବିଜେପି ରାଜନୀତିରେ ସମ୍ପୃକ୍ତ ଥିବା ଡା. ରାଉତ ବିଜେଡି ଗଢ଼ା ହେବା ବେଳେ ତାହାକୁ ବିରୋଧ କରିଥିଲେ। ଗେଣ୍ଡାଦଳ ବୋଲି କହିଥିଲେ। କିଛିବର୍ଷ ପରେ କିନ୍ତୁ ଏହା ଓଡ଼ିଶା ରାଜନୀତି ବିକଳ୍ପ ବୋଲି ଭାବି ତାହାକୁ ଗ୍ରହଣ କରିଥିଲେ। କିନ୍ତୁ ଅନେକ ସମୟରେ ତାଙ୍କସହ ଦଳୀୟ ନୀତିର ପାର୍ଥକ୍ୟ ହୋଇଥିଲା। କିନ୍ତୁ ଖୁବ୍ ନିକଟରେ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର କରାଯିବା ଓ ପରେ ବିଜେଡିରୁ ବହିଷ୍କାର କରାଯିବା ତାଙ୍କ ପାଇଁ ଏକ ଅପମାନ ଥିଲା। ଏହି ଅପମାନକୁ ସହ୍ୟ କରି ନପାରି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ସରକାରଙ୍କ ବିରୋଧରେ ଭାଷଣ ଦେବା ଆରମ୍ଭ କରିଥିଲେ। ଏହି ସରକାରକୁ ‘ପାପୀ ସରକାର’ ବୋଲି ଅଭିହିତ କରି ସେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଯେଉଁ ଦାୟିତ୍ଵ ଦେବ ତାହାକୁ ମାନିବେ ବୋଲି କହିଛନ୍ତି।
ଜଗତସିଂହପୁରକୁ ବିଜେଡି ପାଦ ମନା ହେବ
ଡା. ରାଉତଙ୍କୁ ସ୍ଵାଗତ କରିବାକୁ ଆସିଥିବା ଜଗତସିଂହପୁରର ସମର୍ଥକମାନଙ୍କୁ ଏକତ୍ରିତ ହେବାକୁ ଆହ୍ବାନ ଦେଇଛନ୍ତି। କୌଣସି ମୁହୂର୍ତ୍ତରେ ଯେମିତି ବିଜେଡିର ପାଦ ଜଗତସିଂହପୁରରେ ପଡ଼ିବ ନାହିଁ ସେ ବିଷୟରେ ଶବଥ ନେବାକୁ ସମର୍ଥକଙ୍କୁ କହିଛନ୍ତି ଡା. ରାଉତ।

ଚିତାଭସ୍ମ ରାଜନୀତି
ବିଜୁଙ୍କ ଚିତାଭସ୍ମକୁ ନେଇ ତାଙ୍କ ଦୁଇପୁଅ ରାଜନୀତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଡା. ରାଉ।ତ। ସେ କହିଛନ୍ତି ଯେତେବେଳେ ତାଙ୍କ ଚିତାଭସ୍ମ ଆଣିବାକୁ ସମର୍ଥକମାନେ ପହଞ୍ଚିଥିଲେ ତାଙ୍କୁ ଦୁଇ ପୁତ୍ର ପ୍ରେମ୍ ଓ ନବୀନ ପ୍ରତ୍ୟାଖ୍ୟାନ କରିଥିଲେ। ଏହାଦ୍ଵାରା ବିଜୁ ସମର୍ଥକମାନେ ଅପମାନ ବୋଧ କରିଥିଲେ। ଓଡ଼ିଆଙ୍କ ପାଇଁ ତାଙ୍କ ହୃଦୟରେ ପ୍ରେମ ନାହିଁ ବୋଲି ସେ କହିଛନ୍ତି।
ଓଡ଼ିଶା ବନ୍ଧା ପଡ଼ିଛି
ଡା. ରାଉତ କହିଛନ୍ତି ଓଡ଼ିଶାର ସ୍ଵାର୍ଥ ବନ୍ଧା ପଡ଼ିଛି। ସ୍ଵାଭିମାନକୁ ଜଳାଞ୍ଜଳି ଦିଆଯାଉଛି। ଯେହେତୁ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୁରୁତ୍ଵ ଦେଉଛନ୍ତି, ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି, ମୁଁ ଓଡ଼ିଶାର ବିକାଶ ପାଇଁ ବିଜେପିରେ ସାମିଲ୍ ହେଉଛି।
କୁନ୍ଦୁଲିରେ ତାମିଲ୍ କନଷ୍ଟେବଳ
କୁନ୍ଦୁଲି ଗଣଦୁଷ୍କର୍ମ ମାମଲରେ ଜଣେ ତାମିଲ୍ କନଷ୍ଟେବଳ ସମ୍ପୃକ୍ତ ଅଛନ୍ତି। ସେଥିଲାଗି ଓଡ଼ିଶା ସରକାର ତାହାକୁ ଘଣ୍ଟ ଘୋଡ଼ାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଡା. ରାଉତ। ଏଠାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

କଂଗ୍ରେସ ସକ୍ଷମ ନୁହେଁ
ରାଜ୍ୟରେ କଂଗ୍ରେସ ସକ୍ଷମ ନୁହେଁ। ବର୍ତ୍ତମାନର ସରକାରଙ୍କୁ ଗାଦିଚୁ୍ୟତ କରିବା ପାଇଁ ସେ ପଣ କରିଛନ୍ତି ଏବଂ ଯେଉଁ ଦଳ ଠିକ୍ ଲାଗିବ ସେଥିରେ ଯୋଗ ଦେବେ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ଯେହେତୁ କଂଗ୍ରେସ ଠିକ୍ ଲାଗିଲା ନାହିଁ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ଡା. ରାଉତ।